ନୂଆଦିଲ୍ଲୀ: ଅଣ୍ଡର-୧୯ ଏସିଆ କପ୍ ଫାଇନାଲ୍ରେ ପାକିସ୍ତାନ ବିପକ୍ଷରେ ଭାରତର ଐତିହାସିକ ବିଜୟ ପରେ ଯୁବ ଓପନର୍ ଆର୍ଯ୍ୟବୀର ସେହୱାଗ୍ ନିଜ ବାପା ତଥା ପୂର୍ବତନ ଭାରତୀୟ କ୍ରିକେଟର୍ ବୀରେନ୍ଦ୍ର ସେହୱାଗ୍ଙ୍କ ସହ ଭିଡିଓ କଲ୍ରେ ମ୍ୟାଚ୍ର ରୋମାଞ୍ଚକର ମୁହୂର୍ତ୍ତ ବାଣ୍ଟିଛନ୍ତି। ବୀରେନ୍ଦ୍ର ସେହୱାଗ୍ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ବାର୍ତ୍ତାଳାପର ଭିଡିଓ ସେୟାର କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓ କଲ୍ରେ ଆର୍ଯ୍ୟବୀର କହିଛନ୍ତି ଯେ ମ୍ୟାଚ୍ ସମୟରେ କହୁଣିରେ ବଲ୍ ବାଜିବାରୁ ଫିଜିଓ ପଡ଼ିଆକୁ ଆସିଥିଲେ। ସେହି ସମୟରେ ଷ୍ଟାଡିୟମରେ ଉପସ୍ଥିତ ପ୍ରାୟ ୨,୦୦୦ ପାକିସ୍ତାନୀ ଦର୍ଶକ ‘ସେହୱାଗ୍, ସେହୱାଗ୍’ ନାରା ଦେଇ ତାଙ୍କୁ ଉତ୍ସାହିତ କରୁଥିଲେ, ଯାହା ଦେଖି ସେ ବେଶ୍ ଆଶ୍ଚର୍ଯ୍ୟ ଓ ଆନନ୍ଦିତ ହୋଇଥିଲେ। ଏହା ବ୍ୟତୀତ ଫାଇନାଲ୍ ମ୍ୟାଚ୍ର ଶେଷ ଓଭରରେ ଚାପ ବଢ଼ିବା ସମୟରେ ସେ ମନେମନେ କେବଳ ‘ସୀତା ରାମ, ସୀତା ରାମ’ ଜପ କରୁଥିଲେ ବୋଲି ବାପାଙ୍କୁ କହିଛନ୍ତି।
ଓମାନରେ ଖେଳାଯାଇଥିବା ଏହି ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୩୩୮ ରନ୍ର ବିଶାଳ ଲକ୍ଷ୍ୟ ରଖିଥିଲା। ଜବାବରେ ଆର୍ଯ୍ୟବୀର ଆହତ ସତ୍ତ୍ୱେ ୬୧ ବଲ୍ରୁ ୫୮ ରନ୍ର ଦମଦାର ପାଳି ଖେଳିଥିଲେ ଏବଂ ଅର୍ଦ୍ଧଶତକ ପରେ ବିରାଟ କୋହଲିଙ୍କ ଶୈଳୀରେ ‘ଲେଟ୍ ମାଇଁ ବ୍ୟାଟ୍ ଡୁ ଦ ଟକିଂ’ ସେଲିବ୍ରେସନ୍ କରିଥିଲେ। ଶେଷ ବଲ୍ରେ ମୋହିତ ଉଲଭାଙ୍କ ଚୌକା ବଳରେ ଭାରତ ୧ ୱିକେଟ୍ରେ ରୋମାଞ୍ଚକର ବିଜୟ ହାସଲ କରିଥିଲା।
ସମଗ୍ର ଟୁର୍ଣ୍ଣାମେଣ୍ଟରେ ୫ଟି ମ୍ୟାଚ୍ରୁ ୩୬୧ ରନ୍ ସଂଗ୍ରହ କରି ଆର୍ଯ୍ୟବୀର ‘ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ ବିବେଚିତ ହୋଇଛନ୍ତି। ପୁଅର ଏହି ସଫଳତାରେ ଗର୍ବିତ ବୀରେନ୍ଦ୍ର ସେହୱାଗ୍ ତାଙ୍କୁ ଆଶୀର୍ବାଦ ଦେବା ସହ ସାଥୀ ଖେଳାଳି ଙ୍କୁ ଆର୍ଯ୍ୟବୀରଙ୍କ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି।
