ଆସନ୍ତା ୨୨ରେ ନାରାୟଣ ସେବା ସଂସ୍ଥାନ ପକ୍ଷରୁ ମେଗା ନିଃଶୁଳ୍କ ଦିବ୍ୟାଙ୍ଗ ସଂଶୋଧନ ଶିବିର;କୃତ୍ରିମ ଅଙ୍ଗ ପାଇଁ ନିଆଯିବ ମାପ
ପୁରୀ: ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଚିକିତ୍ସା ଓ ପୁନର୍ବାସ ମାଧ୍ୟମରେ ସମ୍ମାନଜନକ ଏବଂ ସ୍ୱାଧୀନ ଜୀବନଯାପନର ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ଉଦୟପୁରସ୍ଥିତ ନାରାୟଣ ସେବା ସଂସ୍ଥାନ ପକ୍ଷରୁ ଆସନ୍ତା ନଭେମ୍ବର ୨୨ ତାରିଖରେ ଓଡ଼ିଶାର ପୁରୀଠାରେ ଏକ ମେଗା ନିଃଶୁଳ୍କ ଦିବ୍ୟାଙ୍ଗ ସଂଶୋଧନ ଶିବିର ଆୟୋଜନ କରାଯିବ। ଏହି ଶିବିର ପୁରୀର ଅଠରନଳାସ୍ଥିତ ଆଇସ୍ ଫ୍ୟାକ୍ଟ୍ରି ନିକଟରେ ଥିବା ସିନେସ୍ କନଭେନସନ୍ଠାରେ ଅନୁଷ୍ଠିତ ହେବ। ଏଠାରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କର ଚିକିତ୍ସାଗତ ମୂଲ୍ୟାଙ୍କନ କରାଯିବା ସହିତ ସଂଶୋଧନମୂଳକ ଅସ୍ତ୍ରୋପଚାର ପାଇଁ ହିତାଧିକାରୀଙ୍କ ଚୟନ କରାଯିବ। ଏଥିସହ ମଡ୍ୟୁଲାର କୃତ୍ରିମ ଅଙ୍ଗ ପ୍ରସ୍ତୁତି ନିମନ୍ତେ ବୈଷୟିକ ମାପ ନିଆଯିବ।
ଶିବିରର ଉଦ୍ଘାଟନ ସକାଳ ୧୧ଟାରେ ହେବାକୁ ଥିବାବେଳେ ପଞ୍ଜୀକରଣ ଓ ଚିକିତ୍ସାଗତ ମୂଲ୍ୟାଙ୍କନ ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ।
ଶିବିରକୁ ଆସୁଥିବା ହିତାଧିକାରୀମାନେ ନିଜ ସହିତ ଆଧାର କାର୍ଡ, ଦିବ୍ୟାଙ୍ଗ ପ୍ରମାଣପତ୍ର ଏବଂ ଦିବ୍ୟାଙ୍ଗତା ସ୍ପଷ୍ଟ ଭାବେ ଦେଖାଯାଉଥିବା ଦୁଇଟି ପାସପୋର୍ଟ ସାଇଜ୍ ଫଟୋ ଆଣିବାକୁ ଅନୁରୋଧ କରାଯାଇଛି। ଅଧିକ ସୂଚନା ପାଇଁ ସଂସ୍ଥାନର ହେଲ୍ପଲାଇନ୍ ନମ୍ବର ୭୦୨୩୫-୦୯୯୯୯ ଏବଂ ୭୮୨୯୩-୦୦୦୦୦ରେ ଯୋଗାଯୋଗ କରିପାରିବେ।
ମାପ ନେବା ପ୍ରକ୍ରିୟା ସମାପ୍ତ ହେବାର ପ୍ରାୟ ଏକରୁ ଦୁଇ ମାସ ମଧ୍ୟରେ ଏକ ଅନୁଗାମୀ ଶିବିର ଆୟୋଜନ କରାଯିବ। ଏଥିରେ ହିତାଧିକାରୀମାନଙ୍କୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କୃତ୍ରିମ ଅଙ୍ଗ ନିଃଶୁଳ୍କ ଭାବେ ଯୋଗାଇ ଦିଆଯିବା ସହ ଫିଟିଂ କରାଯିବ। ଏହା ବ୍ୟତୀତ ଯେଉଁମାନଙ୍କର ସଂଶୋଧନମୂଳକ ଅସ୍ତ୍ରୋପଚାର ଆବଶ୍ୟକ, ସେମାନଙ୍କୁ ଚିକିତ୍ସାଗତ ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏହି ଅସ୍ତ୍ରୋପଚାର ଉଦୟପୁରସ୍ଥିତ ସଂସ୍ଥାନର ୱାର୍ଲ୍ଡ ଅଫ୍ ହ୍ୟୁମାନିଟି ହସ୍ପିଟାଲରେ ସମ୍ପୂର୍ଣ୍ଣ ନିଃଶୁଳ୍କ ଭାବେ କରାଯିବ।
