Latest Odisha News

BREAKING NEWS

ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ: ୧୧ ବର୍ଷ ତଳର ପୂର୍ବ ଶତ୍ରୁତାରୁ ବୀଭତ୍ସ ହତ୍ୟାକାଣ୍ଡ

ଘଷିପୁରା: କେନ୍ଦୁଝର ଘଷିପୁରାରେ ବୀଭତ୍ସ ହତ୍ୟାକାଣ୍ଡ। ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ। ୧୧ ବର୍ଷ ତଳର ପୂର୍ବ ଶତ୍ରୁତାରୁ ବୀଭତ୍ସ ହତ୍ୟାକାଣ୍ଡ। କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ପାତନା ହାଟପିଣ୍ଡି ଛକଠାରେ ୧୧ ବର୍ଷ ତଳର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ପଥରରେ ଛେଚି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୋମବାର ସକାଳେ ଏହି ଅଭାବନୀୟ ଘଟଣା ଘଟିଛି।

ମୃତ ବୃଦ୍ଧ ଜଣକ କରଞ୍ଜିଆପାଳ ଗାଁର ଭଗବାନ ପେଣ୍ଠେଇ ବୋଲି ଜଣାପଡ଼ିଛି। ଚମ୍ପାପାଳ ଗାଁର ଆରତ ପେଣ୍ଠେଇ ତାଙ୍କୁ ଏକୁଟିଆ ପାଇ ପଥରରେ ଛେଚି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ୨୦୧୫ ମସିହାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ଜଣକ ଭଗବାନଙ୍କ ଘର ପୋଡ଼ି ଦେଇଥିଲେ। ଏହି ଘରପୋଡ଼ି ମାମଲା ଏବେ ମଧ୍ୟ କୋର୍ଟରେ ବିଚାରାଧୀନ ଅଛି। କୋର୍ଟ ମାମଲାକୁ ନେଇ ମନରେ ରାଗ ରଖି ଅଭିଯୁକ୍ତ ଏହି ହତ୍ୟାକାଣ୍ଡ ଘଟାଇଥିବା ମୃତକଙ୍କ ପରିବାର ପକ୍ଷରୁ ସନ୍ଦେହ କରାଯାଉଛି।

ଖବର ପାଇ ଘଷିପୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଘଟଣା ପରେ ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି।

 

Leave A Reply

Your email address will not be published.