Latest Odisha News

BREAKING NEWS

Nov. 13 ‘Doomsday’: ରାତି ପାହିଲେ ଶେଷ ହୋଇଯିବ ଦୁନିଆ? କାହିଁକି ଚର୍ଚ୍ଚାରେ ନଭେମ୍ବର ୧୩? ଜାଣନ୍ତୁ ୧୯୬୦ର ସେହି ଗବେଷଣା ପଛର ସେ ସତ…

ନୂଆଦିଲ୍ଲୀ: ରାତି ପାହିଲେ ସତରେ ସରିଯିବ କି ଦୁନିଆ? ହଠାତ୍ ମାଡ଼ି ଆସିବ କି ଶୁକ୍ରବାରରେ ସେହି କାଳରାତି? କାହିଁକି ନଭେମ୍ବର ୧୩କୁ ନେଇ ଏତେ ଚର୍ଚ୍ଚା? ଏବେ ସୋସିଆଲ ମିଡିଆରୁ ଆରମ୍ଭ କରି ଖବର ଶିରୋନାମା ପର୍ଯ୍ୟନ୍ତ ସବୁଠି ଏହି ଗୋଟିଏ ତାରିଖକୁ ନେଇ ଆଲୋଚନା। କୁହାଯାଉଛି, ନଭେମ୍ବର ୧୩ ରାତି ପାହିଲେ ହୁଏତ ଦୁନିଆର ଅନ୍ତ ହୋଇଯିବ! ଏହାକୁ ନେଇ ଅନେକ ଲୋକ ମଜାକ ଉଡ଼ାଉଥିବା ବେଳେ ଆଉ କିଛି ଲୋକଙ୍କ ମନରେ ଉଠୁଛି ପ୍ରଶ୍ନ, କ’ଣ ରହିଛି ଏହା ପଛର ରହସ୍ୟ? ଆସନ୍ତୁ ଜାଣିବା।

ନା କୌଣସି ବନ୍ୟା, ନା ବାତ୍ୟା, ନା ବର୍ଷା, ନା ଅନ୍ୟ କୌଣସି ପ୍ରାକୃତିକ ବିପର୍ଯ୍ୟୟ। ପାଗ ବି ସମ୍ପୂର୍ଣ୍ଣ ସ୍ୱାଭାବିକ। ସବୁକିଛି ସାଧାରଣ ଦିନ ଭଳି ଲାଗୁଛି। ତେବେ ହଠାତ୍ କାଲି କେମିତି ଶେଷ ହୋଇଯିବ ଦୁନିଆ? ଏହି ଆଶ୍ଚର୍ଯ୍ୟଜନକ ଚର୍ଚ୍ଚା ପଛରେ ରହିଛି ୧୯୬୦ ମସିହାର ଏକ ବୈଜ୍ଞାନିକ ଗବେଷଣା। ସେତେବେଳେ ବିଶ୍ୱର ପ୍ରତିଷ୍ଠିତ ବିଜ୍ଞାନ ପତ୍ରିକା ‘ସାଇନ୍ସ’ରେ ଏକ ଗବେଷଣା ପତ୍ର ପ୍ରକାଶ ପାଇଥିଲା। ଏହାର ଶିରୋନାମା ଥିଲା, ‘ଡୁମ୍ସଡେ: ଫ୍ରାଇଡେ, ୧୩ ନଭେମ୍ବର, ୨୦୨୬’। ଅର୍ଥାତ୍ ୨୦୨୬ ନଭେମ୍ବର ୧୩କୁ ଦୁନିଆର ଅନ୍ତିମ ଦିନ ଭାବେ ଆକଳନ କରାଯାଇଥିଲା।

ଅଷ୍ଟ୍ରିଆରେ ଜନ୍ମିତ ଆମେରିକୀୟ ବୈଜ୍ଞାନିକ ହେନ୍ଜ ଭନ୍ ଫୋରଷ୍ଟର ଏବଂ ତାଙ୍କର ଦୁଇ ଛାତ୍ର ପାଟ୍ରିସିଆ ଏମ୍‌ ମୋରା ଓ ଲରେନ୍ସ ଡବ୍ଲ୍ୟୁ ଆମିଓ ଏହି ଗବେଷଣା କରିଥିଲେ। “ଆମର ଆଗାମୀ ପିଢ଼ିର ପିଲାମାନେ ଅନାହାରରେ ମରିବେ ନାହିଁ, ବରଂ ଜନସଂଖ୍ୟାର ଅତ୍ୟଧିକ ଚାପରେ ସେମାନେ ଚାପି ହୋଇ ମରିଯିବେ”, ବୋଲି ସେମାନେ ଯୁକ୍ତି ବାଢିଥିଲେ। ଏଥିପାଇଁ ଗବେଷକମାନେ ପ୍ରାୟ ୨ ହଜାର ବର୍ଷର ଜନସଂଖ୍ୟା ସମ୍ପର୍କିତ ୨୪ଟି ଆକଳନକୁ ଆଧାର କରିଥିଲେ। ମଣିଷର ସହଯୋଗ ଓ ସମସ୍ୟା ସମାଧାନ କରିବାର କ୍ଷମତା ଜନସଂଖ୍ୟା ବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିପାରେ ବୋଲି ସେମାନଙ୍କ ଯୁକ୍ତି ଥିଲା। ଏହି ସଙ୍କଟ ଏଡ଼ାଇବାକୁ ବିଶ୍ୱର ଜନ୍ମହାରକୁ ଅଧା କରିବା ପାଇଁ ମଧ୍ୟ ସେମାନେ ପରାମର୍ଶ ଦେଇଥିଲେ।

