ଚଣ୍ଡିଗଡ଼: ଆଗାମୀ ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ନିଜର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି। ଏହି କ୍ରମରେ ପଞ୍ଜାବ ବିଜେପି ସଭାପତି କେୱଲ ସିଂହ ଧିଲୋଁ ନିର୍ବାଚନୀ ପ୍ରସ୍ତୁତି ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ କମିଟି ଗଠନ କରିଛନ୍ତି। ଗତ ଏପ୍ରିଲ ମାସରେ ଆମ୍ ଆଦମୀ ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେଇଥିବା ରାଜ୍ୟସଭା ସାଂସଦ ରାଘବ ଚଢ଼ା ଏବଂ ପୂର୍ବତନ କ୍ରିକେଟର ତଥା ସାଂସଦ ହରଭଜନ ସିଂହଙ୍କୁ ଦଳର ନିର୍ବାଚନୀ ଇସ୍ତାହାର କମିଟିରେ ସଦସ୍ୟ ଭାବେ ସାମିଲ କରାଯାଇଛି।
ପୂର୍ବତନ ରାଜ୍ୟସଭା ସାଂସଦ ଅବିନାଶ ରାୟ ଖାନ୍ନାଙ୍କୁ ୧୩ ଜଣିଆ ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏହି କମିଟି ଆଗାମୀ ନିର୍ବାଚନ ପାଇଁ ଦଳର ପ୍ରତିଶ୍ରୁତି ଓ ଇସ୍ତାହାର ପ୍ରସ୍ତୁତ କରିବ। ଏଥିରେ ରାଘବ ଚଢ଼ା ଏବଂ ହରଭଜନ ସିଂହଙ୍କ ବ୍ୟତୀତ ମନପ୍ରୀତ ସିଂହ ବାଦଲ, ଅଶ୍ୱିନୀ ଶର୍ମା, ରାଜିନ୍ଦର ଗୁପ୍ତା, ପରମପାଲ କୌର ଏବଂ ବରିଷ୍ଠ ଆଇନଜୀବୀ ଏଚ୍.ଏସ୍. ଫୁଲକା ସଦସ୍ୟ ରହିଛନ୍ତି।
ଅନ୍ୟପକ୍ଷରେ, ପଞ୍ଜାବର କ୍ଷମତାସୀନ ଆପ୍ ସରକାର ବିରୋଧରେ ଅଭିଯୋଗପତ୍ର ବା ‘ଚାର୍ଜସିଟ୍’ ପ୍ରସ୍ତୁତ କରିବା ପାଇଁ ପୂର୍ବତନ ସାଂସଦ ସୁନୀଲ ଜାଖଡ଼ଙ୍କ ଅଧ୍ୟକ୍ଷତାରେ ଏକ ୧୪ ଜଣିଆ ଚାର୍ଜସିଟ୍ କମିଟି ଗଠନ କରାଯାଇଛି। ଏହି କମିଟିରେ ଇକବାଲ ସିଂହ ଲାଲପୁରା, ବିଜୟ ସାମ୍ପଲା, ଏବଂ ଜଗମିତ ସିଂହ ବରାରଙ୍କୁ ସାମିଲ କରାଯାଇଛି। ଆଗାମୀ ଦିନରେ ଦଳ ପକ୍ଷରୁ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ କମିଟି ଘୋଷଣା କରାଯିବ ବୋଲି ପଞ୍ଜାବ ବିଜେପି ସଭାପତି କେୱଲ ସିଂହ ଧିଲୋଁ ସୂଚନା ଦେଇଛନ୍ତି।
