ପୁରୀ: ଆନନ୍ଦ ବଜାର ନୁହେଁ ଖୋଲାଖୋଲି ବିକ୍ରି ହେଉଛି ମହାପ୍ରସାଦ । ଶ୍ରୀମନ୍ଦିର ଉତ୍ତର ଦ୍ଵାର ନିକଟରେ ଆଜି ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି । ମନଇଚ୍ଛା ଦରରେ ବିକ୍ରି ହେଉଛି ଅନ୍ନ, ଡାଲି, ମହୁର ଓ ବେସର । ବୋଝିଆ ମାନେ ମହାପ୍ରସାଦ ଆଣି ବାହାରେ ବିକ୍ରି କରୁଛନ୍ତି ।
ବରାଦି ଅବଢ଼ାକୁ ବୋଝିଆ ମାନେ ମହାପ୍ରସାଦ ଆଣି ବିଭିନ୍ନ ଗାଡ଼ିରେ ରଖିଥାନ୍ତି । ଏହା ପୁରୀ ଜିଲ୍ଲା ତଥା ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାଇଥାଏ । କିନ୍ତୁ ଏବେ ବୋଝିଆ ମାନେ ମହାପ୍ରସାଦ ଆଣି ବାହାରେ ବିକ୍ରି କରୁଛନ୍ତି ।
କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସ ସହ ଜଡ଼ିତ ମହାପ୍ରଭୁଙ୍କ ମହାପ୍ରସାଦ। ଏହାକୁ ଭକ୍ତମାନେ ଅମୃତ ସମାନ ମନେ କରନ୍ତି। ଶ୍ରୀମନ୍ଦିର ଭିତରେ ଆନନ୍ଦ ବଜାରରେ ସୁଆର ମହାସୁଆର ନିଯୋଗର ବ୍ୟବସ୍ଥା ଅନୁଯାୟୀ ମହାପ୍ରସାଦ ଉପଲବ୍ଧ ହୋଇଥାଏ । କିନ୍ତୁ ମନ୍ଦିର ବାହାରେ ଏଭଳି ଖୋଲାଖୋଲି ବିକ୍ରିକୁ ନେଇ ଏବେ ସୃଷ୍ଟି ହୋଇଛି ବିବାଦ ।
ପ୍ରଶ୍ନ ଉଠୁଛି, ମନ୍ଦିର ବାହାରେ ମହାପ୍ରସାଦ ବିକ୍ରି ପାଇଁ ଅନୁମତି ଦେଲା କିଏ? ଶ୍ରୀମନ୍ଦିର ପ୍ରଶାସନ କିମ୍ବା ସୁଆର ମହାସୁଆର ନିଯୋଗ ପକ୍ଷରୁ ବାହାରେ ଏଭଳି ବିକ୍ରି ପାଇଁ କୌଣସି ବ୍ୟବସ୍ଥା ନଥିବା କୁହାଯାଉଥିବା ବେଳେ କେଉଁ ଆଧାରରେ ଏହି ବ୍ୟବସାୟ ଚାଲିଛି, ତାହା ସ୍ପଷ୍ଟ ହୋଇନାହିଁ ।
