Naveen Patnaik’s Foreign Visits: ‘ଖାଲି ନବୀନଙ୍କ କାହିଁକି? ତଦନ୍ତ ହେଉ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଯାତ୍ରା…’, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ତଦନ୍ତକୁ ସ୍ବାଗତ କରି ବଡ ଦାବି କଲା ବିଜେଡି
ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତର ତଦନ୍ତକୁ ସ୍ୱାଗତ କରିଛି ବିଜୁ ଜନତା ଦଳ (ବିଜେଡି)। ହେଲେ ଏହି ତଦନ୍ତ କେବଳ ନବୀନଙ୍କ ପାଇଁ କାହିଁକି? ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତାଙ୍କ କ୍ୟାବିନେଟ୍ ସହଯୋଗୀ ଓ ବରିଷ୍ଠ ସରକାରୀ ଅଧିକାରୀଙ୍କ ବିଦେଶ ଗସ୍ତର ମଧ୍ୟ ତଦନ୍ତ ହେଉ ବୋଲି ଦାବି କରିଛି ଦଳ। ଏହାକୁ ନେଇ ରାଜ୍ୟ ରାଜନୀତିରେ ପୁଣି ତେଜିଛି ବୟାନବାଜି।
ବିଜେଡିର ମିଡିଆ ସଂଯୋଜକ ଲେନିନ ମହାନ୍ତି ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି, ଜନସାଧାରଣଙ୍କର ସବୁ ବିଷୟ ଜାଣିବାର ଅଧିକାର ରହିଛି। ଦଳ ସବୁବେଳେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱକୁ ଗୁରୁତ୍ୱ ଦେଇଆସିଛି ଏବଂ ଆଗକୁ ମଧ୍ୟ ଏହି ନୀତି ବଜାୟ ରଖିବ। ତେବେ ଡବଲ୍ ଇଞ୍ଜିନ୍ ସରକାର ଅଡ଼ୁଆରେ ପଡ଼ିଲେ ଲୋକଙ୍କ ମୂଳ ସମସ୍ୟାରୁ ଦୃଷ୍ଟି ହଟାଇବା ପାଇଁ ଏଭଳି ପଦକ୍ଷେପ ନେଉଥିବା ଲେନିନ ମହାନ୍ତି ଅଭିଯୋଗ କରିଛନ୍ତି।
ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ସମ୍ପର୍କରେ ସେ କହିଛନ୍ତି, ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ନବୀନ ବିଶ୍ୱର ବିଭିନ୍ନ ଦେଶ ଭ୍ରମଣ କରିଥିଲେ ମଧ୍ୟ ଓଡ଼ିଶାର ୨୪ ବର୍ଷର ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସରକାରୀ ଭାବେ ମାତ୍ର ଦୁଇଥର ବିଦେଶ ଗସ୍ତ କରିଥିଲେ। ଇଟାଲୀ ଗସ୍ତ ସମୟରେ ସେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ଓଡ଼ିଶାର ସଫଳତାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିଥିଲେ। ସେହିପରି ତାଙ୍କ ଜାପାନ ଗସ୍ତ ଯୋଗୁଁ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ପ୍ରକଳ୍ପ ଓଡ଼ିଶାକୁ ଆସିବାର ରାସ୍ତା ଖୋଲିଥିଲା। କିନ୍ତୁ ବର୍ତ୍ତମାନର ମୋହନ ମାଝୀ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପକୁ ଠିକ୍ ଭାବେ ପରିଚାଳନା କରିପାରୁନଥିବା ଅଭିଯୋଗ ଆଣିଛନ୍ତି ସେ ।
ଏହା ସହିତ ଶିଳ୍ପ ବିଭାଗର ସଚିବ ହେମନ୍ତ ଶର୍ମାଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଲେନିନ ମହାନ୍ତି। ହେମନ୍ତ ଶର୍ମା ଶିଳ୍ପ ସଚିବ ସହିତ ଗୃହ ସଚିବ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଥିବା ଏହି ଅଧିକାରୀ ହିଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତର ଆୟୋଜନ ଦାୟିତ୍ୱରେ ମଧ୍ୟ ଥିଲେ ବୋଲି ବିଜେଡି ଉଲ୍ଲେଖ କରିଛି।
ତେଣୁ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱର କଥା କହୁଥିବା ସରକାର ନିଜ କ୍ଷେତ୍ରରେ ମଧ୍ୟ ସମାନ ନୀତି ଆପଣାଇବା ଉଚିତ ବୋଲି ଦଳ କହିଛି। ନବୀନଙ୍କ ବିଦେଶ ଗସ୍ତର ତଦନ୍ତ ହେଉ, ଏଥିରେ ବିଜେଡିର କୌଣସି ଆପତ୍ତି ନାହିଁ। କିନ୍ତୁ ତଦନ୍ତର ମାନଦଣ୍ଡ ସମସ୍ତଙ୍କ ପାଇଁ ସମାନ ରହିବା ଦରକାର ବୋଲି ଦାବି କରିଛି ଦଳ।
ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଶାସନ, ଶିଳ୍ପ ପ୍ରକଳ୍ପ ଓ ସରକାରୀ ଖର୍ଚ୍ଚର ଉତ୍ତରଦାୟିତ୍ୱକୁ ନେଇ ଚାଲିଥିବା ରାଜନୈତିକ ଚର୍ଚ୍ଚା ମଧ୍ୟରେ ବିଜେଡିର ଏହି ଦାବି ନୂଆ ବିତର୍କ ସୃଷ୍ଟି କରିଛି।
