Latest Odisha News

BREAKING NEWS

‘ଅପରେସନ୍‌ ସିନ୍ଦୂର’ ବେଳେ ପାକିସ୍ତାନକୁ ଚୀନ୍‌ ଦେଇଥିଲା ସାମରିକ ସହାୟତା: ଆମେରିକୀୟ ରିପୋର୍ଟ

ନୂଆଦିଲ୍ଲୀ: ଆମେରିକା କଂଗ୍ରେସର ଏକ ପ୍ୟାନେଲ୍‌ ନିଜର ସଦ୍ୟତମ ବାର୍ଷିକ ରିପୋର୍ଟରେ କହିଛି ଯେ, ଗତବର୍ଷ ‘ଅପରେସନ୍‌ ସିନ୍ଦୂର’ ସମୟରେ ପାକିସ୍ତାନକୁ ଚୀନ୍‌ ଯୋଗାଇଥିବା ସାମରିକ ସହାୟତା ଭାରତର ବଢ଼ୁଥିବା ଶକ୍ତିକୁ ରୋକିବା ପାଇଁ ବେଜିଂର ବ୍ୟାପକ ରଣନୀତିର ଏକ ଅଂଶ ଥିଲା । ଭାରତର ରଣନୈତିକ ପ୍ରଭାବକୁ ସୀମିତ କରିବା ପାଇଁ ଚୀନ୍‌ ସୀମାରେ ସାମରିକ ଚାପ, ଆର୍ଥିକ କଟକଣା ଏବଂ ସାମୁଦ୍ରିକ କ୍ଷେତ୍ରରେ ନିଜର ପ୍ରଭାବ ବଢ଼ାଇବା ଭଳି ପଦକ୍ଷେପ ନେଉଥିବା ନେଇ ରିପୋର୍ଟରେ ଚେତାବନୀ ଦିଆଯାଇଛି।

ଆମେରିକା-ଚୀନ୍‌ ଅର୍ଥନୈତିକ ଓ ସୁରକ୍ଷା ସମୀକ୍ଷା ଆୟୋଗ (USCC) ଚୀନ୍‌ର ବଢ଼ୁଥିବା ଆଞ୍ଚଳିକ ପ୍ରଭାବର ମୁକାବିଲା ପାଇଁ ଆମେରିକା ଓ ଭାରତ ମଧ୍ୟରେ ଗୁଇନ୍ଦା ସୂଚନା ଆଦାନପ୍ରଦାନ, ସାମୁଦ୍ରିକ ସୁରକ୍ଷା ଏବଂ ଉତ୍ପାଦନ କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ଆହ୍ୱାନ ଦେଇଛି। ଏସିଆରେ ଶକ୍ତି ସନ୍ତୁଳନ ବଜାୟ ରଖିବା ଏବଂ ଚୀନ୍‌ର ରଣନୈତିକ ଆକାଂକ୍ଷାକୁ ରୋକିବାରେ ଭାରତର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ସେ ନେଇ ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଆମେରିକା ପାଇଁ ଭାରତର ଗୁରୁତ୍ୱ…

‘ଚୀନ୍‌ର ଦ୍ୱିତୀୟ ମୋର୍ଚ୍ଚା: ଭାରତ ଓ ହିନ୍ଦ୍‌-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆମେରିକାର ରଣନୀତିର ଭବିଷ୍ୟତ’ ଶୀର୍ଷକ ଅଧ୍ୟାୟରେ କଂଗ୍ରେସନଲ୍‌ କମିଶନ କହିଛି ଯେ, ପାକିସ୍ତାନ ସହ ଚୀନ୍‌ର ବଢ଼ୁଥିବା ସୁରକ୍ଷା ସହଭାଗିତା ଭାରତ ପାଇଁ ଦୁଇଟି ମୋର୍ଚ୍ଚାରେ ଯୁଦ୍ଧ ହେବାର ଆଶଙ୍କାକୁ ଏକ ଗମ୍ଭୀର ଚିନ୍ତାର ବିଷୟ କରିଛି।

