ଭୁବନେଶ୍ଵର: ଛୁଇଁଲା ବାତ୍ୟା, ବଢ଼ିଲା ବର୍ଷା। ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା ‘ଅକୱାନ’। ଗୋପାଳପୁର ନିକଟରୁ ସ୍ଥଳଭାଗ ଅତିକ୍ରମ କରିଛି ବାତ୍ୟା। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ଦେଇଛନ୍ତି ସୂଚନା। ତେବେ ପ୍ରବଳ ବର୍ଷା ନେଇ ରାଜ୍ୟରେ ନାହିଁ ରେଡ ଆଲର୍ଟ। ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ବର୍ଷାର ପରିମାଣ ନେଇ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ସନ୍ଧ୍ୟାରେ ଅବପାତ, ରାତି ସୁଦ୍ଧା ଲଘୁଚାପରେ ହେବ ପରିଣତ । ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।
ମନୋରମା ମହାନ୍ତି କହିଛନ୍ତି ଯେ, ରାଜ୍ୟକୁ ଆଉ ରେଡ୍ ଆଲର୍ଟ ନାହିଁ। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପାଇଁ ୪ ଘଣ୍ଟା ସମୟ ଲାଗିଥିଲା। ଲ୍ୟାଣ୍ଡଫଲ୍ ବେଳେ ୭୦ ରୁ ୮୦ କିମି ବେଗରେ ପବନ ବହୁଥିଲା। ସେପଟେ ଆଗାମୀ ୨୪ ଘଣ୍ଟା ଗୁରୁତ୍ଵପୂର୍ଣ୍ଣ କହିଲେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଯେ, ୨୪ ଘଣ୍ଟା ପରେ ସ୍ଥିତି ସ୍ଵାଭାବିକ ହେବ। କୌଣସି ସ୍ଥାନରେ ଗମ୍ଭୀର ସ୍ଥିତି ଉପୁଜିନି । କିଛି ସ୍ଥାନରେ ଭୂସ୍ଖଳନ ରିପୋର୍ଟ ଆସିଛି ।
ଅଗ୍ନିଶମ, NDRF, ଓଡ୍ରାଫ୍ ଟିମ୍ ତୁରନ୍ତ ସମସ୍ୟା ଦୂର କରିଛନ୍ତି । ୧୫ ରୁ ୨୦ଟି ସ୍ଥାନରେ ଗଛ, ଡାଳ ପଡିଥିଲା । ଖବର ମିଳିବା ମାତ୍ରେ ତୁରନ୍ତ ରାସ୍ତା ପରିଷ୍କାର କରାଯାଇଛି । ବାତ୍ୟା ପାଇଁ ୨୫୩ଟି ବ୍ଲକ/ପୌରାଞ୍ଚଳ ଚିହ୍ନଟ ହୋଇଥିଲା । ୨୦ ଜିଲ୍ଲାର ୬୨୦୧ଟି ସ୍ଥାନ ସବୁଠୁ ଅଧିକ ପ୍ରଭାବିତ ଭାବେ ଚିହ୍ନଟ କରାଯାଇଥିଲା । ୩ ଲକ୍ଷ ୭୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ୩୦୨୮ ଆଶ୍ରୟସ୍ଥଳ କାର୍ଯ୍ୟକ୍ଷମ କରାଯାଇଥିଲା । ବାତ୍ୟା ପରେ କ୍ଷୟକ୍ଷତିର ଆକଳନ କରାଯିବ ।
