Latest Odisha News

BREAKING NEWS

Cold Wave: ଜାଡରେ ଥରିବ ରାଜ୍ୟ! ଓଡିଶାରେ ବଢ଼ିବ ଶୀତ, ୨ରୁ ୪ ଡିଗ୍ରୀ ଖସିବ ପାରଦ!

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ ବଢ଼ିବାକୁ ଯାଉଛି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ରାଜ୍ୟରେ ପାଗ ଶୁଖିଲା ରହିବା ସହ ତାପମାତ୍ରାରେ ପରିବର୍ତ୍ତନ ଆସିବ। ଏହା ପରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

ପାଣିପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ, ଝାରସୁଗୁଡ଼ାରେ ସମତଳ ଅଞ୍ଚଳର ସର୍ବନିମ୍ନ ତାପମାତ୍ରା ୧୫.୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ପାହାଡ଼ିଆ ଅଞ୍ଚଳ ଜି. ଉଦୟଗିରିରେ ତାପମାତ୍ରା ୧୩.୫ ଡିଗ୍ରୀକୁ ଖସିଛି। ଅନ୍ୟପଟେ ଖୋର୍ଦ୍ଧାରେ ସର୍ବାଧିକ ଦିନ ତାପମାତ୍ରା ୩୩.୫ ଡିଗ୍ରୀ ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୨୦.୪ ଡିଗ୍ରୀ ଏବଂ ସର୍ବାଧିକ ୩୧.୬ ଡିଗ୍ରୀ ରହିଥିବା ବେଳେ କଟକରେ ସର୍ବନିମ୍ନ ୧୮.୬ ଡିଗ୍ରୀ ଓ ସର୍ବାଧିକ ୩୦.୨ ଡିଗ୍ରୀ ରେକର୍ଡ ହୋଇଛି। ଉଭୟ ସହରରେ ବର୍ଷା ହୋଇନାହିଁ।

ରାଜ୍ୟର ଉତ୍ତର ଭାଗର କିଛି ଅଞ୍ଚଳରେ ଘନ କୁହୁଡ଼ି ଦେଖାଦେଇଛି। ରାଉରକେଲାରେ ସକାଳ ସମୟରେ ଦୃଶ୍ୟମାନତା ୫୦ରୁ ୨୦୦ ମିଟର ମଧ୍ୟରେ ରହିଥିବାରୁ ଯାତାୟାତ ପ୍ରଭାବିତ ହେବାର ଆଶଙ୍କା ରହିଛି।

ଗଜପତି ଜିଲ୍ଲାର ଗୋସାଣି ଅଞ୍ଚଳରେ କେବଳ ୩ ମିଲିମିଟର ହାଲୁକା ବର୍ଷା ରେକର୍ଡ ହୋଇଛି। ଅନ୍ୟ ଅଞ୍ଚଳରେ ବର୍ଷାର କୌଣସି ସୂଚନା ନାହିଁ। ପାଣିପାଗ ବିଭାଗ ଅନୁଯାୟୀ, ସୋମବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ଶୁଖିଲା ପାଗ ଜାରି ରହିବ। ନଭେମ୍ବର ମାସରେ ଉତ୍ତର ଦିଗରୁ ଶୁଷ୍କ ପବନ ପ୍ରବାହ ଯୋଗୁଁ ରାଜ୍ୟରେ ଶୀତର ଆଗମନ ଅନୁଭୂତ ହେବା ଆରମ୍ଭ ହୋଇଛି।

Leave A Reply

Your email address will not be published.