Latest Odisha News

BREAKING NEWS

Sheesh Mahal Opens: ଜନତାଙ୍କ ପାଇଁ ଖୋଲିବ କେଜ୍ରିଓ୍ବାଲଙ୍କ ବିବାଦିତ ‘ଶିଶମହଲ’! ଆସନ୍ତା ସପ୍ତାହରୁ ବୁଲିପାରିବେ ଲୋକେ, ଅନଲାଇନ୍‌ରେ ହେବ ବୁକିଂ

ନୂଆଦିଲ୍ଲୀ: ଦିଲ୍ଲୀର ରାଜନୀତିରେ ଚର୍ଚ୍ଚାରେ ରହିଆସିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ ‘ଶିଶମହଲ’ ଏବେ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ। ଦିଲ୍ଲୀର ସିଭିଲ୍‌ ଲାଇନ୍ସ ସ୍ଥିତ ୬, ଫ୍ଲାଗ୍‌ ଷ୍ଟାଫ୍‌ ରୋଡ୍‌ରେ ଥିବା ଏହି ବଙ୍ଗଳାକୁ ଆସନ୍ତା ସପ୍ତାହରୁ ଲୋକେ ବୁଲି ଦେଖିପାରିବେ। ମଙ୍ଗଳବାର ଦିଲ୍ଲୀର ପିଡବ୍ଲ୍ୟୁଡି ମନ୍ତ୍ରୀ ପ୍ରବେଶ ବର୍ମା ଏହି ଘୋଷଣା କରିଛନ୍ତି। ଏଥିପାଇଁ ଅନଲାଇନ୍‌ ରିଜର୍ଭେସନ୍‌ ବା ବୁକିଂ ବ୍ୟବସ୍ଥା କରାଯିବ।

ପୂର୍ବରୁ ଏହି ବଙ୍ଗଳାକୁ ଷ୍ଟେଟ୍‌ ଗେଷ୍ଟ ହାଉସ୍‌ରେ ପରିଣତ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ସାମ୍ବାଦିକ ଓ ସାଧାରଣ ଲୋକଙ୍କ ଆଗ୍ରହକୁ ଦେଖି ଏହାକୁ ଜନସାଧାରଣଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ହୋଇଛି। ପ୍ରଥମେ ଦେଶର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହା ବୁଲି ଦେଖାଯିବ। ଏନେଇ ଆସନ୍ତା ଏକରୁ ଦୁଇ ଦିନ ମଧ୍ୟରେ ସୂଚନା ଜାରି ହେବ। ବଙ୍ଗଳା ନିର୍ମାଣରେ କେତେ ଖର୍ଚ୍ଚ ହୋଇଛି ଏବଂ ଭିତରେ କେଉଁ ସବୁ ସୁବିଧା ରହିଛି, ତାହା ଗଣମାଧ୍ୟମକୁ ଦେଖାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ବିଜେପି ଏହି ସରକାରୀ ବଙ୍ଗଳାକୁ ‘ଶିଶମହଲ’ କହି ଆସୁଥିବାବେଳେ ଏହାର ନିର୍ମାଣ ଖର୍ଚ୍ଚକୁ ନେଇ ପୂର୍ବରୁ ବିବାଦ ହୋଇଥିଲା। ମନ୍ତ୍ରୀ ବର୍ମା ଅଭିଯୋଗ କରିଛନ୍ତି ଯେ, ଦିନେ ବଙ୍ଗଳା ଓ ଗାଡ଼ି ନ ନେବାକୁ ଦାବି କରୁଥିବା ବ୍ୟକ୍ତି ଏକାଧିକ ବଙ୍ଗଳାକୁ ଭାଙ୍ଗି ଏହି ଆଲିଶାନ୍‌ ବାସଭବନ ତିଆରି କରାଇଥିଲେ। ପୂର୍ବରୁ କେବଳ ଗୋଟିଏ କୋଠରି ଦେଖାଯାଉଥିଲା, ଯେଉଁଠି ବାବା ସାହେବ ଡ. ଭୀମରାଓ ଆମ୍ବେଦକର ଓ ସହିଦ ଭଗତ ସିଂହଙ୍କ ଫଟୋ ଲାଗିଥିଲା। କିନ୍ତୁ ଭିତରକୁ ଯିବାକୁ କାହାକୁ ଅନୁମତି ନଥିଲା। ଏବେ ଲୋକେ ସ୍ମାର୍ଟ ଲାଇଟ୍‌, ଦାମୀ ପରଦା ଓ ଭିଏତନାମର ମାର୍ବଲ ସମେତ ଭିତରର ସମସ୍ତ ସାଜସଜ୍ଜା ଦେଖିପାରିବେ ବୋଲି ସେ କହିଛନ୍ତି। ଏହାକୁ ଦୁର୍ନୀତିର ଏକ ବଡ଼ ଉଦାହରଣ ବୋଲି ମଧ୍ୟ ମନ୍ତ୍ରୀ ଅଭିହିତ କରିଛନ୍ତି।

