Latest Odisha News

BREAKING NEWS

Kataka Baliyatra: ଐତିହାସିକ କଟକ ବାଲିଯାତ୍ରା ନୌ ଡ୍ରୋନ୍‌ ଜୋନ୍‌ ଘୋଷିତ;ରାତି ୧୧ଟା ଯାଏଁ ଲାଉଡ୍‌ ସ୍ପିକର ବ୍ୟବହାର…

କଟକ:ଐତିହାସିକ ବାଲିଯାତ୍ରା ଆରମ୍ଭ ହେବା ପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛନ୍ତି କଟକ ଜିଲ୍ଲା ପ୍ରଶାସନ । ବାଲିଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଛି ଜିଲା ପ୍ରଶାସନ। ବାଲିଯାତ୍ରା ପଡ଼ିଆ ଓ ଏହାର ଆଖପାଖ ୫ କିଲୋମିଟର ପରିଧିକୁ ନୋ ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି। କଟକ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି। ନଭେମ୍ବର ୨୪ରୁ ଡିସେମ୍ବର ୩ ଯାଏଁ ଡ୍ରୋନ୍ ଉଡ଼ାଣ ଉପରେ ଲାଗିଛି କଟକଣା । ଏଥିସହ ଐତିହାସିକ ବାଲିଯାତ୍ରାରେ ରାତି ୧୧ଟା ପର୍ଯ୍ୟନ୍ତ ବାଜିବ ମାଇକ୍ ଓ ସାଉଣ୍ଡ ସିଷ୍ଟମ୍।

ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହେବ ଏହି ଐତିହାସିକ ମହୋତ୍ସବ। ଏଥିରେ ଦେଶର ବିଭିନ୍ନ ରାଜ୍ୟ ଓ ଜିଲାରୁ ସାଂସ୍କୃତିକ ଦଳ ଯୋଗଦେଇ ନିଜ ନିଜର କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟ ପ୍ରଦର୍ଶନ କରିବେ। ଏସିଆର ସର୍ବବୃହତ୍ ବାଣିଜ୍ୟ ମେଳା ଭାବେ ପରିଚିତ ଏହି ମହୋତ୍ସବକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ରାତି ୧୧ଟା ପର୍ଯ୍ୟନ୍ତ ଲାଉଡ୍‌ସ୍ପିକର ଓ ସାଉଣ୍ଡ ସିଷ୍ଟମ୍ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି।

ଚଳିତ ବର୍ଷ କଟକ ବାଲିଯାତ୍ରା ଉତ୍ସବକୁ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟ ଓ ଦେଶର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ବାଲିଯାତ୍ରାକୁ ଆସିବାକୁ ଥିବା ଭିଭିଆଇପି, ଭିଆଇପିଙ୍କ ସୁରକ୍ଷା ନିମନ୍ତେ ବାଲିଯାତ୍ରା ପଡ଼ିଆ ଓ ଏହାର ଆଖପାଖ ୫ କିଲୋମିଟର ପରିଧିକୁ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା କରାଯାଇଛି ।

ବିଜ୍ଞପ୍ତି ଅନୁସାରେ, ନଭେମ୍ବର ୨୨ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ନୋ-ଡ୍ରୋନ୍ ଜୋନ୍ ଅଞ୍ଚଳ ମଧ୍ୟରେ ପାରା ଗ୍ଲାଇଡର୍, ପାରା ମୋଟର୍, ପାୱାର ହ୍ୟାଙ୍ଗ୍ ଗ୍ଲାଇଡର୍, ମାଇକ୍ରୋ ଲାଇଟ୍ ଏୟାରକ୍ରାଫ୍ଟ, ହଟ୍ ଏୟାର ବେଲୁନ୍, ମନୁଷ୍ୟରହିତ ବାୟବୀୟ ଯାନ (ୟୁଏଭି) ଏବଂ ଡ୍ରୋନ୍ ଉଡ଼ାଣକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ନିର୍ଦ୍ଧାରିତ ଅଞ୍ଚଳ ଓ ସମୟସୀମା ମଧ୍ୟରେ ଏଭଳି ଉପକରଣ ବ୍ୟବହାର କରିବାକୁ ଇଚ୍ଛୁକ ବ୍ୟକ୍ତି ବା ସଂସ୍ଥାମାନେ ପୂର୍ବରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନ୍ୟାୟିକ ବିଭାଗରୁ ଆବଶ୍ୟକ ଅନୁମତି ନେବାକୁ କୁହାଯାଇଛି। ଯେଉଁମାନେ ବିନାନୁମତିରେ ଡ୍ରୋନ୍‌ଆଦି ଉଡ଼ାଇବେ ସେମାନଙ୍କ ଡ୍ରୋନ୍‌ ଜବତ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ଚଳିତ ବର୍ଷ ଐତିହାସିକ ବାଲିଯାତ୍ରା ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ମହାମହିମ ରାଷ୍ଟ୍ରପତି ଚଳିତବର୍ଷ ବାଲିଯାତ୍ରାକୁ ଉଦଘାଟନ୍ କରିବେ । ମହାମହିମଙ୍କ ଗସ୍ତରେ ସୁରକ୍ଷାକୁ ନେଇ ରାଜ୍ୟ ପୁଲିସ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଉଛି । ରାଷ୍ଟ୍ରପତି ପଡ଼ିଆରେ ଉପସ୍ଥିତ ରହିବା ସମୟରେ ପ୍ରାୟ ୧୦୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ । ସେହିପରି ପ୍ରାୟ ୧ ହଜାର ଅଧିକାରୀ ସୁରକ୍ଷା ଦାୟିତ୍ୱ ତଦାରଖ କରିବେ ।

Leave A Reply

Your email address will not be published.