୨୦୨୫ ମେ’ ମାସର ଭାରତ-ପାକିସ୍ତାନ ସଂଘର୍ଷର ଉଦାହରଣ ଦେଇ ରିପୋର୍ଟରେ କୁହାଯାଇଛି ଯେ, ‘ଅପରେସନ୍‌ ସିନ୍ଦୂର’ ଦର୍ଶାଇଥିଲା କିଭଳି ଚୀନ୍‌ ସିଧାସଳଖ ଯୁଦ୍ଧରେ ସାମିଲ ନହୋଇ ମଧ୍ୟ ସଙ୍କଟ ସମୟରେ ପାକିସ୍ତାନକୁ ସହାୟତା କରିପାରେ। ଏଭଳି ସହଯୋଗ ଭବିଷ୍ୟତରେ ପାକିସ୍ତାନ ସହ କୌଣସି ସଂଘର୍ଷ ସମୟରେ ଭାରତର ସାମରିକ ରଣନୀତିକୁ ଜଟିଳ କରିପାରେ ବୋଲି ଆୟୋଗ ଆଶଙ୍କା ପ୍ରକାଶ କରିଛି।

ଭାରତର ବଢ଼ୁଥିବା ପ୍ରଭାବକୁ ନେଇ ଚିନ୍ତିତ ଚୀନ୍‌?

ଆୟୋଗର କହିବା ଅନୁସାରେ, ଚୀନ୍‌ ଭାରତକୁ ଏକ ଉଦୀୟମାନ ରଣନୈତିକ ଚ୍ୟାଲେଞ୍ଜ ଭାବେ ଦେଖୁଛି। ଭାରତର ବଢ଼ୁଥିବା ପ୍ରଭାବକୁ ରୋକିବା ପାଇଁ ବେଜିଂ ସାମରିକ, ଆର୍ଥିକ ଓ ସାମୁଦ୍ରିକ କ୍ଷେତ୍ରରେ ଚାପ ପକାଉଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଭାରତ ହେଉଛି ବିଶ୍ୱର ଅଳ୍ପ କେତେକ ଦେଶ ମଧ୍ୟରୁ ଅନ୍ୟତମ, ଯାହାର ଜନସଂଖ୍ୟା, ଅର୍ଥନୀତି, ସାମରିକ ଶକ୍ତି ଓ ଭୌଗୋଳିକ ସ୍ଥିତି ଚୀନ୍‌ ସହ ଶକ୍ତି ସନ୍ତୁଳନକୁ ଦୀର୍ଘକାଳୀନ ଭାବେ ପ୍ରଭାବିତ କରିପାରିବ।

ରିପୋର୍ଟରେ ଭାରତର ଶକ୍ତି ଓ ରଣନୈତିକ ସ୍ଥିତି ଉପରେ ଗୁରୁତ୍ୱ

ରିପୋର୍ଟରେ ଭାରତର ଗୁରୁତ୍ୱପୂର୍ଣ୍ଣ ସ୍ଥିତି ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଭାରତ ବିଶ୍ୱର ସର୍ବାଧିକ ଜନସଂଖ୍ୟାବିଶିଷ୍ଟ ଦେଶ, ସବୁଠାରୁ ବଡ଼ ଗଣତନ୍ତ୍ର, ପରମାଣୁ ଅସ୍ତ୍ରଧାରୀ ରାଷ୍ଟ୍ର ଏବଂ ବିଶ୍ୱର ଅନ୍ୟତମ ବୃହତ୍‌ ସାମରିକ ଶକ୍ତି ବୋଲି ଆୟୋଗ କହିଛି।

ଏଥିସହ ଚୀନ୍‌ ସହ ଭାରତର ପ୍ରାୟ ୨,୧୦୦ ମାଇଲ୍‌ ଦୀର୍ଘ ବିବାଦୀୟ ସୀମା ଏବଂ ହିନ୍ଦ୍‌ ମହାସାଗରର ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ଉପରେ ଭାରତର ରଣନୈତିକ ଅବସ୍ଥିତିକୁ ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ସାମୁଦ୍ରିକ ପଥ ଦେଇ ଚୀନ୍‌ର ଏକ ବଡ଼ ଅଂଶର ଶକ୍ତି ଓ ବାଣିଜ୍ୟ ସାମଗ୍ରୀ ପରିବହନ ହୋଇଥାଏ।

ତେବେ ଭାରତ ଓ ଆମେରିକା ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଥିଲେ ମଧ୍ୟ ଉଭୟ ଦେଶ ଆମେରିକାର ସମସ୍ତ ବ୍ୟାପକ ଲକ୍ଷ୍ୟ ସହ ସମ୍ପୂର୍ଣ୍ଣ ଏକମତ ହେବେ ବୋଲି ନୁହେଁ ବୋଲି ଆୟୋଗ ସ୍ପଷ୍ଟ କରିଛି।

Leave A Reply

Your email address will not be published.