ଇଣ୍ଡୋନେସିଆର ଯୋଗ୍ୟାକର୍ତ୍ତା ସହରରେ ଏକ ବଡ଼ ଧରଣର ଶିଶୁ ନିର୍ଯାତନା ଘଟଣାରେ ସ୍ଥାନୀୟ କୋର୍ଟ ‘ଲିଟଲ୍ ଅରେଶା’ ଡେ-କେୟାର ସେଣ୍ଟରର ପୂର୍ବତନ ପ୍ରିନ୍ସିପାଲ୍ ଅନିତା ପାଲୁପି ଇନ୍ଦାହସାରୀଙ୍କୁ ୫ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ତାଙ୍କୁ ୫୧ କୋଟି ଇଣ୍ଡୋନେସିଆୀୟ ରୁପିଆ ଜରିମାନା ମଧ୍ୟ କରାଯାଇଛି। ଯଦି ସେ ଜରିମାନା ନ ଦିଅନ୍ତି, ତେବେ ତାଙ୍କର ସମ୍ପତ୍ତି ଜବତ କରାଯାଇ ନିଲାମ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଚଳିତ ବର୍ଷ ଏପ୍ରିଲ୍ ମାସରେ ଏହି ଘଟଣା ସାମ୍ନାକୁ ଆସିଥିଲା। ପୁଲିସ୍ ଡେ-କେୟାର ସେଣ୍ଟରରେ ଚଢ଼ଉ କରିବା ସମୟରେ ଜାଣିବାକୁ ପାଇଥିଲା ଯେ, ସେଠାରେ ଛୋଟ ପିଲାମାନଙ୍କୁ ଅମାନୁଷିକ ଭାବେ ନିର୍ଯାତନା ଦିଆଯାଉଥିଲା । ପିଲାମାନେ ଅନ୍ୟମାନଙ୍କୁ ଯେପରି ବିରକ୍ତ ନ କରନ୍ତି, ସେଥିପାଇଁ କର୍ମଚାରୀମାନେ ସେମାନଙ୍କର ହାତ-ପାଦ କପଡ଼ାରେ ବାନ୍ଧି ରଖୁଥିଲେ ଏବଂ ଅଠର କିମ୍ବା କୋଡ଼ିଏ ଜଣ ପିଲାଙ୍କୁ ଏକ ଅତି କ୍ଷୁଦ୍ର କୋଠରୀରେ ବନ୍ଦ କରି ରଖୁଥିଲେ। ଏହି ବେଆଇନ ଡେ-କେୟାର ସେଣ୍ଟରରେ ପ୍ରାୟ ୧୪୪ ଜଣ ପିଲା ଶିକାର ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଥିଲା।
ସରକାରୀ ଓକିଲମାନେ ପ୍ରିନ୍ସିପାଲ୍ ଅନିତାଙ୍କ ପାଇଁ ୧୦ ବର୍ଷର ଜେଲ୍ ଦଣ୍ଡ ଦାବି କରିଥିଲେ। ମାତ୍ର କୋର୍ଟ ୫ ବର୍ଷର ଦଣ୍ଡ ଶୁଣାଇବା ପରେ ପୀଡ଼ିତ ଶିଶୁମାନଙ୍କ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପିଲାଙ୍କ ଅଧିକାର ଓ ସୁରକ୍ଷା ପାଇଁ ଏହି ସଜ୍ଜା ଅତି କମ ବୋଲି ଅଭିଭାବକମାନେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଏହି ମାମଲାରେ ପୂର୍ବରୁ ୧୧ ଜଣ କର୍ମଚାରୀଙ୍କୁ ୨ ରୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମିଳିସାରିଛି* ଏବଂ ମୁଖ୍ୟ ଅଭିଯୁକ୍ତ ତଥା ଅନ୍ୟ ପରିଚାଳକମାନଙ୍କ ବିରୁଦ୍ଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।
