ମୁମ୍ବାଇ: କ୍ରିକେଟ୍ ମଇଦାନରେ ନିଜ ବ୍ୟାଟ୍ରେ ଇତିହାସ ରଚିଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ ପିଲାଦିନର ଏକ ଅମୂଲ୍ୟ ସ୍ମୃତିକୁ ଆଜି ବି ସାଇତି ରଖିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ (ଡେବ୍ୟୁ) କରିବାର ୩୭ ବର୍ଷ ପୂର୍ତ୍ତି ଅବସରରେ ସଚିନ ସୋସିଆଲ ମିଡିଆରେ ନିଜର ଏକ ପୁରୁଣା ପିଲାଦିନର ଫଟୋ ଏବଂ ସେହି ସମାନ ପୋଜ୍ରେ ବର୍ତ୍ତମାନର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ନିଜ ଜୀବନର ପ୍ରଥମ କ୍ରିକେଟ୍ ବ୍ୟାଟ୍ ଧରିଥିବାର ନଜର ଆସିଛନ୍ତି । ସଚିନ ପୋଷ୍ଟରେ ଲେଖିଛନ୍ତି ଯେ, ପ୍ରଥମ ବ୍ୟାଟ୍ର କଥା ହିଁ ନିଆରା, ୪୯ ବର୍ଷ ପରେ ବି ଏହା ମୋ ସାଥିରେ ଅଛି ! ଦୀର୍ଘ ପ୍ରାୟ ୫ ଦଶନ୍ଧି ଧରି ନିଜର ପ୍ରଥମ ବ୍ୟାଟ୍କୁ ଯତ୍ନର ସହ ସାଇତି ରଖିବା କ୍ରିକେଟ୍ ପ୍ରତି ତାଙ୍କର ଗଭୀର ଭଲପାଇବା ଓ ସମର୍ପଣକୁ ଦର୍ଶାଉଛି । ସଚିନ ତେନ୍ଦୁଲକର ୧୯୮୯ ମସିହା ନଭେମ୍ବର ୧୫ ତାରିଖରେ ପାକିସ୍ତାନ ବିପକ୍ଷରେ କରାଚୀଠାରେ ମାତ୍ର ୧୬ ବର୍ଷ ବୟସରେ ଟେଷ୍ଟ କ୍ରିକେଟ୍ରେ ଡେବ୍ୟୁ କରିଥିଲେ ।
ସେ ପ୍ରାୟ ୨୪ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ପରେ ୨୦୧୩ ନଭେମ୍ବର ୧୬ରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ନିଜର ୨୦୦ତମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳି କ୍ରିକେଟ୍କୁ ଅଲବିଦା କହିଥିଲେ । ଅନ୍ତର୍ଜାତୀୟ କ୍ରିକେଟ୍ରେ ୧୦୦ଟି ଶତକ ହାସଲ କରିବାର ବିଶ୍ୱ ରେକର୍ଡ ସଚିନଙ୍କ ନାମରେ ରହିଛି । ସେ ୨୦୦ଟି ଟେଷ୍ଟରୁ ୧୫,୯୨୧ ରନ୍ (୫୧ ଶତକ, ୬୮ ଅର୍ଦ୍ଧଶତକ) ଏବଂ ୪୬୩ଟି ଦିନିକିଆରୁ ୧୮,୪୨୬ ରନ୍ (୪୯ ଶତକ, ୯୬ ଅର୍ଦ୍ଧଶତକ) ସହ ମୋଟ ୩୪,୩୫୭ ଅନ୍ତର୍ଜାତୀୟ ରନ୍ ସଂଗ୍ରହ କରିଛନ୍ତି । ୨୦୧୦ରେ ସେ ଦିନିକିଆ କ୍ରିକେଟ୍ ଇତିହାସର ପ୍ରଥମ ଦ୍ୱିଶତକ ମଧ୍ୟ ହାସଲ କରିଥିଲେ । ୨୦୧୧ ମସିହାରେ ଭାରତର ଐତିହାସିକ ଦିନିକିଆ ବିଶ୍ୱକପ୍ ବିଜୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୨୦୧୪ରେ ସେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପାଇବାରେ ପ୍ରଥମ କ୍ରୀଡ଼ାବିତ୍ ହୋଇଥିଲେ ଏବଂ ୨୦୧୯ରେ ଆଇସିସି ହଲ୍ ଅଫ୍ ଫେମ୍ରେ ସାମିଲ ହୋଇଥିଲେ ।
