Latest Odisha News

BREAKING NEWS

ରସଗୋଲା ଭାବି ଖାଇଦେଲେ ଦେଶୀ ବୋମା: ଚୋବାଇବା ମାତ୍ରେ ଭୟଙ୍କର ବିସ୍ଫୋରଣ, ଯୁବକ ମୃତ

ଡିଣ୍ଡୋରି: ମଧ୍ୟ ପ୍ରଦେଶର ଡିଣ୍ଡୋରିରୁ ଏକ ଚକିତ କରିଦେବା ଭଳି ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ରସଗୋଲା ଭାବି ଏକ ଦେଶୀ ବୋମା ଖାଇଦେବାରୁ ଭୟଙ୍କର ବିସ୍ଫୋରଣ ଘଟି ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ରାଜେନ୍ଦ୍ର ବରୌତିଆ (Rajendra Barautiya) ବୋଲି ଚିହ୍ନଟ କରାଯାଇଛି। ମଙ୍ଗଳବାର ରାତିରେ ଡିଣ୍ଡୋରୀ କୋତୱାଲି ଥାନା ଅନ୍ତର୍ଗତ ପଡ଼ରିଆ ଛାଣ୍ଟା (Padariya Chhanta) ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ ରାଜେନ୍ଦ୍ର ନିଜ ଘର ଅଗଣାରେ ନିଆଁ ପାଖରେ ବସିଥିବା ବେଳେ ତାଙ୍କର ଜଣେ ପରିଚିତ ଗ୍ରାମବାସୀ ରାମଭଗତ ବରୌତିଆ ସେଠାକୁ ଆସିଥିଲେ। କଥାବାର୍ତ୍ତା ସମୟରେ ଅଭିଯୁକ୍ତ ଜଣକ ରାଜେନ୍ଦ୍ରଙ୍କୁ ରସଗୋଲା କହି ଏକ ଦେଶୀ ବୋମା ଖାଇବାକୁ ଦେଇଥିଲେ। ଅନ୍ଧାର ଥିବାରୁ ରାଜେନ୍ଦ୍ର ତାହାକୁ ପ୍ରକୃତରେ ରସଗୋଲା ଭାବି ପାଟିରେ ପୁରାଇ କାମୁଡ଼ି ଦେଇଥିଲେ। କାମୁଡ଼ିବା ମାତ୍ରେ ପାଟି ଭିତରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡିଣ୍ଡୋରୀ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହା ବନ୍ୟଜନ୍ତୁ ବା ଜଙ୍ଗଲି ବାରହା ଶିକାର ପାଇଁ ବ୍ୟବହୃତ ହେଉଥିବା ଏକ ଦେଶୀ ବୋମା (pig-killer bomb) ଥିଲା। ପୋଲିସ ମୁଖ୍ୟ ଅଭିଯୁକ୍ତ ରାମଭଗତଙ୍କ ସମେତ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି। ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୫ ଏବଂ ବିସ୍ଫୋରକ ପଦାର୍ଥ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ଏହା କୌଣସି ଥଟ୍ଟାମଜା ନା ପୂର୍ବ ଶତ୍ରୁତାରୁ ଘଟିଛି, ସେନେଇ କୌଣସି ରିପୋର୍ଟ ଆସିନାହିଁ। ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.