ତେବେ ଏହି ଆକଳନକୁ ନେଇ ସେତେବେଳେ ବୈଜ୍ଞାନିକ ଓ ଜନସଂଖ୍ୟା ବିଶେଷଜ୍ଞମାନେ ପ୍ରଶ୍ନ ବି ଉଠାଇଥିଲେ। ଏହାକୁ ନେଇ ଅନେକ ତର୍କବିତର୍କ ମଧ୍ୟ ହୋଇଥିଲା। ଆଶ୍ଚର୍ଯ୍ୟର କଥା, ୧୯୯୩ ପର୍ଯ୍ୟନ୍ତ ଏହି ଗଣନାର ଆକଳନ ବାସ୍ତବ ଜନସଂଖ୍ୟା ସହ ପ୍ରାୟ ମେଳ ଖାଇକି ବି ଚାଲୁଥିଲା । କିନ୍ତୁ ଏହା ପରେ ବିଶ୍ୱ ଜନସଂଖ୍ୟା ବୃଦ୍ଧିର ଗତି ଆକଳନଠାରୁ ଧୀର ହେବାକୁ ଲାଗିଲା। ଆଉ ଜନସଂଖ୍ୟା ହାର ଏତେ ହ୍ରାସ ହେବାକୁ ଲାଗିଲା ଯେ, ଆଜି ବିଶ୍ୱରେ ଶିଶୁ ଜନ୍ମ ହାର ୧୯୬୦ ମସିହା ତୁଳନାରେ ଅଧାରୁ ମଧ୍ୟ କମ୍ ହୋଇଯାଇଛି। ଆଉ ସ୍ଥିତି ଏପରି ହୋଇଛି ଯେ, ଚୀନ୍‌, ଦକ୍ଷିଣ କୋରିଆ, ଜାପାନ ଓ ସିଙ୍ଗାପୁର ଭଳି ଦେଶ ଜନ୍ମହାର ବଢ଼ାଇବା ପାଇଁ ବିଭିନ୍ନ ଯୋଜନା ଓ ଆର୍ଥିକ ପ୍ରୋତ୍ସାହନ ଦେଉଛନ୍ତି।

କେବଳ ବିଦେଶରେ ନୁହେଁ, ଭାରତରେ ମଧ୍ୟ ଏହି ଚିନ୍ତା ଦେଖାଦେଇଛି। ବିଶେଷକରି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଜନ୍ମହାର ହ୍ରାସକୁ ନେଇ ଚିନ୍ତା ପ୍ରକାଶ କରିବା ସହ ଅଧିକ ସନ୍ତାନ ଜନ୍ମ ପାଇଁ ପରିବାରଗୁଡ଼ିକୁ ଉତ୍ସାହିତ କରିବା ଲାଗି ଜନସଂଖ୍ୟା ପରିଚାଳନା ନୀତି ଆଣିଛନ୍ତି। ଏଥିରେ ଦ୍ୱିତୀୟ ଓ ତୃତୀୟ ସନ୍ତାନ ପାଇଁ ଆର୍ଥିକ ସହାୟତା ଭଳି ପ୍ରସ୍ତାବ ମଧ୍ୟ ରହିଛି। ଯାହାକି ଆକଳନର ପୂରା ଓଲଟା ।

ତେଣୁ ଏହା କେବଳ ଏକ ବୈଜ୍ଞାନିକ ଆକଳନ । ସବୁବେଳେ ଯେ, ବୈଜ୍ଞାନିକଙ୍କ ଆକଳନ ସତ ହେବ ତାହାର କିଛି ମାନେ ନାହିଁ । ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ । ଆଶା କରାଯାଉଛି, ନଭେମ୍ବର ୧୩ ତାରିଖ ସକାଳେ ଆମେ ସମସ୍ତେ ଅନ୍ୟ ଦିନ ଭଳି ଏକ ସାଧାରଣ ଦିନକୁ ହିଁ ଦେଖିବାକୁ ପାଇବା।

ତଥାପି, ଏହି ଗବେଷଣା ପ୍ରବନ୍ଧଟି ବିଜ୍ଞାନର ଗଭୀର ତଥ୍ୟକୁ ନାଟକୀୟ ଉପସ୍ଥାପନା ଶୈଳୀ ସହ ମିଶାଇ କିପରି ଲୋକଙ୍କ ମନରେ ଗଭୀର ପ୍ରଭାବ ପକାଇହୁଏ, ତାହାର ଏକ ଉଲ୍ଲେଖନୀୟ ଉଦାହରଣ ହୋଇ ରହିଛି। ଯାହାର ଚର୍ଚ୍ଚା ମଝିରେ ମଝିରେ ସାମ୍ନାକୁ ଆସୁଛି ।

Leave A Reply

Your email address will not be published.