ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିର ପ୍ରଶଂସା କରିବା ସହ ନିଜ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍ ରିଜର୍ଭକୁ ଟାର୍ଗେଟ୍ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତର ୭ ପ୍ରତିଶତ ଜିଡିପି ଅଭିବୃଦ୍ଧି ଏବଂ କମ୍ ସୁଧହାରର ଉଦାହରଣ ଦେଇ ଟ୍ରମ୍ପ କହିଛନ୍ତି, ଆମେରିକାରେ ମଧ୍ୟ ଯଦି ସୁଧହାର କମ୍ ରହିଥାନ୍ତା, ତେବେ ଦେଶର ଜିଡିପି ଅଭିବୃଦ୍ଧି ୧୪, ୧୫ କିମ୍ବା ୨୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିପାରିଥାନ୍ତା। ଏଥିସହ ଆମେରିକାର ଫେଡେରାଲ୍ ରିଜର୍ଭକୁ ରାଜନୈତିକ ପ୍ରଭାବରେ କାର୍ଯ୍ୟ କରୁଥିବା ସଂସ୍ଥା ବୋଲି ଅଭିଯୋଗ କରିଛନ୍ତି ସେ।
ହ୍ୱାଇଟ୍ ହାଉସ୍ରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ଉଦାହରଣ ଭାବେ ରଖିଥିଲେ। ତାଙ୍କ କହିବା ଅନୁସାରେ, ଭାରତରେ ସୁଧହାର କମ୍ ଥିବାବେଳେ ଜିଡିପି ଅଭିବୃଦ୍ଧି ୭ ପ୍ରତିଶତ ରହିଛି। ତେଣୁ ଆମେରିକାରେ ମଧ୍ୟ ସୁଧହାର ହ୍ରାସ କରାଗଲେ ଅର୍ଥନୈତିକ ଅଭିବୃଦ୍ଧି ଆହୁରି ବଢ଼ିପାରିବ ବୋଲି ସେ ମତ ଦେଇଛନ୍ତି। ଟ୍ରମ୍ପ କହିଥିଲେ, ଭାରତରେ ସୁଧହାର କମ୍ ରହିଛି ଏବଂ ସେଠାରେ ଜିଡିପି ୭ ପ୍ରତିଶତ ହାରରେ ବଢ଼ୁଛି। ଆମେରିକାର ଅର୍ଥନୀତି ମଧ୍ୟ ଏହାଠାରୁ ଅଧିକ ଅଭିବୃଦ୍ଧି ହାସଲ କରିପାରିବ। କିନ୍ତୁ ଫେଡେରାଲ୍ ରିଜର୍ଭର ଉଚ୍ଚ ସୁଧହାର ଏଥିରେ ବାଧା ସୃଷ୍ଟି କରୁଛି। ସେ ଆହୁରି କହିଥିଲେ, ଆମେରିକାର ଜିଡିପି ଅଭିବୃଦ୍ଧି ୪ ପ୍ରତିଶତରେ ସୀମିତ ରହିବା ପରିବର୍ତ୍ତେ ୧୫ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ଯାଇପାରିଥାନ୍ତା। ଏପରି ଅଭିବୃଦ୍ଧି ହେଲେ ଦେଶର ଋଣ ମଧ୍ୟ ଦ୍ରୁତ ଗତିରେ ପରିଶୋଧ କରାଯାଇପାରିବ ବୋଲି ଟ୍ରମ୍ପ ଦାବି କରିଛନ୍ତି।
ଆମେରିକାର ଅର୍ଥନୈତିକ ତଥ୍ୟ ଭଲ ରହିଲେ ଫେଡେରାଲ୍ ରିଜର୍ଭ ସୁଧହାର ବଢ଼ାଇ ଦେଉଛି ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି। ତାଙ୍କ ମତରେ, ଅର୍ଥନୀତି ଭଲ ପ୍ରଦର୍ଶନ କରୁଥିବା ସମୟରେ ସୁଧହାର ବୃଦ୍ଧି କରିବା ପରିବର୍ତ୍ତେ ଏହାକୁ କମାଇବା