Toxic Smog Blanket: ମହାକାଶରୁ ଦିଶିଲା ଭାରତ-ପାକିସ୍ତାନରେ ବ୍ୟାପିଥିବା ‘ବିଷାକ୍ତ ଧୂଆଁ’! ନାସା ସାଟେଲାଇଟ୍ କ୍ୟାମେରାରେ କଏଦ ଭୟଙ୍କର ଚିତ୍ର!
ନୂଆଦିଲ୍ଲୀ: ଶୀତ ଆରମ୍ଭ ହେଉ ହେଉ ଉତ୍ତର ଭାରତରେ ବଢ଼ିଲାଣି ବାୟୁ ପ୍ରଦୂଷଣର ଭୟ। ଦିନକୁ ଦିନ ବିଷାକ୍ତ ହେଉଛି ପରିବେଶର ବାୟୁ। ଏବେ ଏହି ପ୍ରଦୂଷଣର ଭୟାବହ ଚିତ୍ର ମହାକାଶରୁ ମଧ୍ୟ ଦେଖିବାକୁ ମିଳିଛି। ନାସାର ସାଟେଲାଇଟ୍ ଉତ୍ତୋଳନ କରିଥିବା ଏକ ଚିତ୍ରରେ ଭାରତ ଓ ପାକିସ୍ତାନର ବିସ୍ତୃତ ଅଞ୍ଚଳ ଉପରେ ଧୂଆଁ ଓ ଧୁଆଁଳିଆ କୁହୁଡ଼ିର ମୋଟା ଆସ୍ତରଣ ଦେଖାଯାଇଛି। ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶଠାରୁ ଆରମ୍ଭ କରି ପାକିସ୍ତାନର ଲାହୋର ପର୍ଯ୍ୟନ୍ତ ଏହି ପ୍ରଦୂଷଣର ଚାଦର ବ୍ୟାପିଥିବା ଦେଖିବାକୁ ମିଳିଛି। ଏହି ଚିତ୍ର ଶୀତଦିନେ ଉତ୍ତର ଭାରତ ଓ ପାକିସ୍ତାନରେ ବାୟୁ ପ୍ରଦୂଷଣ କେତେ ବ୍ୟାପକ ରୂପ ନେଉଛି, ତାହାର ଏକ ସ୍ପଷ୍ଟ ସଙ୍କେତ ଦେଇଛି।
ନାସାର MODIS (Moderate Resolution Imaging Spectroradiometer) ଯନ୍ତ୍ର ଦ୍ୱାରା ଏହି ଚିତ୍ର ଉତ୍ତୋଳନ କରାଯାଇଛି। ନାସାର ଅଗ୍ନି ସୂଚନା ଓ ସମ୍ବଳ ପରିଚାଳନା ପ୍ରଣାଳୀ ମାଧ୍ୟମରେ ଏହି ଚିତ୍ର ଉପଲବ୍ଧ ହୋଇଛି। ଚିତ୍ରରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିସ୍ତାରିତ ସିନ୍ଧୁ-ଗଙ୍ଗା ସମତଳ ଅଞ୍ଚଳ ଉପରେ ଧୂସର ରଙ୍ଗର ଘନ ଧୁଆଁଳିଆ ଆସ୍ତରଣ ଦେଖିବାକୁ ମିଳିଛି। ପାକିସ୍ତାନରୁ ଆରମ୍ଭ କରି ଉତ୍ତର ଭାରତର ବିଭିନ୍ନ ଅଞ୍ଚଳ ଦେଇ ଏହି ଧୂଆଁର ଆସ୍ତରଣ ପୂର୍ବ ଦିଗକୁ ବିସ୍ତାରିତ ହୋଇଥିବା ନଜର ଆସିଛି।
