ବ୍ରାସିଲିଆ: ବାହ୍ୟ ଦୁନିଆଠାରୁ ଶହ ଶହ ବର୍ଷ ଧରି ସମ୍ପୂର୍ଣ୍ଣ ଦୂରରେ ରହିଆସୁଥିବା ବ୍ରାଜିଲର ଆମାଜନ୍ ଜଙ୍ଗଲର ଏକ ବିରଳ ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୨୦ ଜଣ ସଦସ୍ୟ ହଠାତ୍ ଜଙ୍ଗଲରୁ ବାହାରି ଏକ ଗାଁରେ ପହଞ୍ଚିଛନ୍ତି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ ବ୍ରାଜିଲର ମାରାନ୍ୟାଓ ରାଜ୍ୟ ଅନ୍ତର୍ଗତ ଆରାରିବୋଇଆ ଆଦିବାସୀ ଅଞ୍ଚଳରେ ଏହି ଘଟଣା ଘଟିଛି । ‘ଆୱେ’ ଜନଜାତିର ଏହି ଲୋକମାନେ ଗ୍ରାମବାସୀଙ୍କଠାରୁ ଖାଦ୍ୟ ମାଗି ନେଇ ପୁଣିଥରେ ଘଞ୍ଚ ଜଙ୍ଗଲ ଭିତରକୁ ଫେରିଯାଇଛନ୍ତି । ତେବେ ସେମାନଙ୍କର ଏହି ଅପ୍ରତ୍ୟାଶିତ ଆଗମନ ପଛରେ ଥିବା କାରଣ ଏବେ ପରିବେଶବିତ୍ ଏବଂ ମାନବାଧିକାର କର୍ମୀଙ୍କ ଚିନ୍ତା ବଢ଼ାଇ ଦେଇଛି। କ’ଣ ଥିଲା ପୂରା ଘଟଣା ? ଆଦିବାସୀ ଅଧିକାର ପାଇଁ କାର୍ୟ୍ୟ କରୁଥିବା ଅନ୍ତର୍ଜାତୀୟ ସଂଗଠନ ‘ସର୍ଭାଇଭାଲ୍ ଇଣ୍ଟରନ୍ୟାସନାଲ୍’ର ସୂଚନା ଅନୁଯାୟୀ, ନଭେମ୍ବର ୧୬ ତାରିଖରେ ‘ଆୱେ’ ଜନଜାତିର ପୁରୁଷ, ମହିଳା ଓ ଶିଶୁଙ୍କୁ ମିଶାଇ ପ୍ରାୟ ୨୦ ଜଣ ସଦସ୍ୟ ଜଙ୍ଗଲ ଧାରରେ ଥିବା ଏକ ଗାଁ ନିକଟକୁ ଆସିଥିଲେ । ଏହି ସମୟରେ ସେମାନଙ୍କର ସାକ୍ଷାତ ଏକ ସରକାରୀ ଟିମ୍ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ସହ ହୋଇଥିଲା । ଗ୍ରାମବାସୀ ସେମାନଙ୍କୁ ଖାଇବାକୁ ଦେବା ପରେ, ଏହି ଆଦିବାସୀ ଗୋଷ୍ଠୀ କନ୍ଦମୂଳ ମାଗିଥିଲେ ଏବଂ ତାହାକୁ ସାଥିରେ ନେଇ ପୁଣି ଜଙ୍ଗଲକୁ ଚାଲିଯାଇଥିଲେ ।
‘ଆୱେ’ ଜନଜାତିକୁ ପୃଥିବୀର ସବୁଠାରୁ ଅଧିକ ବିପଦର ସମ୍ମୁଖୀନ ହେଉଥିବା ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଗଣାଯାଏ । ସେମାନେ ମୁଖ୍ୟସ୍ରୋତର ସମାଜଠାରୁ ଦୂରରେ ରହି ଶିକାର ଏବଂ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ଜୀବିକା ନିର୍ବାହ କରନ୍ତି । ଊନବିଂଶ ଶତାବ୍ଦୀରେ ୟୁରୋପୀୟମାନଙ୍କ ଆଗମନ ଏବଂ ଜଙ୍ଗଲ ଉପରେ ବାହ୍ୟ ଲୋକଙ୍କ ଦଖଲ ବଢ଼ିବା ପରେ, ନିଜକୁ ସୁରକ୍ଷିତ ରଖିବା ପାଇଁ ଏହି ସମ୍ପ୍ରଦାୟର ଲୋକମାନେ ଯାଯାବର ଜୀବନ ଆପଣାଇ ନେଇଥିଲେ । ସ୍ଥାନୀୟ ଆଦିବାସୀ ସଂଗଠନ ‘କୋଆପିମା’ ଅନୁଯାୟୀ, ଜଙ୍ଗଲରୁ ଆସିଥିବା ଏହି ଗୋଷ୍ଠୀର ଅନେକ ସଦସ୍ୟ, ବିଶେଷକରି ଶିଶୁ ଓ ବୃଦ୍ଧମାନେ ଅତ୍ୟନ୍ତ କ୍ଷୀଣ ଓ ଅପପୁଷ୍ଟିର ଶିକାର ହୋଇଥିବା ଭଳି ଦେଖାଯାଉଥିଲେ । ଦୀର୍ଘ ସମୟ ଧରି ବାହ୍ୟ ଦୁନିଆଠାରୁ ଅଲଗା ରହିଥିବାରୁ ସେମାନଙ୍କ ଶରୀରରେ ସାଧାରଣ ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହୋଇନାହିଁ । ଫଳରେ ବାହ୍ୟ ଲୋକଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ସାଧାରଣ ଥଣ୍ଡା ବା ସଂକ୍ରମଣ ମଧ୍ୟ ସେମାନଙ୍କ ପାଇଁ ପ୍ରାଣଘାତୀ ସାବ୍ୟସ୍ତ ହୋଇପାରେ ।
