Latest Odisha News

BREAKING NEWS

ବାବୁବନ୍ଧ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କୁଲ ଯିବା ବେଳେ ଅଜଣା ଗାଡ଼ି ଧକ୍କାରେ ଜେଜେ ଓ ନାତି ମୃତ

ସମ୍ୱଲପୁର: ଏନ୍‌ଏଚ୍‌ ୫୩ ଗୋଶାଳା ବାବୁବନ୍ଧ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ ରାସ୍ତା ପାର୍‌ ହେଉଥିବା ଜେଜେ ଓ ନାତିଙ୍କର ମୃତ୍ୟୁ ଘଟିଛି। ନାତିକୁ ସ୍କୁଲ୍‌ରେ ଛାଡ଼ିବାକୁ ଜେଜେ ଯାଉଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ଜେଜେ-ନାତିଙ୍କ ଘର ସାନଟିକିରା ଗାଁରେ। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ କ୍ଷତିପୂରଣ ଓ ଅନ୍ୟାନ୍ୟ ଦାବିରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ସମ୍ୱଲପୁର ଜିଲ୍ଲା ଗୋଶାଳା ନିକଟସ୍ଥ ସାନଟିକିରା ଅଞ୍ଚଳର ପଣ୍ଡିତ ଅସୀମାନନ୍ଦ ଷଡ଼ଙ୍ଗୀଙ୍କ ପୁତ୍ର ପଣ୍ଡିତ ନିରଞ୍ଜନ ଷଡ଼ଙ୍ଗୀ ୫ମ ଶ୍ରେଣୀରେ ପଢ଼ୁଥିବା ତାଙ୍କ ନାତିଙ୍କୁ ସ୍କୁଲ ପଠାଇବା ପାଇଁ ବାବୁବନ୍ଧଠକ ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ। ସ୍କୁଲ୍ ବସକୁ ଅପେକ୍ଷା କରିଥିଲେ। ସେହି ସମୟରେ ରାସ୍ତା ପାର ବେଳେ ବରଗଡ଼ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ଟ୍ରକ୍ ଉଭୟଙ୍କୁ ଧକ୍କା ଦେଇଥିଲା। ଫଳରେ ଜେଜେ ଓ ନାତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବ୍ଯାପକ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଫଳରେ କିଛି ସମୟ ପାଇଁ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି ।

 

Leave A Reply

Your email address will not be published.