Latest Odisha News

BREAKING NEWS

CM Pushkar Dhami: ଯୋଗୀଙ୍କ ମା’ଙ୍କ ଶେଷ ବିଦାୟ ବେଳେ ଶ୍ମଶାନରେ ଭିଡ଼ ସମ୍ଭାଳୁଥିବାର ନଜର ଆସିଲେ ମୁଖ୍ୟମନ୍ତ୍ରୀ ଧାମୀ! ଚର୍ଚ୍ଚାରେ ଭିଡିଓ…

ହରିଦ୍ୱାର: ମା’ଙ୍କୁ ଶେଷ ବିଦାୟ ଦେବା ସମୟରେ ଭାବବିହ୍ୱଳ ହୋଇପଡ଼ିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ସମୟରେ ଏକ ପ୍ରକୃତ ବନ୍ଧୁ ଭାବେ ଶ୍ମଶାନରେ ଏକାଠି ହୋଇଥିବା ନେତା, ମନ୍ତ୍ରୀ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ମଧ୍ୟରେ ନିଜେ ବ୍ୟବସ୍ଥା ସମ୍ଭାଳିବାକୁ ଆଗେଇ ଆସିଥିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ। ମୁଖ୍ୟମନ୍ତ୍ରୀ ହୋଇ ପଡୋଶୀ ରାଜ୍ୟର ମୁଖିଆଙ୍କ ଏଭଳି ସମୟରେ ଟ୍ରୁ ଲିଡରସିପ୍ ଦେଖାଇଛନ୍ତି ଧାମୀ । ତାଙ୍କର ଏହି ପଦକ୍ଷେପ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଶନିବାର ହରିଦ୍ୱାରର ଚଣ୍ଡୀଘାଟରେ ଯୋଗୀ ଆଦିତ୍ୟନାଥଙ୍କ ମା’ ସାବିତ୍ରୀ ଦେବୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏହି ସମୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ, ଯୋଗଗୁରୁ ବାବା ରାମଦେବଙ୍କ ସମେତ ବହୁ ରାଜନୈତିକ ନେତା ଓ ଧାର୍ମିକ ଗୁରୁ ଉପସ୍ଥିତ ଥିଲେ। ଯୋଗୀଙ୍କ ମା’ଙ୍କ ଶେଷଦର୍ଶନ ପାଇଁ ଶ୍ମଶାନରେ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା। ଫଳରେ ସେଠାରେ ଯାତାୟାତ ଓ ଲୋକଙ୍କ ଚଳପ୍ରଚଳରେ ସମସ୍ୟା ସୃଷ୍ଟି ହୋଇଥିଲା। ଏହା ଦେଖି ଧାମୀ କେବଳ ସୁରକ୍ଷାକର୍ମୀଙ୍କ ଉପରେ ନିର୍ଭର ନକରି ନିଜେ ଆଗକୁ ଆସିଥିଲେ। ସେ ଲୋକଙ୍କୁ ଶୃଙ୍ଖଳିତ ଭାବେ ଠିଆ ହେବାକୁ, ଆବଶ୍ୟକ ସ୍ଥାନରେ ପଛକୁ ହଟିବାକୁ ଏବଂ ଅନ୍ୟମାନଙ୍କ ଯିବାଆସିବା ପାଇଁ ରାସ୍ତା ଛାଡ଼ିବାକୁ କହିଥିଲେ। ଧାମୀଙ୍କ ଏହି ତତ୍ପରତା ଯୋଗୁଁ ସେଠାରେ ଶୃଙ୍ଖଳା ଫେରାଇ ଆଣିବାକୁ ଉଦ୍ୟମ କରାଯାଇଥିଲା।

