Latest Odisha News

BREAKING NEWS

ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍: ବ୍ରୋଞ୍ଜ ଜିତିଲେ ଭାରତୀୟ ମହିଳା ଦଳ

ଭୁବନେଶ୍ୱର:କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଉଦ୍‌ଯାପିତ ହୋଇଛି ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬। ଉଭୟ ପୁରୁଷ ଓ ମହିଳା ବର୍ଗରେ ହଙ୍ଗକଙ୍ଗ ଚାଇନା ଚାମ୍ପିୟନ୍‌ (ସ୍ବର୍ଣ୍ଣ ପଦକ) ହୋଇଛି। ସେହିପରି ଭାବେ ମାଲେସିଆ ଉଭୟ ପୁରୁଷ ଓ ମହିଳା ବର୍ଗରେ ଦ୍ଵିତୀୟ ସ୍ଥାନ (ରୌପ୍ୟ ପଦକ) ହାସଲ କରିଛି। ପୁରୁଷ ବର୍ଗରେ ଚାଇନିଜ ତାଇପେଇ ତୃତୀୟ ସ୍ଥାନ (ବ୍ରୋଞ୍ଜ ପଦକ) ହାସଲ କରିଥିବା ବେଳେ ମହିଳା ବର୍ଗରେ ଭାରତ ତୃତୀୟ ସ୍ଥାନ (ବ୍ରୋଞ୍ଜ ପଦକ) ହାସଲ କରିଛି।

ଆଜିର ଉଦ୍‌ଯାପନୀ ସମାରୋହରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାବିତ୍‌ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେ କହିଥିଲେ ଯେ, କଳିଙ୍ଗ ଷ୍ଟାଡ଼ିୟମ୍‌ରେ ସଫଳତାର ସହ ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬ ଆୟୋଜିତ ହୋଇଛି। ୨୦୧୮ ମସିହା ପରେ ଦୀର୍ଘ ୮ ବର୍ଷ ପରେ ଓଡ଼ିଶାରେ ଅନ୍ତର୍ଜାତୀୟ ସ୍ତରୀୟ ରଗ୍‌ବୀ ଚାମ୍ପିୟନସିପ୍ ଆୟୋଜିତ ହେବା ଆମ ପାଇଁ ଗର୍ବ ଓ ଗୌରବରେ ବିଷୟ। ଏହି ଚାମ୍ପିୟନସିପ୍‌ରେ ୧୦ଟି ଦେଶର ୧୭ ଟି ଟିମ୍ (୧୦ ଟି ପୁରୁଷ ଓ ୭ ଟି ମହିଳା ଟିମ୍) ଅଂଶଗ୍ରହଣ କରିଥିଲେ। ଭାରତର ମହିଳା ଟିମ୍ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସମସ୍ତ ବିଜେତା ଟିମ୍‌କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଏଥିସହ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ଓଡ଼ିଶା ବିଶ୍ୱ କ୍ରୀଡ଼ା ଜଗତରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ସହ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ ଉପରେ ଗୁରୁତ୍ୱାରୋପ କରାଯାଉଛି ।

ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍‌ ଠାରେ ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬ର ସଫଳ ଆୟୋଜନ ନିମନ୍ତେ ଭାରତୀୟ ରଗ୍‌ବୀ ଫୁଟବଲ ୟୁନିଅନ୍‌ର ସଭାପତି ରାହୁଲ ବୋଷ ଖୁସିବ୍ୟକ୍ତ କରିବା ସହ ରଗ୍‌ବୀରେ ବିକାଶ ପାଇଁ ଓଡ଼ିଶା ସରକାର ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ନିରନ୍ତର ଭାବେ ସହଯୋଗ ପ୍ରଦାନ କରିଛନ୍ତି ବୋଲି ବୋଷ ମତପ୍ରକାଶ କରିଛନ୍ତି।

ଆଜିର ଉଦ୍‌ଯାପନୀ ସମାରୋହରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ, ନିର୍ଦ୍ଦେଶକ ଡ଼ା. ୟେଦୁଲା ବିଜୟ, ରଗ୍‌ବୀ ଇଣ୍ଡିଆର ସେକ୍ରେଟାରୀ ଜି. ପ୍ରଭୁ, ଓଡ଼ିଶା ରଗ୍‌ବୀ ଫୁଟବଲ ଆସୋସିଏସନ୍‌ର ସଭାପତି ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.