ନାସାର ସାଟେଲାଇଟ୍ ଚିତ୍ରରେ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ଏହାର ଆଖପାଖ ଅଞ୍ଚଳରେ ଘନ ଧୁଆଁଳିଆ ପରିବେଶ ଦେଖାଯାଇଛି। ପାକିସ୍ତାନର ଲାହୋର ସମେତ ଅନେକ ଅଞ୍ଚଳ ମଧ୍ୟ ଏହି ପ୍ରଦୂଷଣର ପ୍ରଭାବରେ ରହିଛି। ଏହି ଅଞ୍ଚଳଗୁଡ଼ିକ ସିନ୍ଧୁ-ଗଙ୍ଗା ସମତଳ ଭୂମିର ଅଂଶ ହୋଇଥିବାରୁ ଶୀତଦିନେ ଏଠାରେ ପ୍ରଦୂଷଣ ଜମା ହେବାର ସମସ୍ୟା ଅଧିକ ଦେଖାଯାଏ। ଚିତ୍ରର ଉତ୍ତର ଭାଗରେ ହିମାଳୟର ପାହାଡ଼ ଓ ବରଫାବୃତ ଅଞ୍ଚଳ ମଧ୍ୟ ସ୍ପଷ୍ଟ ଦେଖାଯାଇଛି। ଗୋଟିଏ ପଟେ ବରଫରେ ଆଚ୍ଛାଦିତ ପାହାଡ଼, ଅନ୍ୟପଟେ ଧୂଆଁରେ ଘୋଡ଼େଇ ହୋଇ ରହିଥିବା ବିସ୍ତୃତ ସମତଳ ଅଞ୍ଚଳ। ଏହି ଦୁଇ ଚିତ୍ର ମଧ୍ୟରେ ଥିବା ପାର୍ଥକ୍ୟ ପ୍ରଦୂଷଣର ବ୍ୟାପକତାକୁ ଦର୍ଶାଉଛି।
ସାଟେଲାଇଟ୍ ଚିତ୍ରରେ ଅନେକ ସ୍ଥାନରେ ଲାଲ୍ ରଙ୍ଗର ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି। ଏହି ଚିହ୍ନଗୁଡ଼ିକ ସାଟେଲାଇଟ୍ ଦ୍ୱାରା ଚିହ୍ନଟ ହୋଇଥିବା ଅଗ୍ନିକାଣ୍ଡ ଘଟଣାକୁ ସୂଚାଉଛି। ଉତ୍ତର-ପଶ୍ଚିମ ଭାରତର କୃଷି ଅଞ୍ଚଳରେ ଏଭଳି ଅଗ୍ନିକାଣ୍ଡ ଦେଖାଯାଇଥିବାବେଳେ ଏହା ପରାଳି ଜଳାଇବା ଘଟଣା ସହ ସମ୍ପର୍କିତ ହୋଇପାରେ।
ତେବେ ଶୀତ ଆସିଲେ କାହିଁକି ବଢ଼ିଯାଏ ବାୟୁ ପ୍ରଦୂଷଣ? ପ୍ରତିବର୍ଷ ଶୀତ ଋତୁ ଆରମ୍ଭ ହେବା ସହ ଉତ୍ତର ଭାରତ ଓ ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ବାୟୁର ଗୁଣବତ୍ତା ଦ୍ରୁତ ହ୍ରାସ ପାଇଥାଏ। ଏହା ପଛରେ ରହିଛି ଏକାଧିକ କାରଣ। ଚାଷ ଜମିରେ ପରାଳି ଜଳାଇବା, ରାସ୍ତାରେ ଚଳାଚଳ କରୁଥିବା ଯାନବାହନରୁ ବାହାରୁଥିବା ଧୂଆଁ, କଳକାରଖାନାରୁ ନିର୍ଗତ ପ୍ରଦୂଷିତ ଗ୍ୟାସ୍ ଏବଂ ନିର୍ମାଣ କାର୍ଯ୍ୟରୁ ସୃଷ୍ଟି ହେଉଥିବା ଧୂଳି ଏହାର ପ୍ରମୁଖ କାରଣ। ଏହା ସହ ଶୀତଦିନେ ପାଣିପାଗର କିଛି ବିଶେଷ ସ୍ଥିତି ମଧ୍ୟ ପ୍ରଦୂଷଣକୁ ଆହୁରି ଗମ୍ଭୀର କରିଥାଏ। ତାପମାତ୍ରା କମ୍ ରହିବା, ପବନର ବେଗ ହ୍ରାସ ପାଇବା ଏବଂ ବାୟୁର ଉପରକୁ ଯିବା ପ୍ରକ୍ରିୟା ବାଧାପ୍ରାପ୍ତ ହେବା ଯୋଗୁଁ ପ୍ରଦୂଷିତ କଣିକାଗୁଡ଼ିକ ଭୂମି ନିକଟରେ ଜମା ହୋଇ ରହିଥାଏ। ଫଳରେ ଧୂଆଁ, ଧୂଳି ଓ ବିଷାକ୍ତ କଣିକା ବାୟୁମଣ୍ଡଳର ତଳସ୍ତରରେ ଅଧିକ ସମୟ ଧରି ରହିଥାଏ। ଏହା ଦ୍ୱାରା ଅନେକ ଅଞ୍ଚଳରେ ଦୀର୍ଘ ସମୟ ଧରି ସ୍ମଗ୍ର ମୋଟା ଆସ୍ତରଣ ସୃଷ୍ଟି ହୋଇଥାଏ।
ଦିଲ୍ଲୀ-NCRରେ ମଧ୍ୟ ବାୟୁର ଗୁଣବତ୍ତା ଖରାପ ହେବାରେ ଲାଗିଛି। ବିଶେଷ କରି ରାତି ଓ ସକାଳ ସମୟରେ ପ୍ରଦୂଷଣର ମାତ୍ରା ବଢ଼ିଯାଉଛି। କିନ୍ତୁ ନାସାର ସାଟେଲାଇଟ୍ ଚିତ୍ର ଏକ ବଡ଼ ସତ୍ୟକୁ ସାମ୍ନାକୁ ଆଣିଛି। ପ୍ରଦୂଷଣ କେବଳ ଦିଲ୍ଲୀ କିମ୍ବା ଗୋଟିଏ ସହରର ସମସ୍ୟା ନୁହେଁ। ଏହା ଭାରତ ଓ ପାକିସ୍ତାନର ବିସ୍ତୃତ ଭୂଭାଗକୁ ପ୍ରଭାବିତ କରୁଛି।
ସିନ୍ଧୁ-ଗଙ୍ଗା ସମତଳ ଅଞ୍ଚଳର ଏକ ବଡ଼ ଭାଗ ଉପରେ ଧୂଆଁର ଆସ୍ତରଣ ଦେଖାଯିବା ଏହାର ଗମ୍ଭୀରତାକୁ ଦର୍ଶାଉଛି। ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହେଉଥିବା ଧୂଆଁ ଏବଂ ଶୀତକାଳୀନ ପାଣିପାଗର ସ୍ଥିତି ମିଶି ଏକ ବିସ୍ତୃତ ପ୍ରଦୂଷଣ ବଳୟ ସୃଷ୍ଟି କରୁଛି। ନାସାର ଏହି ଚିତ୍ର ଦର୍ଶାଉଛି ଯେ ଶୀତଦିନେ ବାୟୁ ପ୍ରଦୂଷଣ ଏକ ଆଞ୍ଚଳିକ ସମସ୍ୟାର ରୂପ ନେଉଛି। ଏହାର ମୁକାବିଲା ପାଇଁ ପରାଳି ଜଳାଇବା ହ୍ରାସ, ଯାନବାହନ ଓ ଶିଳ୍ପ ପ୍ରଦୂଷଣ ନିୟନ୍ତ୍ରଣ ସହ ବାୟୁର ଗୁଣବତ୍ତା ଉପରେ ନିରନ୍ତର ନଜର ରଖିବା ଆବଶ୍ୟକ।
