ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ମ୍ୟାଚ୍ରେ କେ.ଏଲ୍ ରାହୁଲଙ୍କ ବ୍ୟାଟିଂ ଅର୍ଡରକୁ ନେଇ କ୍ରିକେଟ୍ ଜଗତରେ ଚର୍ଚ୍ଚା ଜୋର ଧରିଛି । ଅକ୍ଷର ପଟେଲଙ୍କ ପଛରେ ରାହୁଲଙ୍କୁ ବ୍ୟାଟିଂ ପାଇଁ ପଠାଯିବା ନେଇ ପୂର୍ବତନ ଭାରତୀୟ କ୍ରିକେଟର କୃଷ୍ଣମାଚାରୀ ଶ୍ରୀକାନ୍ତ କ୍ଷୋଭ ପ୍ରକାଶ କରିଥିବାବେଳେ, ସୁନୀଲ ଗାଭାସ୍କର ଏହି ରଣନୀତିକୁ ସମର୍ଥନ କରିଛନ୍ତି । ୱେଲିଂଟନ୍ରେ ଭାରତୀୟ ଦଳ ମାତ୍ର ୩୯ ରନ୍ରେ ୩ଟି ଓ୍ୱିକେଟ୍ ହରାଇ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ଏପରି ସଙ୍କଟଜନକ ପରିସ୍ଥିତିରେ କେ.ଏଲ୍ ରାହୁଲଙ୍କ ବଦଳରେ ଅକ୍ଷର ପଟେଲ ବ୍ୟାଟିଂ କରିବାକୁ ଆସିଥିଲେ । କିନ୍ତୁ କିୱି ବୋଲରଙ୍କ ସାମ୍ନାରେ ଅକ୍ଷର ଅସହଜ ଦେଖାଯାଇଥିଲେ ଏବଂ ମାତ୍ର ୭ ରନ୍ କରି ଆଉଟ୍ ହୋଇଥିଲେ । ପରେ କ୍ରିଜକୁ ଆସି ରାହୁଲ ଅତି ସହଜରେ ବ୍ୟାଟିଂ କରିଥିଲେ ।
ଏହାକୁ ନେଇ ପୂର୍ବତନ ସିଲେକ୍ଟର କୃଷ୍ଣମାଚାରୀ ଶ୍ରୀକାନ୍ତ କହିଛନ୍ତି ଅକ୍ଷର ପଟେଲଙ୍କ ପରେ ରାହୁଲଙ୍କୁ ନମ୍ବର ୬ରେ ପଠାଇବା କେତେଦୂର ନ୍ୟାୟସଙ୍ଗତ ? ସେ କହିଛନ୍ତି ଯେ ରାହୁଲ ଭାରତ ପାଇଁ ନମ୍ବର-୩ ଏବଂ ୪ରେ ଶତକ ହାସଲ କରିଛନ୍ତି । ଯେତେବେଳେ ପରିସ୍ଥିତି କଠିନ ହୁଏ, ସେତେବେଳେ ବିରାଟ କୋହଲି ଓ କେ.ଏଲ୍ ରାହୁଲ ହିଁ ଦଳକୁ ସମ୍ଭାଳନ୍ତି । ଏଭଳି ଜଣେ ପ୍ରମୁଖ ଖେଳାଖାଳୀଙ୍କ ସହ ଏହା ଘୋର ଅନ୍ୟାୟ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ସୁନୀଲ ଗାଭାସ୍କର ବାମହାତୀ ବ୍ୟାଟ୍ସମ୍ୟାନ୍କୁ ଉପରକୁ ପଠାଇବାର ରଣନୀତିକୁ ସମର୍ଥନ କରିଛନ୍ତି । ମ୍ୟାଚ୍ ପରେ ସେ କହିଛନ୍ତି ଯେ, ବାମହାତୀ ବ୍ୟାଟ୍ସମ୍ୟାନ୍ କ୍ରିଜକୁ ଆସିଲେ ବିପକ୍ଷ ବୋଲରଙ୍କୁ ବାରମ୍ବାର ନିଜର ଲାଇନ୍ ଏବଂ ଲେନ୍ଥ ବଦଳାଇବାକୁ ପଡ଼ିଥାଏ, ଯାହା ବୋଲରଙ୍କ ପାଇଁ କଷ୍ଟକର ହୋଇଥାଏ । ଗାଭାସ୍କର ଆହୁରି ମଧ୍ୟ କହିଛନ୍ତି, ଏହି ଚିନ୍ତାଧାରାରେ କୌଣସି ଭୁଲ୍ ନଥିଲା । ଯଦି ଅକ୍ଷର ରନ୍ କରିଥାନ୍ତେ, ତେବେ ସମସ୍ତେ ଏହି ନିଷ୍ପତ୍ତିକୁ ପ୍ରଶଂସା କରିଥାନ୍ତେ । ଏଭଳି ପରୀକ୍ଷାମୂଳକ ପଦକ୍ଷେପ କେତେବେଳେ ସଫଳ ହୁଏ ତ କେତେବେଳେ ବିଫଳ ହୁଏ ।
