Latest Odisha News

BREAKING NEWS

ବାଣଫୁଟା ସପକ୍ଷରେ ଆରଏସ୍‌ଏସ୍ ମୁଖ୍ୟ ମୋହନ ଭାଗୱତଙ୍କ ଯୁକ୍ତି: ‘ଏହା ବାତାବରଣକୁ ଶୁଦ୍ଧ କରିଥାଏ’

ନାଗପୁର: ଦୀପାବଳି ପରେ ଦିଲ୍ଲୀ ଓ ମୁମ୍ବାଇ ସମେତ ଦେଶର ବିଭିନ୍ନ ପ୍ରମୁଖ ସହରରେ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ବାଣ ଫୁଟାଇବା ପରମ୍ପରା ସପକ୍ଷରେ ବଡ଼ ବୟାନ ଦେଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ। ନାଗପୁରଠାରେ ଆୟୋଜିତ ଏକ ‘ଦୀପାବଳି ମିଳନ’ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, ପୂର୍ବ କାଳରେ ବ୍ୟବହୃତ ହେଉଥିବା ବାଣରେ କୌଣସି ପ୍ରକାରର କ୍ଷତିକାରକ ରାସାୟନିକ ପଦାର୍ଥ ନଥିଲା । ସେହି ବାଣର ଧୂଆଁ କୀଟପତଙ୍ଗଙ୍କୁ ନଷ୍ଟ କରିବା ସହ ପରିବେଶକୁ ବିଶୁଦ୍ଧ କରୁଥିଲା।

ପାରମ୍ପରିକ ପର୍ବପର୍ବାଣି ପଛରେ ଥିବା ବୈଜ୍ଞାନିକ କାରଣ ଉପରେ ଆଲୋକପାତ କରି ଭାଗବତ କହିଛନ୍ତି, “ଆଜିକାଲି ଭଳି ପୂର୍ବ ସମୟର ବାଣ କୌଣସି କୃତ୍ରିମ ରାସାୟନିକ ଦ୍ରବ୍ୟରେ ତିଆରି ହେଉନଥିଲା। ବିଶେଷ କରି ଫସଲ ଅମଳ ଋତୁରେ ଏହାର ଧୂଆଁ କ୍ଷତିକାରକ କୀଟପତଙ୍ଗ ଓ ପୋକଜୋକଙ୍କୁ ମାରିବାରେ ସାହାଯ୍ୟ କରୁଥିଲା ଏବଂ ଏକ ପ୍ରକାର ବାୟୁମଣ୍ଡଳକୁ ସୁସ୍ଥ ରଖୁଥିଲା।” ସେହିପରି ଦୀପାବଳିରେ ଘିଅ ଓ ତେଲ ଦୀପ ଜଳାଇବା ପଛରେ ମଧ୍ୟ ଗଭୀର ବିଜ୍ଞାନ ରହିଛି, ଯାହା ପରିବେଶରେ ଏକ ସ୍ୱତନ୍ତ୍ର ପ୍ରକାରର ଶୁଦ୍ଧ ବାୟୁ ସୃଷ୍ଟି କରିଥାଏ ବୋଲି ସେ ମତ ଦେଇଛନ୍ତି।

ପର୍ବପର୍ବାଣି ସମାଜକୁ ସବୁବେଳେ ଜୀବନ୍ତ ଓ ଚଳଚଞ୍ଚଳ ରଖେ ବୋଲି ଦର୍ଶାଇ ଆରଏସଏସ ମୁଖ୍ୟ କହିଛନ୍ତି ଯେ, କେତେକ ବ୍ୟକ୍ତିଙ୍କ ବିରୋଧ ସତ୍ତ୍ୱେ ଭାରତୀୟ ସନାତନ ପର୍ବପର୍ବାଣି କେବେ ବି ବନ୍ଦ ହେବ ନାହିଁ । ଲୋକମାନେ ପାରମ୍ପରିକ ପ୍ରଥାର ପ୍ରକୃତ ମହତ୍ତ୍ୱ ବୁଝି ସଠିକ୍ ଭାବନାରେ ପର୍ବ ପାଳନ କଲେ ଉଭୟ ମଣିଷ ଓ ପ୍ରକୃତି ଉପକୃତ ହେବେ। ଦୀପାବଳି ହେଉଛି ଅନ୍ଧକାର ଉପରେ ଆଲୋକର ବିଜୟ ତଥା ଜ୍ଞାନ ବିସ୍ତାରର ପ୍ରତୀକ। ବର୍ତ୍ତମାନ ଆମେରିକା ଓ ବ୍ରିଟେନ ସଂସଦ ଭଳି ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଦୀପାବଳିକୁ ସ୍ୱୀକୃତି ଓ ଆଦର ମିଳୁଥିବା ସେ ଖୁସି ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.