ସଂସ୍ଥାନର ମିଡିଆ ଓ ଜନସମ୍ପର୍କ ବିଭାଗ ମୁଖ୍ୟ ଭଗବାନ ପ୍ରସାଦ ଗୌର ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳର ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଏହି ଶିବିରରେ ଯୋଗଦେଇ ନିଃଶୁଳ୍କ ସେବାର ସୁଯୋଗ ନେବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ସଂସ୍ଥାନର ଅଧ୍ୟକ୍ଷ ପ୍ରଶାନ୍ତ ଅଗ୍ରୱାଲଙ୍କ ଲକ୍ଷ୍ୟ ହେଉଛି, ଦିବ୍ୟାଙ୍ଗତା ଯେପରି କୌଣସି ବ୍ୟକ୍ତିଙ୍କ ଦକ୍ଷତା ଓ ଆକାଂକ୍ଷାର ପଥରେ ବାଧା ସୃଷ୍ଟି ନକରେ। ଏହି ଉଦ୍ଦେଶ୍ୟରେ ସଂସ୍ଥାନ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ନିଃଶୁଳ୍କ ଶିବିର ଆୟୋଜନ କରାଯାଉଛି।
ଶିବିର ସମ୍ପର୍କରେ ସୂଚନା ଦେବା ପାଇଁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭଗବାନ ପ୍ରସାଦ ଗୌର, ଶିବିର ପ୍ରଭାରୀ ରମେଶ ଶର୍ମା ଏବଂ ଫିଲ୍ଡ ଇନ୍ଚାର୍ଜ ଭରତ ପାଲିୱାଲ ଶିବିରର ପୋଷ୍ଟର ଉନ୍ମୋଚନ କରିବା ସହ ଆୟୋଜନ ସମ୍ପର୍କିତ ବିଭିନ୍ନ ବ୍ୟବସ୍ଥା ବିଷୟରେ ଗଣମାଧ୍ୟମକୁ ଅବଗତ କରାଇଥିଲେ।
ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଗୌର କହିଥିଲେ ଯେ, ସଂସ୍ଥାନର ସେବା ଦର୍ଶନ କେବଳ ଚିକିତ୍ସାରେ ସୀମିତ ନୁହେଁ। ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଆତ୍ମବିଶ୍ୱାସ, ମର୍ଯ୍ୟାଦା ଓ ସ୍ୱାଧୀନତାର ସହ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ହେଉଛି ସଂସ୍ଥାନର ବୃହତ୍ତର ଲକ୍ଷ୍ୟ। ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ସଂସ୍ଥାନର ପ୍ରତିଷ୍ଠାତା କୈଳାସ ‘ମାନବ’ଙ୍କ ପ୍ରେରଣାରେ ୧୯୮୫ ମସିହାରୁ ‘ନର ସେବା, ନାରାୟଣ ସେବା’ ମନ୍ତ୍ରକୁ ଆଧାର କରି ସଂସ୍ଥାନ ଅବହେଳିତ ଓ ଅସହାୟ ବର୍ଗର ଲୋକଙ୍କ ସେବା କରିଆସୁଛି। ଦୁର୍ଘଟଣା, ଜନ୍ମଗତ ବିକୃତି କିମ୍ବା ବିଭିନ୍ନ ରୋଗ ଯୋଗୁଁ ଦିବ୍ୟାଙ୍ଗ ହୋଇଥିବା ବ୍ୟକ୍ତିମାନଙ୍କୁ ଏହା ନିଃଶୁଳ୍କ ସଂଶୋଧନମୂଳକ ଅସ୍ତ୍ରୋପଚାର, କୃତ୍ରିମ ଅଙ୍ଗ ଓ କାଲିପର୍ସ ଯୋଗାଇ ଦେଉଛି। ଏହି ସେବାଭାବକୁ ଆହୁରି ବ୍ୟାପକ କରି ସଂସ୍ଥାନ ପକ୍ଷରୁ ଦିବ୍ୟାଙ୍ଗ ଗୋରୁଙ୍କ ପାଇଁ ମଧ୍ୟ କୃତ୍ରିମ ଅଙ୍ଗ ମାଧ୍ୟମରେ ପୁନର୍ବାସ ସହାୟତା ଆରମ୍ଭ କରାଯାଇଛି। ଏହା ନିର୍ବାକ ପ୍ରାଣୀଙ୍କ ପ୍ରତି ସଂସ୍ଥାନର କରୁଣା ଓ ସମ୍ବେଦନଶୀଳତାକୁ ପ୍ରତିଫଳିତ କରୁଛି।