ଉଚିତ। ଏହାଦ୍ୱାରା ଦେଶର ଋଣ ପରିଶୋଧ କରିବାର କ୍ଷମତା ବଢ଼ିବ ଏବଂ ଅର୍ଥନୀତିକୁ ଅଧିକ ଗତି ମିଳିବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ଟ୍ରମ୍ପଙ୍କ କହିବା ଅନୁସାରେ, ଆମେରିକା ବର୍ତ୍ତମାନ ଯେଉଁ ନୀତି ଅନୁସରଣ କରୁଛି, ତାହା ଦେଶର ଅର୍ଥନୀତିକୁ କ୍ଷତି ପହଞ୍ଚାଉଛି। ଏହାର ବିପରୀତ ନୀତି ଆପଣାଇଲେ ଆମେରିକା ନିଜ ଋଣକୁ ଦ୍ରୁତ ଗତିରେ ହ୍ରାସ କରିପାରିବ ବୋଲି ସେ କହିଛନ୍ତି।
ଟ୍ରମ୍ପ ଆହୁରି କହିଛନ୍ତି ଯେ, ବିଶ୍ୱ ଅର୍ଥନୀତିରେ ଆମେରିକାର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଅନେକ ଦେଶର ଅର୍ଥନୈତିକ ସଫଳତା ପଛରେ ଆମେରିକାର ଅବଦାନ ରହିଛି। ତେଣୁ ଅନ୍ୟ ଦେଶ ତୁଳନାରେ ଆମେରିକାରେ ସୁଧହାର ସବୁଠାରୁ କମ୍ ରହିବା ଉଚିତ ବୋଲି ସେ ମତ ରଖିଛନ୍ତି।
ଅନ୍ୟପଟେ ଆମେରିକାରେ ମୁଦ୍ରାସ୍ଫୀତି ମଧ୍ୟ ଫେଡେରାଲ୍ ରିଜର୍ଭ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ଉପଲବ୍ଧ ତଥ୍ୟ ଅନୁସାରେ, ସେପ୍ଟେମ୍ବରରେ ଆମେରିକାର ପର୍ସନାଲ୍ କନଜମ୍ପସନ୍ ଏକ୍ସପେଣ୍ଡିଚର୍ (PCE) ମୁଦ୍ରାସ୍ଫୀତି ହାର ୩.୬ ପ୍ରତିଶତ ରହିଥିଲା। ସେହିପରି ଖାଦ୍ୟ ଓ ଶକ୍ତି ଦରକୁ ବାଦ୍ ଦେଇ ହିସାବ କରାଯାଉଥିବା କୋର୍ PCE ମୁଦ୍ରାସ୍ଫୀତି ୩.୧ ପ୍ରତିଶତ ରେକର୍ଡ ହୋଇଥିଲା। ଫେଡେରାଲ୍ ରିଜର୍ଭର ଲକ୍ଷ୍ୟ ହେଉଛି ମୁଦ୍ରାସ୍ଫୀତିକୁ ୨ ପ୍ରତିଶତରେ ରଖିବା।
ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଫେଡ୍ ସୁଧହାରକୁ ଏକ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରିଥାଏ। ଏହି ପରିପ୍ରେକ୍ଷୀରେ ଟ୍ରମ୍ପଙ୍କ ସୁଧହାର ହ୍ରାସ ଦାବି ଏବଂ ଫେଡେରାଲ୍ ରିଜର୍ଭର ମୁଦ୍ରାସ୍ଫୀତି ନିୟନ୍ତ୍ରଣ ନୀତି ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ନଭେମ୍ବର ୧୭ରେ ମଧ୍ୟ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଟଫ୍ ମ୍ୟାନ୍’ ବୋଲି କହି ପ୍ରଶଂସା କରିଥିଲେ। ଏବେ ପୁଣି ଭାରତର ଅର୍ଥନୈତିକ ଅଭିବୃଦ୍ଧିର ଉଦାହରଣ ଦେଇ ଆମେରିକାର ଆର୍ଥିକ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି ଟ୍ରମ୍ପ।
