Latest Odisha News

BREAKING NEWS

ଯୁଦ୍ଧ, ଆକ୍ରମଣ ଭିତରେ ହୋର୍ମୁଜ୍ ପ୍ରଣାଳୀରେ ୧୫ କିଲୋମିଟର ପହଁରିଲେ ବ୍ରିଟିଶ ସନ୍ତରଣକାରୀ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଓ ଘନଘନ ଆକ୍ରମଣର ବିଭୀଷିକା ମଧ୍ୟରେ ନିଜ ଜୀବନକୁ ବାଜି ଲଗାଇ ହୋର୍ମୁଜ୍ ପ୍ରଣାଳୀରେ ବ୍ରିଟିଶ ସନ୍ତରଣକାରୀ ଲୁଇସ୍ ପ୍ୟୁ  ୧୫ କିଲୋମିଟର ପହଁରିଛନ୍ତି  । ୫୬ ବର୍ଷୀୟ ପ୍ୟୁ ଓମାନ୍ ଉପକୂଳ ନିକଟରେ ତିନି ଦିନ ଧରି ଏହି ଦୁଃସାହସିକ ପହଁରା ଅଭିଯାନ ଶେଷ କରିଛନ୍ତି । ଯୁଦ୍ଧ ଯୋଗୁଁ ସମୁଦ୍ର ଏବଂ ଏଥିରେ ବସବାସ କରୁଥିବା ଜୀବଜନ୍ତୁଙ୍କ ପ୍ରତି ସୃଷ୍ଟି ହୋଇଥିବା ଗମ୍ଭୀର ବିପଦ ଆଡ଼କୁ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ମିଳିତ ଜାତିସଂଘ ପରିବେଶ କାର‌୍ୟ୍ୟକ୍ରମ ସହ ଜଡ଼ିତ ଲୁଇସ୍ ପ୍ୟୁଙ୍କ ପାଇଁ ଏହି ଅଭିଯାନ ଅତ୍ୟନ୍ତ ଭୟଙ୍କର ଥିଲା । ସେ କହିଛନ୍ତି ଯେ ପାଣିକୁ ଓହ୍ଲାଇବାର ମାତ୍ର ୩୦ ମିନିଟ୍ ପରେ ତାଙ୍କଠାରୁ କିଛି କିଲୋମିଟର ଦୂରରେ ଥିବା ଏକ ତେଲ ଟ୍ୟାଙ୍କର୍ ଉପରେ ଆକ୍ରମଣ ହୋଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସମୁଦ୍ରର ପାଣି ଥରି ଉଠିଥିଲା ଏବଂ ଆକାଶରେ ଲଢ଼ୁଆ ବିମାନ ଉଡ଼ୁଥିବାର ଦେଖାଯାଇଥିଲା । ପରବର୍ତ୍ତୀ ଦିନଗୁଡ଼ିକରେ ସେ ଏକ ଗ୍ୟାସ୍ ଜାହାଜ ଉପରେ ଆକ୍ରମଣ ହେବାର ଦେଖିଥିଲେ, ଯେଉଁଥିରେ ନିଆଁ ଲାଗିବା ସହ ଚାରିପାଖର ସମୁଦ୍ର ପାଣି ମଧ୍ୟ ଜଳୁଥିବା ନଜର ଆସିଥିଲା ।

ଏଭଳି ଭୟାବହ ପରିସ୍ଥିତି ସତ୍ତ୍ୱେ ସେ ନିଜ ଅଭିଯାନ ଜାରି ରଖିଥିଲେ ।  ପ୍ୟୁ ଓମାନର ମୁସନ୍ଦମ୍ ଉପଦ୍ୱୀପରୁ ଯାତ୍ରା ଆରମ୍ଭ କରି ତିନି ଦିନରେ ମୋଟ ୧୫ କିଲୋମିଟର (ପ୍ରାୟ ୯.୩ ମାଇଲ୍) ପହଁରି କେପ୍ ଅଫ୍ ହୋର୍ମୁଜ୍‌ର ଏକ ଅଂଶ ପରିକ୍ରମା କରିଥିଲେ । ସେ କହିଛନ୍ତି ଯେ ହୋର୍ମୁଜ୍ ପ୍ରଣାଳୀ କେବଳ ତେଲ ଓ ଗ୍ୟାସ୍ ପରିବହନର ପଥ ନୁହେଁ, ବରଂ ଏଠାରେ ଡଲଫିନ୍, ସାମୁଦ୍ରିକ କଇଁଛ, ଡୁଗୋଙ୍ଗ ଭଳି ବିରଳ ଜୀବଙ୍କ ସମେତ ପ୍ରବାଳ ପ୍ରାଚୀର ଏବଂ ହେନ୍ତାଳ ବନ ରହିଛି । ଜାହାଜଗୁଡ଼ିକ ଉପରେ ହେଉଥିବା ଆକ୍ରମଣ ଯୋଗୁଁ ସମୁଦ୍ରରେ ତେଲ ଓ ରାସାୟନିକ ପଦାର୍ଥ ମିଶିବା ଦ୍ୱାରା ସାମୁଦ୍ରିକ ପରିବେଶର ଏପରି କ୍ଷତି ହେବ, ଯାହାକୁ ଭରଣା କରିବା ପାଇଁ ଦଶନ୍ଧି ଦଶନ୍ଧି ସମୟ ଲାଗିଯିବ । ଗତ ଫେବ୍ରୁଆରୀ ମାସରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରେ ଇରାନ ହୋର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ କରିବା ସହ ଏହାକୁ ଟାର୍ଗେଟ କରିଆସୁଛି । ଫଳରେ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ଏବେ ଯୁଦ୍ଧର କେନ୍ଦ୍ରବିନ୍ଦୁ ପାଲଟିଛି । ଯୁଦ୍ଧ ତୁରନ୍ତ ବନ୍ଦ କରିବା, ହୋର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଏବଂ ସମୁଦ୍ରରେ ବ୍ୟାପିଥିବା ପ୍ରଦୂଷଣ ସଫା କରିବା ପାଇଁ ଲୁଇସ୍ ପ୍ୟୁ ବିଶ୍ୱ ନେତାମାନଙ୍କୁ ନିବେଦନ କରିଛନ୍ତି । ଯୁଦ୍ଧରେ ମନୁଷ୍ୟ ସହ ପ୍ରକୃତିର ହେଉଥିବା କ୍ଷତି ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ ବୋଲି ସେ ମତ ଦେଇଛନ୍ତି ।

Leave A Reply

Your email address will not be published.