ବ୍ୟୁରୋ: ୨୦୨୭ରେ ଆସିବ ବାବୁଶାନଙ୍କ ଅଭିନିତ ଚଳଚ୍ଚିତ୍ର ‘ନବରୂପ’ । ଫିଲ୍ମଟି ଓଡିଆ, ହିନ୍ଦୀ ଓ ତେଲୁଗୁ ୩ଟି ଭାଷାରେ ରିଲିଜ୍ ହେବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରଥମ ଥର ପାଇଁ ଏକ ଓଡିଆ ସିନେମାର ଡିଷ୍ଟ୍ରିବ୍ୟୁସନ ଦାୟିତ୍ୱ ନେଇଛି ବଲିଉଡର ପ୍ରସିଦ୍ଧ ପ୍ରଡକ୍ସନ ହାଉସ୍ ଧର୍ମା ପ୍ରଡକ୍ସନ । ଏନେଇ ଶୁକ୍ରବାର ଧର୍ମା ପ୍ରଡକ୍ସନ ପକ୍ଷରୁ ଫିଲ୍ମର ଏକ ପୋଷ୍ଟର ରିଲିଜ୍ କରାଯାଇଛି । ଯାହାକୁ ନେଇ ଓଲିଉଡ ଜଗତରେ ଖୁସି କହିଲେ ନସରେ । ପୋଷ୍ଟରରେ ବାବୁସାନ ଗୋଟିଏ ହତିଆର ଧରି ପାହାଡର ଉଚ୍ଚତ୍ତମ ସ୍ଥାନରେ ପଛ କରି ଠିଆ ହୋଇଥିବା ଦେଖିବାକୁ ମିଳିଛି । ଓଡିଆ ସିନେମା ଏତେ ବଡ ଆକାରରେ ନିଜର ପ୍ରମୋସନ କେବେ କରିବାର ଦେଖିବାକୁ ମିଳିନି । ସେପୁଣି ବିଶ୍ୱସ୍ତରରେ ବାବୁଶାନଙ୍କ ଫିଲ୍ମକୁ ପ୍ରମୋସନ କରାଯାଉଛି । ଏହା ହେଉଛି ଐତିହାସିକ ମୁହୂର୍ତ୍ତ । ଫିଲ୍ମର ସୁଟିଂ କୋରାପୁଟରେ ଆରମ୍ଭ ହୋଇଗଲାଣି । ବିଶେଷତଃ ଦେଓମାଳି, ପଟାଙ୍ଗୀ ଓ ଉପରକାନ୍ତିରେ ଏହାର ସୁଟିଂ ହୋଇଛି । ଫିଲ୍ମରେ ଅନ୍ୟ ଭାଇଟାଲ ରୋଲରେ ବଲିଉଡ ଅଭିନେତା ଆଶୁତୋଷ ରାଣା ଓ ଉଲକା ଗୁପ୍ତା ନଜର ଆସିବେ । ଆଶୁତୋଷ ରାଣାଙ୍କର ଫିଲ୍ମରେ ଉପସ୍ଥିତି ଫିଲ୍ମକୁ ମେନ୍ ୟୁଏସପି ଦେବା ସମ୍ଭାବନା ରହିଥିବା ବେଳେ ବଲିଉଡ ଫିଲ୍ମ ‘କେରଲାଷ୍ଟୋରୀ-୨’ରେ ଉଲକାଙ୍କ ଅଭିନୟର ପ୍ରଶଂସା ଖୁବ୍ ହୋଇଥିଲା ।

ଫିଲ୍ମର କାହାଣୀ ଓ ନିଦେ୍ର୍ଦଶନା ଦାୟିତ୍ୱ ଚିନ୍ମୟ ଦାସ ନେଇଥିବା ବେଳେ ବାବୁଶାନ ଫିଲ୍ମ ଓ ପ୍ରିଲ୍ୟୁଡ ୩୬୦ ବ୍ୟାନରରେ ଫିଲ୍ମ ତିଆରି ହେଉଛି । ଟି.ଶତପଥି ଓ ସୋନିଆ ଦୁବେ ଫିଲ୍ମର ପ୍ରଯୋଜନା କରୁଛନ୍ତି । ତେବେ ନବରୂପ ଫିଲ୍ମ ପାଇଁ ଏବଂ ଆମ ଓଡିଆ ଫିଲ୍ମ ଜଗତ ପାଇଁ ବଡ କଥା ହେଉଛି ଧର୍ମା ପ୍ରଡକ୍ସନ ଫିଲ୍ମର ବିଶ୍ୱସ୍ତରୀୟ ବିତରଣ ଦାୟିତ୍ୱ ନେଇଛି । ଏହାର ଅର୍ଥ ଫିଲ୍ମଟି କେବଳ ଘରୋଇ ସ୍ତରରେ ନୁହେଁ ଆପଣଙ୍କ ଚିନ୍ତାଧାରାରୁ ଉପରେ ପ୍ରମୋସନ ହେଉଛି । କେବଳ ଧର୍ମା ପ୍ରଡକ୍ସନ ନୁହେଁ, ଅଦର ପୁନାୱାଲା, ଅପୂର୍ବ ମେହତା ଓ ଭୂମିକା ଭନ୍ଦୁଲା ମଧ୍ୟ ଏଥିରେ ଅନ୍ତର୍ଭୂକ୍ତ ଅଛନ୍ତି । ତେବେ ଫିଲ୍ମର ରିଲିଜ୍ ଡେଟ୍ ଫାଇନାଲ୍ ହୋଇନଥିବା ବେଳେ ଆସନ୍ତା ବର୍ଷ ୨୦୨୭ରେ ଫିଲ୍ମଟି ଥିଏଟରକୁ ଆସିବ ବୋଲି ପୋଷ୍ଟରରେ ରିଭିଲ୍ ହୋଇଛି । ଦମନ ଫିଲ୍ମରୁ କେବଳ ଓଡିଶା ନୁହେଁ ବିଶ୍ୱସ୍ତରରେ ବାବୁଶାନଙ୍କ ଅଭିନୟର ଚର୍ଚ୍ଚା ଜୋର ଧରିଥିଲା । ଏବେ ‘ନବରୂପ’ ବାବୁଶାନଙ୍କ ବ୍ୟକ୍ତିତ୍ୱ ଓ କ୍ୟାରିଅରକୁ ଏକ ନୂଆ ଦିଶା ଦେଖାଇବ ବୋଲି ଆଶା କରାଯାଉଛି ।
