Latest Odisha News

BREAKING NEWS

କିମ୍ସରେ ଜଟିଳ ଅସ୍ତ୍ରୋପଚାର; ନୂଆ ଜୀବନ ପାଇଲା ୪ ମାସର ଶିଶୁକନ୍ୟା

ଭୁବନେଶ୍ୱର: ଗଳା ଭିତରେ ଜିଭ ପାଇଁ ନଥିଲା ଆବଶ୍ୟକ ସ୍ଥାନ । ଜନ୍ମରୁ ଶିଶୁଟିର ତଳ ଜହ୍ନା ହାଡ଼ ଠିକ୍ ଭାବେ ବିକଶିତ ହୋଇନଥିଲା। ଫଳରେ ଏହା ଶ୍ୱାସନଳୀର ଅଧିକାଂଶ ଅଂଶକୁ ଅବରୋଧ କରୁଥିଲା। ଏଥିଯୋଗୁଁ ଶିଶୁଟିର ନିଃଶ୍ୱାସ ନେବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଥିଲା। ଏଥିସହିତ ତାର ତାଳୁ ମଧ୍ୟ ଫାଟି ରହିଥିଲା। ଡାକ୍ତରୀ ଭାଷାରେ ଏହି ବିରଳ ଜନ୍ମଗତ ତ୍ରୁଟିକୁ ‘ପିଏର ରବିନ୍ ସିଣ୍ଡ୍ରୋମ୍‌’ କୁହାଯାଏ।

ଏଭଳି ଅବସ୍ଥାରେ ଶିଶୁଟିକୁ ଅନେକ ହସ୍‍ପିଟାଲକୁ ନିଆଯାଇଥିଲେ ମଧ୍ୟ କୌଣସି ସଫଳ ମିଳିନଥିଲା। ଶେଷରେ ତାକୁ ଭୁବନେଶ୍ୱର କିମ୍‍ସରେ ଭର୍ତ୍ତି କରାଯାଇଥିଲା। ଶିଶୁର ଅବସ୍ଥା ଗୁରୁତର ଥିବାରୁ ତାକୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିଲା। ଦୀର୍ଘ ସମୟ ଧରି ଶ୍ୱାସକ୍ରିୟା ଆବଶ୍ୟକ ହେବ ବୋଲି ଡାକ୍ତରମାନେ ଆଶଙ୍କା କରି ଟ୍ରାକିଓଷ୍ଟୋମି ଅସ୍ତ୍ରୋପଚାର କରିଥିଲେ। ଏହାଦ୍ୱାରା ଶ୍ୱାସନଳୀକୁ ଏକ ବିକଳ୍ପ ପଥ ମିଳିଥିଲା। ଏହା କେବଳ ସାମୟିକ ସମାଧାନ ଥିଲା। ତଳ ମାଢ଼ି ହାଡ଼ର ଅପର୍ଯ୍ୟାପ୍ତ ବିକାଶ ଯୋଗୁଁ ଜିଭ ପାଇଁ ଆବଶ୍ୟକ ସ୍ଥାନ ନଥିବା ଏବଂ ଶ୍ୱାସପଥ ସଙ୍କୁଚିତ ରହିବାରୁ ମୂଳ ସମସ୍ୟା ଦୂର ହୋଇନଥିଲା।

ଏଭଳି ଜଟିଳ ପରିସ୍ଥିତିରେ କିମ୍‌ସ ଡାକ୍ତରମାନେ ‘ମାଣ୍ଡିବୁଲାର ଡିଷ୍ଟ୍ରାକ୍ସନ୍‌’ ନାମକ ଏକ ବିଶେଷ ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ପଦ୍ଧତିରେ ତଳ ମାଢ଼ି ହାଡ଼କୁ ଧୀରେ ଧୀରେ ଆଗକୁ ବଢ଼ାଯାଇ ଜିଭ ପାଇଁ ଅଧିକ ସ୍ଥାନ ସୃଷ୍ଟି କରାଯାଏ। ଫଳରେ ଶ୍ୱାସପଥ ଖୋଲିବା ସହ ଶ୍ୱାସକ୍ରିୟା ସ୍ୱାଭାବିକ ହୋଇଥାଏ।

