ମୁମ୍ବାଇ: ମୁମ୍ବାଇ ଲୋକାଲ୍ ଟ୍ରେନରେ ଅଘଟଣ । ବୋରିଭଲିରୁ ବିରାର ଯାଉଥିବା ଜଣେ ମହିଳାଙ୍କୁ ଅସଦାଚରଣ କରୁଥିବାରୁ ବିରୋଧ କରିଥିଲେ ମହିଳା । ଯୁକ୍ତିତର୍କ, ଗାଳିଗୁଲଜ ଓ ଚପଲ ଫିଙ୍ଗାଫୋପଡା ପରେ ମହିଳାଙ୍କୁ ରାଗରେ ଟ୍ରେନରୁ ତଳକୁ ଠେଲିଦେଲା ୫୩ ବର୍ଷୀୟ ଜୀତେନ୍ଦ୍ର ହିରାମୁଖେ । ମହିଳାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବେଳେ ପ୍ରାୟ ୧୬ଟି ଷ୍ଟିଚ୍ ପଡିଛି । ଏହାସହ ମହିଳା ଜଣଙ୍କ ଏହି ଦୁର୍ଘଟଣାରେ ତାଙ୍କର ବାମ ହାତ ହରାଇଛନ୍ତି । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ମହିଳାଙ୍କୁ ନାଇଗାଓଁ ଷ୍ଟେସନ ନିକଟରେ ଟ୍ରେନରୁ ଠେଲିଦେଇ ଖସି ପଳାଇବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସମ୍ପୃକ୍ତ ବ୍ୟକ୍ତି ନାଇଗାଓଁ ଇଷ୍ଟର ବାସିନ୍ଦା ।
ମହିଳାଙ୍କ ଅଭିଯୋଗ ଅନୁସାରେ ସମ୍ପୃକ୍ତ ବ୍ୟକ୍ତି ଟ୍ରେନରେ ତାଙ୍କୁ ଖରାପ ସ୍ପର୍ଶ କରୁଥିଲେ । ଯାହାର ବିରୋଧ କରିବାକୁ ଯାଇ ଜୀତେନ୍ଦ୍ର ଉପରେ ରାଗିବା ସହ ଚପଲ ଫିଙ୍ଗିିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ଯାତ୍ରୀମାନେ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଜୀତେନ୍ଦ୍ର ସେମାନଙ୍କୁ ଗାଳିଗୁଲଜ କରିବା ସହ ମହିଳାଙ୍କ ଉପରକୁ ମଧ୍ୟ ତାଙ୍କ ଚପଲ ଫିଙ୍ଗିଥିଲେ । ଟ୍ରେନ୍ ନାଇଗାଓ ଷ୍ଟେସନରେ ପହଂଚିବା ପରେ ମଧ୍ୟ ବଚସା ଜାରି ରହିଥିଲା । ଏହି ସମୟରେ ଅଭିଯୁକ୍ତ ଜୀତେନ୍ଦ୍ର ରାଗିଯାଇ ମହିଳାଙ୍କୁ ଟ୍ରେନ୍ ତଳକୁ ଠେଲିଦେଇଥିବା ଅଭିଯୋଗ ହୋଇଛି । ଫଳରେ ମହିଳା ଦୁଇଟି ବଗି ମଧ୍ୟରେ ଥିବା ଫାଙ୍କ ଭିତରେ ପଡିଯାଇଥିଲେ । ଜୀବନ ବିକଳରେ ପ୍ଲାଟଫର୍ମକୁ ଉଠିବାକୁ ଚେଷ୍ଟା କଲାବେଳେ ଟ୍ରେନ୍ ଚାଲିବା ଆରମ୍ଭ କରିଦେଇଥିଲା । ଫଳରେ ତାଙ୍କ ବାମ ହାତ କଟିଯାଇଛି । ସ୍ଥାନୀୟ ପୋଲିସ ଓ ଲୋକଙ୍କ ସହାୟତାରେ ତାଙ୍କୁ ମେଡିକାଲରେ ଭତ୍ତି ର୍ କରାଯାଇଥିଲା । ଅଭିଯୁକ୍ତ ଜୀତେନ୍ଦ୍ରକୁ ନଭେମ୍ବର ୯ତାରିଖରେ ଗିରଫ କରାଯାଇଛି ।
