Latest Odisha News

BREAKING NEWS

ମହାଭିଯୋଗର ସାମ୍ନା କରୁଥିବା ପିଟ୍ ହେଗସେଥଙ୍କ ବଡ଼ ବୟାନ; କହିଲେ ‘ନିଜ ଯୋଦ୍ଧାଙ୍କୁ ଦଣ୍ଡ ଦେଉଛି ଆମେରିକା’

ଇରାନ ଯୁଦ୍ଧକୁ ନେଇ ମହାଭିଯୋଗ ପ୍ରସ୍ତାବର ସାମ୍ନା କରୁଥିବା ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ନିଜ ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ମଙ୍ଗଳବାର ପେଣ୍ଟାଗନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ତାଙ୍କ ବିରୋଧରେ ଅଣାଯାଇଥିବା ମହାଭିଯୋଗ ପ୍ରସ୍ତାବ ଶତ୍ରୁ ରାଷ୍ଟ୍ରଗୁଡ଼ିକୁ ଏକ ଭୁଲ ବାର୍ତ୍ତା ଦେଉଛି ଯେ ଆମେରିକା ଆଇନଗତ ସାମରିକ ଅଭିଯାନ ଚଳାଉଥିବା ନି ନେତୃତ୍ୱଙ୍କୁ ଦଣ୍ଡିତ କରିବାକୁ ଯାଉଛି।

ରିପବ୍ଲିକାନ୍ ସାଂସଦ ଥୋମାସ୍ ମାସିଙ୍କ ଦ୍ୱାରା ଅଣାଯାଇଥିବା ଏହି ମହାଭିଯୋଗ ପ୍ରସ୍ତାବକୁ ହେଗସେଥ୍ ଏକ ‘ରାଜନୈତିକ ଷଡ଼ଯନ୍ତ୍ର’ ବୋଲି ଅଭିହିତ କରିଛନ୍ତି। ସେ ଦୃଢ଼ତାର ସହ କହିଛନ୍ତି ଯେ, ଆମେରିକା ଗଣତନ୍ତ୍ରର ୨୫୦ ବର୍ଷର ଇତିହାସରେ କୌଣସି ସଫଳ ଓ ଆଇନଗତ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ କେବେ ବି କୌଣସି ପ୍ରତିରକ୍ଷା ସଚିବଙ୍କ ବିରୋଧରେ ମହାଭିଯୋଗ ଅଣାଯାଇ ନାହିଁ। ରେଗାନ, କ୍ଲିଣ୍ଟନ, ଓବାମା ଏବଂ ବାଇଡେନଙ୍କ ଶାସନକାଳରେ ହୋଇଥିବା ସାମରିକ ଅଭିଯାନର ଉଦାହରଣ ଦେଇ ସେ ନିଜ ପଦକ୍ଷେପକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି।

ଇରାନ ବିରୋଧରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରି ହେଗସେଥ୍ କହିଛନ୍ତି, ” ଆମେ ଏହି ଯୁଦ୍ଧ ଆରମ୍ଭ କରିନାହୁଁ, ବରଂ ୪୭ ବର୍ଷ ପୂର୍ବେ ଇରାନ ଏହା ଆରମ୍ଭ କରିଥିଲା। ମୁଁ ଏହି ଅଭିଯାନ ପରିଚାଳନା କରି ଗର୍ବିତ ଏବଂ ଆବଶ୍ୟକ ପଡ଼ିଲେ ଆସନ୍ତାକାଲି ମଧ୍ୟ ଏହାକୁ ପୁଣିଥରେ କରିବି।” ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ମହାଭିଯୋଗ ପ୍ରସ୍ତାବ ଆମେରିକୀୟ ସୈନିକମାନଙ୍କ ବୀରତ୍ୱ ଓ ସେବାକୁ ଅପମାନିତ କରୁଛି, ଯେଉଁମାନେ ଦେଶ ପାଇଁ ଲଢ଼ୁଛନ୍ତି। ସୂଚନାଯୋଗ୍ୟ ଯେ, କଂଗ୍ରେସର ବିନା ଅନୁମତିରେ ଇରାନ ସହ ୯୦ ଦିନରୁ ଅଧିକ ସମୟ ଧରି ଯୁଦ୍ଧ ଜାରି ରଖିବା ଏବଂ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଦଳର ପରାଜୟ ପାଇଁ ହେଗସେଥଙ୍କୁ ଦାୟୀ କରାଯାଇ ଏହି ମହାଭିଯୋଗ ପ୍ରସ୍ତାବ ଅଣାଯାଇଛି।

Leave A Reply

Your email address will not be published.