ତେବେ ୯୧ ବର୍ଷ ବୟସରେ ଶୁକ୍ରବାର ସକାଳେ ସାବିତ୍ରୀ ଦେବୀଙ୍କ ପରଲୋକ ହୋଇଥିଲା। ମା’ଙ୍କ ଶେଷକୃତ୍ୟ ପାଇଁ ହରିଦ୍ୱାର ଆସିବା ପୂର୍ବରୁ ଯୋଗୀ ନିଜ ପୈତୃକ ଗାଁ ଉତ୍ତରାଖଣ୍ଡର ପୌଡ଼ି ଗଢ଼ୱାଲ ଜିଲ୍ଲାର ପଞ୍ଚୁରରେ ପହଞ୍ଚିଥିଲେ। ସେଠାରେ ମା’ଙ୍କ ପାର୍ଥିବ ଶରୀରକୁ କାନ୍ଧ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଜଣେ ସନ୍ନ୍ୟାସୀ ଭାବେ ନିଜର ଶୃଙ୍ଖଳିତ ଜୀବନ ଓ କଠୋର ସାର୍ବଜନୀନ ବ୍ୟକ୍ତିତ୍ୱ ପାଇଁ ପରିଚିତ ଯୋଗୀ ମା’ଙ୍କୁ ଶେଷ ବିଦାୟ ଦେବା ସମୟରେ ଭାବପ୍ରବଣ ହୋଇପଡ଼ିଥିଲେ। ଏହି ଦୃଶ୍ୟ ଉପସ୍ଥିତ ଲୋକଙ୍କୁ ମଧ୍ୟ ଭାବୁକ କରିଥିଲା।

ଯୋଗୀ ଆଦିତ୍ୟନାଥଙ୍କ ମା’ଙ୍କ ଶେଷକୃତ୍ୟରେ ଯୋଗଦେବାକୁ ନେଇ ଅଖିଳ ଭାରତୀୟ ଅଖାଡ଼ା ପରିଷଦର ସଭାପତି ତଥା ମାନସା ଦେବୀ ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ରବୀନ୍ଦ୍ର ପୁରୀ ମହାରାଜ ନିଜ ମତ ରଖିଥିଲେ। ସେ କହିଥିଲେ, ଯୋଗୀ ଆଦିତ୍ୟନାଥ ମଧ୍ୟ ଜଣେ ପୁଅ। ତେଣୁ ନିଜ ମା’ଙ୍କ ଶେଷକୃତ୍ୟ କରିବାର ତାଙ୍କର ପୂର୍ଣ୍ଣ ଅଧିକାର ରହିଛି। ଏଥିପାଇଁ ସେ ଜଣେ ଶଙ୍କରାଚାର୍ଯ୍ୟଙ୍କ ଉଦାହରଣ ମଧ୍ୟ ଦେଇଥିଲେ, ଯିଏ ନିଜ ମା’ଙ୍କ ଶେଷଯାତ୍ରାରେ ସାମିଲ ହୋଇଥିଲେ। ମହନ୍ତ ରବୀନ୍ଦ୍ର ପୁରୀ କହିଥିଲେ, ମା’ ହେଉଛନ୍ତି ମା’। ସେ ଦେବୀ ଓ ମହାଦେବୀଙ୍କ ସ୍ୱରୂପ। ଯୋଗୀଙ୍କ ଏହି ପଦକ୍ଷେପ ସମ୍ପୂର୍ଣ୍ଣ ଉଚିତ। ସେ ଯୋଗୀଙ୍କୁ ଜଣେ ବିଦ୍ୱାନ ଓ ସନାତନ ଧର୍ମର ରକ୍ଷକ ବୋଲି ମଧ୍ୟ ପ୍ରଶଂସା କରିଥିଲେ। ସେହିପରି ଯୋଗଗୁରୁ ବାବା ରାମଦେବ ମଧ୍ୟ ସାବିତ୍ରୀ ଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ କହିଥିଲେ, ଏଭଳି ଜଣେ ପୁଅଙ୍କୁ ଜନ୍ମ ଦେଇଥିବାରୁ ସେ ଜଣେ ଭାଗ୍ୟବାନ ମା’, ଯିଏ ଦେଶ ଓ ସନାତନ ଧର୍ମର ଗୌରବ ବଢ଼ାଇଛନ୍ତି।

Leave A Reply

Your email address will not be published.