Latest Odisha News

BREAKING NEWS

ଋଣ ଶୁଝିବାର ୭ ବର୍ଷ ପରେ ବି ଫେରାଇଲେନି ଜମିର ମୂଳ କାଗଜ: ଏସବିଆଇ ଉପରେ ଦୈନିକ ୫,୦୦୦ ଟଙ୍କା ଜରିମାନା ଲଗାଇଲେ ଖାଉଟି କମିଶନ

ଲକ୍ଷ୍ନୌ: ଗୃହ ଋଣ ପରିଶୋଧ କରିବାର ସାତ ବର୍ଷ ପରେ ମଧ୍ୟ ସମ୍ପତ୍ତିର ମୂଳ ଦଲିଲ (ସେଲ୍ ଡିଡ୍) ନ ଫେରାଇବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପାଇଁ ମହଙ୍ଗା ପଡ଼ିଛି। ଉତ୍ତର ପ୍ରଦେଶର ଅଲିଗଡ଼ ଜିଲ୍ଲା ଖାଉଟି ବିବାଦ ସମାଧାନ କମିଶନ ବ୍ୟାଙ୍କକୁ ସେବାରେ ତ୍ରୁଟି ପାଇଁ ଦୋଷୀ ସାବ୍ୟସ୍ତ କରିବା ସହ ମୂଳ ଦଲିଲ ହସ୍ତାନ୍ତର ନ ହେବା ପର୍ଯ୍ୟନ୍ତ ଦୈନିକ ୫,୦୦୦ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଅଲିଗଡ଼ର ଜ୍ଞାନ ସରୋବର କଲୋନୀର ବାସିନ୍ଦା ୭୦ ବର୍ଷୀୟ ଗୁଲବୀର ସିଂହ ଚୌହାନ ୧୯୯୭ ମସିହାରେ ବାରାଦ୍ଵାରୀ ସ୍ଥିତ ଏସବିଆଇର ସିଟି ଶାଖାରୁ ଏକ ଗୃହ ଋଣ ନେଇଥିଲେ । ଏଥିପାଇଁ ସେ ୧୯୯୭ ଡିସେମ୍ବର ୧୮ ତାରିଖର ମୂଳ ବିକ୍ରୟ ଦଲିଲ (ନମ୍ବର ୭୧୩୪) ବ୍ୟାଙ୍କରେ ବନ୍ଧକ ଭାବେ ଜମା ରଖିଥିଲେ । ସେ ୨୦୧୯ ମେ ୧୩ ତାରିଖରେ ସମ୍ପୂର୍ଣ୍ଣ ଋଣ ପରିଶୋଧ କରିଦେଇଥିଲେ ଏବଂ ବ୍ୟାଙ୍କ ତାଙ୍କୁ ‘ନୋ-ଡ୍ୟୁଜ୍’ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଥିଲା । କିନ୍ତୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ବ୍ୟାଙ୍କ କର୍ତ୍ତୃପକ୍ଷ ଦଲିଲ ଖୋଜି ପାଉନଥିବା କହି ତାଙ୍କୁ ଫେରାଇ ନଥିଲେ ।

ମୂଳ କାଗଜପତ୍ର ନଥିବାରୁ ଚୌହାନ ନିଜ ଘରର ମାଲିକାନା ସାବ୍ୟସ୍ତ କରିବା, ସମ୍ପତ୍ତି ହସ୍ତାନ୍ତର କରିବା କିମ୍ବା ଅନ୍ୟ ବ୍ୟାଙ୍କରୁ ଋଣ ନେବାରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଶେଷରେ ନିରାଶ ହୋଇ ସେ ୨୦୨୩ ଜୁନ୍ ୧୩ରେ ଖାଉଟି କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଶୁଣାଣି ସମୟରେ ଏସବିଆଇ ଋଣ ଓ ଦଲିଲ ଜମା କଥା ସ୍ୱୀକାର କରିଥିଲା, ମାତ୍ର ଅଭିଯୋଗକୁ ମିଥ୍ୟା ବୋଲି ଦର୍ଶାଇ ଖଣ୍ଡନ କରିଥିଲା । ତେବେ ବ୍ୟାଙ୍କ ୨୦୨୦ ଫେବୃଆରୀ ୧୩ରେ ଜାରି କରିଥିବା ଏକ ଚିଠିରୁ ସ୍ପଷ୍ଟ ହୋଇଥିଲା ଯେ ୨୦୧୯ ମେ ୧୩ରେ କୌଣସି ବକେୟା ବିନା ଋଣ ଖାତା ବନ୍ଦ ହୋଇସାରିଛି ।

କମିଶନର ଅଧ୍ୟକ୍ଷ ହସନୈନ କୁରେଶୀ ଏବଂ ସଦସ୍ୟା ପୂର୍ଣ୍ଣିମା ସିଂହ ରାଜପୁତଙ୍କ ଖଣ୍ଡପୀଠ ବ୍ୟାଙ୍କର ଏହି ଅବହେଳାକୁ ଗୁରୁତର ସହ ନେଇଛନ୍ତି । ୨୦୧୯ ମେ ୧୩ରୁ ମୂଳ ଦଲିଲ ହସ୍ତାନ୍ତର ହେବା ପର୍ଯ୍ୟନ୍ତ ଦୈନିକ ୫,୦୦୦ ଟଙ୍କା କ୍ଷତିପୂରଣ ଏବଂ ମକଦ୍ଦମା ଖର୍ଚ୍ଚ ବାବଦକୁ ୧୦,୦୦୦ ଟଙ୍କା ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ୪୫ ଦିନ ମଧ୍ୟରେ ଏହି ନିର୍ଦ୍ଦେଶ ପାଳନ ନକଲେ ଖାଉଟି ସୁରକ୍ଷା ଆଇନର ଧାରା ୭୨ ଅନୁଯାୟୀ ବ୍ୟାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.