ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ‘ବାଗେଶ୍ୱର ବାବା’ଙ୍କ ମନ୍ତବ୍ୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ମଧ୍ୟପ୍ରଦେଶ ଜାତୀୟ ରାଜପଥରେ ଫସି ରହିଲେ ଶହ ଶହ ଲୋକ
ବାଗେଶ୍ୱର ଧାମର ମୁଖ୍ୟ ପୂଜକ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଓରଫ ‘ବାଗେଶ୍ୱର ବାବା’ ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ଦେଇଥିବା ଏକ ବିବାଦୀୟ ମନ୍ତବ୍ୟକୁ ନେଇ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର ଦିନ ଯାଦବ ମହାସଭା ଏବଂ ବାଗେଶ୍ୱର ଧାମ ସମର୍ଥକମାନେ ମୁହାଁମୁହିଁ ହେବା ଫଳରେ ପରିସ୍ଥିତି ସଂଘର୍ଷପୂର୍ଣ୍ଣ ହୋଇପଡ଼ିଥିଲା।
ଯାଦବ ମହାସଭା ପକ୍ଷରୁ ବାଗେଶ୍ୱର ଧାମ ଅଭିମୁଖେ ବିରୋଧ ପ୍ରଦର୍ଶନ ଓ ଶୋଭାଯାତ୍ରା ଡାକରା ଦିଆଯାଇଥିଲା। ଏହାର ପ୍ରତିବାଦରେ ବାଗେଶ୍ୱର ଧାମର ସମର୍ଥକମାନେ ବ୍ରିଜପୁରା ନିକଟସ୍ଥ ଚାରି ଲେନ୍ ବିଶିଷ୍ଟ ଜାତୀୟ ରାଜପଥ-୩୯ କୁ ଅବରୋଧ କରିଥିଲେ। ରାଜପଥ ଜାମ୍ ହେବା ଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା ଏବଂ ସାଧାରଣ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଉଭୟ ଗୋଷ୍ଠୀର ଲୋକେ ଲାଠି ଓ ପତାକା ଧରି ନାରାବାଜି କରିବାରୁ ହିଂସା ଆଶଙ୍କା ବଢ଼ିଯାଇଥିଲା। ସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରଶାସନ ପକ୍ଷରୁ ଛତରପୁର ରେଳ ଷ୍ଟେସନ ଓ ଧାମ ରାସ୍ତାରେ ୫୦୦ରୁ ଅଧିକ ପୋଲିସ କର୍ମଚାରୀ ମୁତୟନ କରାଯାଇଥିଲା। ପୋଲିସ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିବାକୁ ଚେଷ୍ଟା କରୁଥିବା ପ୍ରାୟ ୮୦ ଜଣ ଯାଦବ ମହାସଭା କର୍ମୀଙ୍କୁ ପୋଲିସ ଅଟକ ରଖି ପରେ ଛାଡ଼ି ଦେଇଛି। ସିସିଟିଭି ଓ ଡ୍ରୋନ୍ ଜରିଆରେ ସମ୍ବେଦନଶୀଳ ଅଞ୍ଚଳ ଉପରେ କଡ଼ା ନଜର ରଖାଯାଇଛି।
ଗତ ଅକ୍ଟୋବର ୨୯ ତାରିଖରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଧୀରେନ୍ଦ୍ର ଶାସ୍ତ୍ରୀ ଭଗବାନ ରାମ ଓ ଶ୍ରୀକୃଷ୍ଣଙ୍କ ତୁଳନା କରି କୃଷ୍ଣଙ୍କ ଉପରେ କିଛି ଟିପ୍ପଣୀ ଦେଇଥିଲେ, ଯାହାକୁ ନେଇ ଯାଦବ ସମାଜ ଓ ବିଭିନ୍ନ ସଙ୍ଗଠନ ଧାର୍ମିକ ଭାବନା ଆହତ ହୋଇଥିବା ଅଭିଯୋଗ କରିଛନ୍ତି। ତେବେ ବିବାଦ ବଢ଼ିବା ପରେ ବାଗେଶ୍ୱର ବାବା ଏକ ଭିଡିଓ ବାର୍ତ୍ତା ଜାରି କରି ଭଗବାନ ରାମ ଓ କୃଷ୍ଣ ଏକ ବୋଲି କହିବା ସହ କାହାର ମନରେ କଷ୍ଟ ଲାଗିଥିଲେ ସେଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।
