Latest Odisha News

BREAKING NEWS

Cyclone Akwan: କେବେ ଓ କେଉଁ ପଟେ ଅତିକ୍ରମ କରିବ ସମ୍ଭାବ୍ୟ ବାତ୍ୟା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଅଧିକ ଘନୀଭୂତ ହୋଇ ଏକ ‘ଅତ୍ୟନ୍ତ ଭୀଷଣ ବାତ୍ୟା’ ରୂପ ନେବ। ତେବେ ଏହା ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳରେ, ନେଲ୍ଲୋର ଏବଂ ଟୁନି ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୋମବାର ଦିନ ସୂଚନା ଦେଇଛି।

ଆଇଏମଡି ଅନୁଯାୟୀ, ସ୍ଥଳଭାଗ ଅତିକ୍ରମ କରିବା ସମୟରେ ଏହି ବାତ୍ୟାରେ ପବନର ବେଗ ଘଣ୍ଟା ପ୍ରତି ୧୨୦ ରୁ ୧୩୦ କିଲୋମିଟର ରହିପାରେ ଏବଂ ଏହା ଘଣ୍ଟା ପ୍ରତି ୧୪୫ କିଲୋମିଟର ବେଗରେ ଝଟକା ସହ ବହିପାରେ।

ଦକ୍ଷିଣ-ପୂର୍ବ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଥିବା ଏହି ଗଭୀର ଅବପାତଟି ଘଣ୍ଟା ପ୍ରତି ୬ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଏହା ୧୧.୨° ଉତ୍ତର ଅକ୍ଷାଂଶ ଏବଂ ୮୬.୪° ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ହୋଇ ରହିଥିଲା। ଏହି ସ୍ଥାନଟି ଚେନ୍ନାଇରୁ ପ୍ରାୟ ୭୦୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବରେ, ବିଶାଖାପାଟଣାରୁ ୮୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ଏବଂ ଗୋପାଳପୁରରୁ ୯୧୦ କିଲୋମିଟର ଦକ୍ଷିଣ ଦିଗରେ ଅବସ୍ଥିତ।

ଏହା ଆଜି ସନ୍ଧ୍ୟା ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ଏବଂ ନଭେମ୍ବର ୧୭ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଏକ ‘ଭୀଷଣ ବାତ୍ୟା’ ରେ ପରିଣତ ହେବ। ଏହା ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ନଭେମ୍ବର ୨୦ ତାରିଖରେ ଏକ ‘ଅତ୍ୟନ୍ତ ଭୀଷଣ ବାତ୍ୟା’ ଭାବରେ ଉପକୂଳ ଅତିକ୍ରମ କରିବ।

‘ଅର୍ଣ୍ଣବ’ ଏବଂ ‘ମୁରାସୁ’ ବାତ୍ୟା ପରେ ଗତ ତିନି ସପ୍ତାହ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଏହା ତୃତୀୟ ବାତ୍ୟା ହେବ। ଯାହାର ନାମ ‘ଅକ୍ୱାନ’ (Akwan) ରଖାଯାଇଛି।

 

Leave A Reply

Your email address will not be published.