ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଅସୁରକ୍ଷିତ ଆବାସିକ ଓ ବ୍ୟବସାୟିକ କୋଠାଗୁଡିକ ସହ ଜଡିତ ଘଟିଥିବା ଦୁଃଖଦ ଘଟଣାବଳୀର ତାଲିକାରେ ଯୋଡି ହୋଇଛି ନୂଆ ଘଟଣା । ମଙ୍ଗଳବାର ପୂର୍ବ ଦିଲ୍ଲୀର ବିବେକ ବିହାର ଅଂଚଳରେ ଏକ ୨ମହଲା କୋଠା ଭୁଶୁଡି ପଡିବାରୁ ଜଣେ ବ୍ୟକ୍ତି ଓ ଜଣେ ଶିଶୁଙ୍କର ମୃତୁ୍ୟ ହୋଇଛି । ପୋଲିସ ଅନ୍ୟ ୪ଜଣଙ୍କୁ ଉଦ୍ଧାର କରିଥିବା ସୂଚନା ମଳିଛି । ମୃତକ ହେଉଛନ୍ତି ୨୭ ବର୍ଷୀୟ ଦେବାଂଶ ଓ ୩ ବର୍ଷୀୟ ଖୁସବୁ ଏହି କୋଠାର ପ୍ରଥମ ମହଲାରେ ରହୁଥିଲେ ଦୁହେଁ । ଅନ୍ୟ ୪ଜଣ ଭଡାଟିଆ ଗ୍ରାଉଣ୍ଡ ଫ୍ଲୋରରେ ରହୁଥିଲେ । ଏ ସମସ୍ତେ ଶ୍ରମିକ ବୋଲି ଜଣାପଡିଛି । ଜାତୀୟ ରାଜଧାନୀରେ ଅସୁରକ୍ଷିତ ଆବାସିକ ତଥା ବ୍ୟବସାୟିକ କୋଠା ଯୋଗୁ ଘଟିଥିବା ଦୁର୍ଘଟଣା ତାଲିକାରେ ଏହି ଘଟଣା ନୂଆ ଉଦାହରଣ ସୃଷ୍ଟି କରିଛି ।
ପୂର୍ବରୁ ସେପଟେମ୍ବର ମାସରେ ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଂଚଳରେ ଏକ ୬ମହଲା କୋଠା ଭୁଷୁଡି ପଡିଥିଲା । ଏହି କୋଠାଟି ପେଇଂ ଗେଷ୍ଟ ବା ଭଡାଟିଆ ରହିବାକୁ ବ୍ୟବହୃତ ହେଉଥିଲା । ଏଥିରେ ୫ଜଣ ଛାତ୍ରଙ୍କ ସମେତ ମୋଟ୍ ୭ଜଣଙ୍କ ମୃତୁ୍ୟ ହୋଇଥିଲା । ତଦନ୍ତରୁ ଜଣାପଡିଥିଲା, କୌଣସି ଅନୁମୋଦିତ ନକ୍ସା ବିନା ଏହି ପୁରୁଣା କୋଠାକୁ ବେଆଇନ ଭାବେ ୫ ମହଲା ପର୍ଯ୍ୟନ୍ତ ବଢାଇ ଦିଆଯାଇଥିଲା ।