ଶିବିରରେ ସଂସ୍ଥାନର ଅଭିଜ୍ଞ ଅର୍ଥୋଟିଷ୍ଟ ଓ ପ୍ରୋସ୍ଥେଟିଷ୍ଟମାନେ ହିତାଧିକାରୀଙ୍କ ଶାରୀରିକ ସ୍ଥିତି ଓ ଚିକିତ୍ସାଗତ ଆବଶ୍ୟକତା ଅନୁଯାୟୀ ମୂଲ୍ୟାଙ୍କନ କରିବେ। ଏଥିସହ ପ୍ରତ୍ୟେକଙ୍କ ଶରୀରର ଗଠନ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମଡ୍ୟୁଲାର କୃତ୍ରିମ ଅଙ୍ଗ ପ୍ରସ୍ତୁତି ପାଇଁ ସଠିକ୍ ମାପ ନିଆଯିବ। ଏହି ଆଧୁନିକ କୃତ୍ରିମ ଅଙ୍ଗଗୁଡ଼ିକ ହାଲୁକା, ଦୀର୍ଘସ୍ଥାୟୀ ଏବଂ ଆରାମଦାୟକ ଭାବେ ଚଳପ୍ରଚଳ କରିବା ସହ ଦୈନନ୍ଦିନ କାର୍ଯ୍ୟ ସମ୍ପାଦନରେ ସହାୟକ ହେବା ଭଳି ଡିଜାଇନ୍ କରାଯାଇଛି।
ଶିବିର ପ୍ରଭାରୀ ରମେଶ ଶର୍ମା ସୂଚନା ଦେଇ କହିଥିଲେ ଯେ, ଶିବିରକୁ ଆସୁଥିବା ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ସେମାନଙ୍କ ସହ ଆସୁଥିବା ପରିବାର ସଦସ୍ୟଙ୍କ ପାଇଁ ନିଃଶୁଳ୍କ ଭୋଜନ, ଚା’ ଓ ଜଳଖିଆର ବ୍ୟବସ୍ଥା କରାଯିବ। ଏହି ମହତ୍ ଉଦ୍ୟମରେ ପୁରୀର ଜନପ୍ରତିନିଧି, ବିଶିଷ୍ଟ ନାଗରିକ, ସମାଜସେବୀ ଏବଂ ବିଭିନ୍ନ ସାମାଜିକ ଓ ଧାର୍ମିକ ସଂଗଠନର ପ୍ରତିନିଧିମାନେ ମଧ୍ୟ ଯୋଗଦେବା ଆଶା କରାଯାଉଛି।
ସୂଚନାଥାଉକି, ୧୯୮୫ ମସିହାରେ ପ୍ରତିଷ୍ଠିତ ନାରାୟଣ ସେବା ସଂସ୍ଥାନ ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ଅବହେଳିତ ବର୍ଗର ଲୋକଙ୍କ ଚିକିତ୍ସା, ପୁନର୍ବାସ, ଶିକ୍ଷା ଓ ସଶକ୍ତୀକରଣ ଦିଗରେ କାର୍ଯ୍ୟ କରିଆସୁଛି। ସଂସ୍ଥାନର ପ୍ରତିଷ୍ଠାତା କୈଳାସ ‘ମାନବ’ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସେହିପରି, ସଂସ୍ଥାନର ଅଧ୍ୟକ୍ଷ ପ୍ରଶାନ୍ତ ଅଗ୍ରୱାଲ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସଶକ୍ତୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୩ ମସିହାରେ ଜାତୀୟ ପୁରସ୍କାର ଲାଭ କରିଛନ୍ତି।ଏପର୍ଯ୍ୟନ୍ତ ସଂସ୍ଥାନ ପକ୍ଷରୁ ୪,୫୬,୦୯୭ରୁ ଅଧିକ ନିଃଶୁଳ୍କ ସଂଶୋଧନମୂଳକ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଥିବାବେଳେ ୪୧,୦୧୨ରୁ ଅଧିକ କୃତ୍ରିମ ଅଙ୍ଗ ବଣ୍ଟନ କରାଯାଇଛି।
