ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ମୁମ୍ବାଇସ୍ଥିତ ବାସଭବନ ‘ଜଲ୍ସା’କୁ ପୁଣିଥରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଆଜି (ନଭେମ୍ବର ୧୨, ୨୦୨୬) ସକାଳେ ଏକ ଅଜଣା ଇ-ମେଲ୍ ମାଧ୍ୟମରେ ଏହି ଧମକ ଆସିବା ପରେ ମୁମ୍ବାଇ ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି। ବିଗ୍ ବି’ଙ୍କ ବଙ୍ଗଳାକୁ ଉଡ଼ାଇ ଦେବାକୁ ଇ-ମେଲ୍ ଯୋଗେ ଧମକ ଆସିଛି। ମୁମ୍ବାଇ ମେୟରଙ୍କ ଅଫିସ୍ ଓ ଏୟାରପୋର୍ଟକୁ ମଧ୍ୟ ଉଡ଼ାଇଦେବାକୁ ଧମକ ଆସିଛି।
ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୧୦ଟା ୫୨ ମିନିଟ୍ରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ମୁମ୍ବାଇ ଜୋନାଲ୍ ଅଫିସ୍, ଲୋକାଲ୍ କ୍ରାଇମ୍ ବ୍ରାଞ୍ଚ (LCB) ଏବଂ ଜାଭେରୀ ବଜାର ଶାଖାକୁ ଏକ ଇ-ମେଲ୍ ଆସିଥିଲା। ଏହି ମେଲ୍ରେ ଅମିତାଭ ବଚ୍ଚନଙ୍କ ଘର ‘ଜଲ୍ସା’, ମୁମ୍ବାଇ ମେୟରଙ୍କ କାର୍ଯ୍ୟାଳୟ, ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର, ମହାଲକ୍ଷ୍ମୀ ଷ୍ଟାଡିୟମ୍ ଏବଂ ପିଏନ୍ବି ବ୍ୟାଙ୍କ ଶାଖାରେ ବୋମା ବିସ୍ଫୋରଣ କରିବାକୁ ଧମକ ଦିଆଯାଇଛି।
ଖବର ପାଇବା ମାତ୍ରେ ମୁମ୍ବାଇ ପୁଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ (BDDS) ଘଟଣାସ୍ଥଳରେ ପହଞ୍ଚି ‘ଜଲ୍ସା’ ସମେତ ଅନ୍ୟ ସମସ୍ତ ସ୍ଥାନରେ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନରୁ ସନ୍ଦିଗ୍ଧ ସାମଗ୍ରୀ ମିଳିନାହିଁ ଏବଂ ଏହା ଏକ ଗୁଜବ (Hoax) ବୋଲି ଜଣାପଡ଼ିଛି। ଗତ କିଛି ସପ୍ତାହ ମଧ୍ୟରେ ଅମିତାଭ ବଚ୍ଚନଙ୍କ ଘରକୁ ଏହା ତୃତୀୟ ଥର ପାଇଁ ବୋମା ଧମକ ମିଳିଛି। ଏହା ପୂର୍ବରୁ ଅକ୍ଟୋବର ୨୩ ଏବଂ ନଭେମ୍ବର ୬ ତାରିଖରେ ମଧ୍ୟ ସମାନ ଧରଣର ଇ-ମେଲ୍ ଆସିଥିଲା। ସୁରକ୍ଷା ଦୃଷ୍ଟିରୁ ଗତ ରବିବାର ଅମିତାଭ ବଚ୍ଚନ ଏକ ବୁଲେଟ୍ପ୍ରୁଫ୍ କାଚ ପଛରେ ଠିଆ ହୋଇ ନିଜ ପ୍ରଶଂସକମାନଙ୍କୁ ଭେଟିଥିଲେ।
