Latest Odisha News

BREAKING NEWS

୭ ହଜାର ଟଙ୍କା ଲାଞ୍ଚ ନେବା ମହଙ୍ଗା ପଡ଼ିଲା, ଚାକିରିରୁ ବିଦା ହେଲେ ସବରେଜିଷ୍ଟ୍ରାର ମନୀଷା ମିଶ୍ର

ବାଲେଶ୍ୱର: ଚାକିରିରୁ ବିଦା ହେଲେ ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ସବ୍ ରେଜିଷ୍ଟ୍ରାର ମନୀଷା ମିଶ୍ର । ଜମି ପଞ୍ଜୀକରଣ ଓ ବିକ୍ରୟ ଦଲିଲ ପ୍ରଦାନ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ମନୀଷା । ମନୀଷା ମିଶ୍ର ଓଆର୍‌ଏସ୍‌ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଗିରଫ ହୋଇଥିଲେ ।

ଅଭିଯୋଗ ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ପଞ୍ଚରୁଖି ଗାଁର ଜ୍ଞାନରଞ୍ଜନ ପାତ୍ରଙ୍କଠାରୁ ଜମି ସମ୍ପର୍କିତ କାମ କରାଇଦେବା ପାଇଁ ସେ ଲାଞ୍ଚ ଦାବି କରିଥିଲେ । ଗତ ନଭେମ୍ବର ୬ ତାରିଖରେ ନିଜ ଅଫିସ୍ ଚାମ୍ବରରେ ଅଭିଯୋଗକାରୀଙ୍କଠାରୁ ୭ ହଜାର ଟଙ୍କା ଗ୍ରହଣ କରୁଥିବା ବେଳେ ବାଲେଶ୍ୱର ଭିଜିଲାନ୍ସ ଡିଭିଜନର ଅଧିକାରୀମାନେ ତାଙ୍କୁ ଧରିଥିଲେ ।

ଏହି ଘଟଣାରେ ଦୁର୍ନୀତି ନିବାରଣ ସଂଶୋଧନ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ବାଲେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଥିଲା । ନଭେମ୍ବର ୭ ତାରିଖରେ ମନୀଷାଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।

ଏହି ଘଟଣା ପରେ ଆୟବହିର୍ଭୂତ ସମ୍ପତ୍ତି ଠାବ ଉଦ୍ଦେଶ୍ୟରେ ତାଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରହିଛି । ଏନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ ୨୬/୨୦୨୬ ନମ୍ବରରେ ମାମଲା ରୁଜୁ ହେବା ସହ ପିସି (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ତଦନ୍ତ ଚାଲିଛି। ସୂଚନାଯୋଗ୍ୟ, ମନୀଷା ମିଶ୍ର ୨୦୨୪ ମସିହାରେ ଚାକିରିରେ ଯୋଗଦେଇଥିବା ବେଳେ ବର୍ତ୍ତମାନ ବାଲିଆପାଳରେ ପ୍ରୋବେସନରେ ସବ୍‌ରେଜିଷ୍ଟ୍ରାର ଭାବେ କାର୍ଯ୍ୟରତ ଥିଲେ।

Leave A Reply

Your email address will not be published.