ଅନ୍ୟପଟେ ଆମ୍‌ ଆଦମୀ ପାର୍ଟିର ଆନ୍ଦୋଳନ ଓ ସରକାରଙ୍କ କାର୍ଯ୍ୟକୁ ନେଇ ଉଠୁଥିବା ପ୍ରଶ୍ନର ଜବାବ ଦେଇ ବର୍ମା କହିଛନ୍ତି, ଗତ ୧୦ ବର୍ଷରେ ଯେଉଁମାନେ କାମ କରିପାରିନଥିଲେ, ସେମାନେ ଏବେ ସରକାରଙ୍କ କାମକୁ ପ୍ରଶ୍ନ କରୁଛନ୍ତି। ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ୍ଣ ନିୟମ ଅନୁସାରେ ହେଉଛି ଏବଂ କୌଣସି କମ୍ପାନୀକୁ କାମ ଦେବା ପୂର୍ବରୁ ନିର୍ଦ୍ଧାରିତ ଯୋଗ୍ୟତା ଯାଞ୍ଚ କରାଯାଉଛି। ଟେଣ୍ଡର ବାତିଲ୍‌ ହେଲେ ସମ୍ପୃକ୍ତ କମ୍ପାନୀ ଅଦାଲତର ଦ୍ୱାରସ୍ଥ ମଧ୍ୟ ହୋଇପାରିବ।

ବୁରାଡ଼ି ଅଞ୍ଚଳର ବିକାଶ ପାଇଁ ୧୫୦ କୋଟି ଟଙ୍କାର ସଡ଼କ ଓ ଡ୍ରେନେଜ୍‌ ପ୍ରକଳ୍ପ ମଞ୍ଜୁର ହୋଇଥିବା ମଧ୍ୟ ସେ ଦାବି କରିଛନ୍ତି। କୌଣସି ବିଧାୟକଙ୍କ କହିବା ଅନୁସାରେ ନୁହେଁ, ବରଂ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଏହି କାମ ହେଉଛି ବୋଲି ସେ କହିଛନ୍ତି।

ଯମୁନା ନଦୀରେ ଧଳା ଫେଣ ଓ ଆପ୍‌ ନେତା ସୌରଭ ଭରଦ୍ୱାଜଙ୍କ ପାଣି ପିଇବା ଚ୍ୟାଲେଞ୍ଜକୁ ନେଇ ମଧ୍ୟ ମନ୍ତ୍ରୀ ଜବାବ ରଖିଛନ୍ତି। ଦିଲ୍ଲୀରେ ଛଠ୍‌ ପର୍ବ ବଡ଼ ଆକାରରେ ପାଳନ ହୋଇଥିବା ଏବଂ ପ୍ରାୟ ୨,୫୦୦ ଘାଟରେ ପୂଜା ଆୟୋଜନ ହୋଇଥିବା ସେ କହିଛନ୍ତି। ତାଙ୍କ ଦାବି ଅନୁସାରେ, ଦିଲ୍ଲୀ ସୀମା ମଧ୍ୟରେ ଯମୁନାର ଯେଉଁ ଅଂଶ ପ୍ରବାହିତ ହେଉଛି, ସେଠାରେ ଫେଣ ନାହିଁ। ଓଖଲା ବ୍ୟାରେଜ୍‌ ପରେ ଉତ୍ତରପ୍ରଦେଶ ସୀମା ଆରମ୍ଭ ହେଉଥିବାରୁ ଫେଣ ସମସ୍ୟାକୁ ନେଇ ୟୁପି ସରକାରଙ୍କ ସହ ଆଲୋଚନା ଚାଲିଛି। ଏଥିସହ ଫେଣ ସୃଷ୍ଟି ରୋକିବା ପାଇଁ କେଉଁ ପରିବର୍ତ୍ତନ ଆବଶ୍ୟକ, ସେନେଇ RIR ପକ୍ଷରୁ ମଧ୍ୟ ଅଧ୍ୟୟନ କରାଯାଉଛି।

Leave A Reply

Your email address will not be published.