ମାତ୍ର ୪ ମାସର ଶିଶୁଠାରେ କିମ୍‍ସ ଡାକ୍ତରମାନେ ଏଭଳି ବିରଳ ଅସ୍ତ୍ରୋପଚାର କରିଥିଲେ। କିମ୍‌ସର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ପ୍ରଫେସର ସୁନୀଲ କୁମାର ରାଉତ ଏବଂ ତାଙ୍କ ଟିମ୍ ଏହି ଜଟିଳ ଅସ୍ତ୍ରୋପଚାର କରିଥିବା ବେଳେ ପ୍ରଫେସର ଅମିତ ପ୍ରଧାନ ନିଶ୍ଚେତକ ବିଭାଗ ପକ୍ଷରୁ ସହଯୋଗ କରିଥିଲେ। ପରବର୍ତ୍ତୀ ୧୫ ଦିନ ମଧ୍ୟରେ ଶିଶୁଟିର ତଳ ମାଢ଼ି ହାଡ଼କୁ ଧୀରେ ଧୀରେ ଏକ ସେଣ୍ଟିମିଟର ଆଗକୁ ବଢ଼ାଯାଇଥିଲା। ଫଳରେ ଜିଭ ପାଇଁ ଆବଶ୍ୟକ ସ୍ଥାନ ସୃଷ୍ଟି ହେବା ସହ ଉପର ଶ୍ୱାସପଥ ଖୋଲିଯାଇଥିଲା। ଏହାଦ୍ୱାରା ଶିଶୁଟିର ଶ୍ୱାସକ୍ରିୟା ଜନିତ ସମସ୍ୟା ଯଥେଷ୍ଟ ହ୍ରାସ ପାଇଥିଲା।

ଶିଶୁଟି ସ୍ୱାଭାବିକ ଭାବେ ନିଃଶ୍ୱାସ ନେବାକୁ ସକ୍ଷମ ହେବା ପରେ କିମ୍‌ସର ଇଏନ୍‌ଟି ବିଭାଗର ଡାକ୍ତର ସତ୍ୟଞ୍ଜୟ ଟ୍ରାକିଓଷ୍ଟୋମି ଟ୍ୟୁବ୍‌କୁ ବନ୍ଦ କରିଥିଲେ। ସମଗ୍ର ଚିକିତ୍ସା ପ୍ରକ୍ରିୟାକୁ ପ୍ରଫେସର ସେବାରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱାଧୀନ ଶିଶୁରୋଗ ବିଶେଷଜ୍ଞ ଟିମ୍ ତଦାରଖ କରିଥିଲେ। ଶିଶୁକନ୍ୟାର ପିତା ବିଦୁର ମେହେର ସମସ୍ତ ଆଶା ଛାଡ଼ିଦେଇଥିଲେ ମଧ୍ୟ ଶେଷରେ କିମ୍‍ସ ବିଷୟରେ ଶୁଣି ଏଠାକୁ ଆସିଥିଲେ। ଅସ୍ତ୍ରୋପଚାର ପରେ ଏବେ ଆମ ଝିଅ ସୁସ୍ଥ ଅଛି ବୋଲି ସେ କହିଛନ୍ତି।

ପିଏର ରବିନ୍ ସିଣ୍ଡ୍ରୋମ୍ ଏକ ଜଟିଳ ଜନ୍ମଗତ ସମସ୍ୟା। ଏହାର ଚିକିତ୍ସା ପାଇଁ ଶିଶୁରୋଗ, ପ୍ଲାଷ୍ଟିକ୍ ସର୍ଜରୀ, ନିଶ୍ଚେତକ ଓ ଇଏନ୍‌ଟି ବିଭାଗର ବିଶେଷଜ୍ଞମାନଙ୍କ ମଧ୍ୟରେ ସମନ୍ୱୟ ଅତ୍ୟନ୍ତ ଜରୁରୀ। ବିଶେଷକରି ମାଣ୍ଡିବୁଲାର ଡିଷ୍ଟ୍ରାକ୍ସନ୍ ଏକ ଅତ୍ୟନ୍ତ ଜଟିଳ ଶଲ୍ୟଚିକିତ୍ସା ପଦ୍ଧତି ହୋଇଥିବାରୁ ଏଥିପାଇଁ କ୍ରାନିଓଫେସିଆଲ୍ ସର୍ଜରୀରେ ବିଶେଷ ଅଭିଜ୍ଞତା ଓ ଦକ୍ଷତା ଆବଶ୍ୟକ ବୋଲି କିମ୍‍ସର ଶିଶୁରୋଗ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଏହି ସଫଳତା ପାଇଁ କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସଂପୃକ୍ତ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇବା ସହ ଶିଶୁର ଆରୋଗ୍ୟ କାମନା କରିଛନ୍ତି।

 

Leave A Reply

Your email address will not be published.