Pak PM’s Diwali Greetings: ବଦଳିଗଲା ଶେହବାଜ ସରିଫଙ୍କ ସ୍ୱର! ଦୀପାବଳିରେ ହିନ୍ଦୁଙ୍କୁ ଜଣାଇଲେ ଶୁଭେଚ୍ଛା, କହିଲେ, ‘ପାକିସ୍ତାନର ଅବିଚ୍ଛେଦ୍ୟ ଅଙ୍ଗ’
ନୂଆଦିଲ୍ଲୀ: ଦୀପାବଳି ଅବସରରେ ବଦଳିଗଲା କି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ୱର? ଯେଉଁ ପାକିସ୍ତାନ ନିଜର ବିଭିନ୍ନ ପ୍ରସଙ୍ଗରେ ଭାରତ ବିରୁଦ୍ଧରେ ସ୍ବର ଶାଣିତ କରି ସବୁବେଳେ ଚର୍ଚ୍ଚାରେ ରହେ, ସେହି ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବେ ହିନ୍ଦୁ ସମ୍ପ୍ରଦାୟଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। କେବଳ ଶୁଭେଚ୍ଛା ନୁହେଁ, ପାକିସ୍ତାନର ହିନ୍ଦୁ ସମ୍ପ୍ରଦାୟକୁ ଦେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ମଧ୍ୟ କହିଛନ୍ତି।
ନଭେମ୍ବର ୮ ତାରିଖ ରବିବାର ଦିନ ସରିଫ ପାକିସ୍ତାନ ସମେତ ସାରା ବିଶ୍ୱରେ ରହୁଥିବା ହିନ୍ଦୁଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ‘ଏକ୍ସ’ରେ ସେୟାର ହୋଇଥିବା ବାର୍ତ୍ତାରେ ସେ କହିଛନ୍ତି, ହିନ୍ଦୁ ସମ୍ପ୍ରଦାୟ ଦେଶର ସାମାଜିକ ଜୀବନର ଏକ ମୂଲ୍ୟବାନ ଅଂଶ। ଦେଶର ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ବିକାଶରେ ସେମାନଙ୍କ ଅବଦାନ ରହିଛି।
ସରିଫଙ୍କ କହିବା ଅନୁସାରେ, ଦୀପାବଳି କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଘୃଣା ଓ ନିରାଶା ଉପରେ ଆଲୋକର ବିଜୟର ପ୍ରତୀକ। ଏହା ଶାନ୍ତି, ସଦ୍ଭାବ, ଆଶା ଓ ସମୃଦ୍ଧିର ବାର୍ତ୍ତା ଦିଏ। ପାକିସ୍ତାନର ସାଂସ୍କୃତିକ ଓ ଧାର୍ମିକ ବିବିଧତା ଦେଶର ଗର୍ବ ବୋଲି ମଧ୍ୟ ସେ କହିଛନ୍ତି।
ଏହା ସହ ଧର୍ମ, ବିଶ୍ୱାସ, ରଙ୍ଗ କିମ୍ବା ଜାତି ନିର୍ବିଶେଷରେ ସମସ୍ତ ନାଗରିକଙ୍କ ଅଧିକାର ଓ ଧାର୍ମିକ ସ୍ୱାଧୀନତାର ସୁରକ୍ଷା କରିବାକୁ ପାକିସ୍ତାନ ସରକାର ପ୍ରତିବଦ୍ଧ ବୋଲି ଆଶ୍ୱାସନା ଦେଇଛନ୍ତି। ତେବେ ଶେହବାଜଙ୍କ ଏହି ଶୁଭେଚ୍ଛା ବାର୍ତ୍ତା ଏବେ ଚର୍ଚ୍ଚାର ବିଷୟ। କଥାରେ ନୁହେଁ, ବାସ୍ତବରେ ମଧ୍ୟ ଏହି ସମାନତା ଓ ଧାର୍ମିକ ସ୍ୱାଧୀନତା କେତେଦୂର ପ୍ରତିଫଳିତ ହେଉଛି, ତାହା ହିଁ ଦେଖିବାର କଥା।
