ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ବିଭାଗ ଅନୁଗୋଳ ସାତକୋଶିଆ ବନ୍ୟପ୍ରାଣୀ ବିଭାଗର ଡିଏଫଓ କାର୍ଯ୍ୟାଳୟ ଅଧୀନ ‘ଏଷ୍ଟାବ୍ଲିସମେଣ୍ଟ ସେକ୍ସନ୍’ର ବରିଷ୍ଠ ସହାୟକ ଅଜୟ କୁମାର ନାଏକଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ୧.୨୩ କୋଟି ଟଙ୍କାରୁ ଅଧିକ ଅର୍ଥ ହେରଫେର ଅଭିଯୋଗ ରହିଛି।
ଏହି ଆର୍ଥିକ ଅନିୟମିତତା ସାମ୍ନାକୁ ଆସିବା ପରେ ଅକ୍ଟୋବର ୨୦୨୬ରୁ ଅଜୟ କୁମାର ନାଏକ ଫେରାର ଥିଲେ। ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ତାଙ୍କ ଗତିବିଧି ଉପରେ କଡ଼ା ନଜର ରଖିଥିଲା। ଗତକାଲି ରାତିରେ ଅନୁଗୋଳରେ ସେ ଏକ କାର୍ରେ ନିଜ ଘରକୁ ଯାଉଥିଲା ବେଳେ ତାଙ୍କୁ କାବୁ କରିଥିଲା ଟିମ୍।
ଓଡ଼ିଶା ଭିଜିଲାନ୍ସ ଅନୁଯାୟୀ, ୧.୨୩ କୋଟି ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ହେରଫେର ହୋଇଥିବା ନେଇ ଆସିଥିବା ଅଭିଯୋଗର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ‘ଏଷ୍ଟାବ୍ଲିସମେଣ୍ଟ ସେକ୍ସନ୍’ରେ କାର୍ଯ୍ୟରତ ଥିବା ସମୟରେ ନାଏକ ସୁଚିନ୍ତିତ ଭାବେ ସରକାରୀ ଅର୍ଥ ହଡ଼ପ କରିଥିଲେ। ଏହି ବିଭାଗ କର୍ମଚାରୀମାନଙ୍କ ଦରମା, ବ୍ୟବହାର ହୋଇନଥିବା ଛୁଟି ବାବଦ ଅର୍ଥ ଏବଂ ବକେୟା ରାଶି ପ୍ରଦାନ ପ୍ରକ୍ରିୟା ପରିଚାଳନା କରିଥାଏ।
ସେ ୧ ଜାନୁଆରୀ ୨୦୧୯ ରୁ ୩୦ ଜୁନ୍ ୨୦୨୫ ମଧ୍ୟରେ ମୋଟ ୧,୨୩,୫୨,୫୪୭ ଟଙ୍କା ହେରଫେର କରିଥିବା ଜଣାପଡ଼ିଛି।
ତଦନ୍ତରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ନାଏକ ‘ଏଚ୍ଆର୍ଏମ୍ଏସ୍’ ପୋର୍ଟାଲରେ ଅବସରପ୍ରାପ୍ତ ଏବଂ ମୃତ କର୍ମଚାରୀଙ୍କ ନାମରେ ବ୍ୟବହାର ହୋଇନଥିବା ଛୁଟି ବାବଦ ଅର୍ଥ ଓ ବକେୟା ରାଶି ପାଇଁ ଜାଲ୍ ଦାବି ଦାଖଲ କରି ଅନ୍ଲାଇନ୍ ରେକର୍ଡରେ ହେରଫେର କରିଥିଲେ। ପ୍ରକୃତ ହିତାଧିକାରୀଙ୍କୁ ଏହି ଅର୍ଥ ପ୍ରଦାନ କରିବା ପରିବର୍ତ୍ତେ, ସେ ଉକ୍ତ ଟଙ୍କାକୁ ନିଜ ବ୍ୟାଙ୍କ ଖାତା ଏବଂ ନିଜର ଦୁଇ ସହଯୋଗୀଙ୍କ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରିଥିଲେ। ସେ ଟ୍ରେଜେରୀ ମାଧ୍ୟମରେ ଏନ୍ଇଏଫ୍ଟି ଜରିଆରେ ଏହି ଅର୍ଥ ସ୍ଥାନାନ୍ତର କରିଥିଲେ।
ତେବେ ଏନେଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ‘ଦୁର୍ନୀତି ନିବାରଣ ଆଇନ’ ଏବଂ ‘ଭାରତୀୟ ନ୍ୟାୟ ସଂହିତା’ର ଧାରା ଅଧୀନରେ କଟକ ଭିଜିଲାନ୍ସ ଥାନା ମାମଲା ରୁଜୁ କରିଛି।
