କୋଲକାତା: ବୁଧବାର ସକାଳେ ମୁମ୍ବାଇ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ଅପହରଣ ଧମକ ମିଳିବା ପରେ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆତଙ୍କ ଖେଳିଯାଇଥିଲା। ବିମାନର ଶୌଚାଳୟ ଦର୍ପଣରେ ଏକ ଧମକପୂର୍ଣ୍ଣ ବାର୍ତ୍ତା ଲେଖାଯାଇଥିବା ଦେଖିବାକୁ ମିଳିଥିଲା।
ରିପୋର୍ଟ ଅନୁଯାୟୀ, ବିମାନଟି ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିଲା ବେଳେ ଧମକପୂର୍ଣ୍ଣ ବାର୍ତ୍ତା ନଜରକୁ ଆସିଥିଲା। ଘଟଣା ବିଷୟରେ ଜାଣିବା ପରେ ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC)କୁ ସତର୍କ କରିଥିଲେ।
ତା’ପରେ ବିମାନକୁ ଏକ ଆଇସୋଲେସନ୍ ବେକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ଏବଂ ବିମାନବନ୍ଦର ସ୍ୱତନ୍ତ୍ର ସୁରକ୍ଷା ଅଧିକାରୀମାନେ ତଦନ୍ତ ଆରମ୍ଭ କରିଥିଲେ।
ସେପଟେ ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଶୌଚାଳୟ ଦର୍ପଣରେ ଧମକପୂର୍ଣ୍ଣ ବାର୍ତ୍ତା କିଏ ଲେଖିଛି ଏବଂ ଏହା ପଛରେ କିଏ ଅଛି ସେ ବିଷୟରେ ତଦନ୍ତ ଆରମ୍ଭ କରିଛନ୍ତି।
