Latest Odisha News

BREAKING NEWS

ଦ୍ୱିତୀୟ ଗ୍ରାଣ୍ଡ ମିନିସିଟି ରାଜ୍ୟସ୍ତରୀୟ ଅନ୍ତଃସ୍କୁଲ ଚେସ୍ ପ୍ରତିଯୋଗିତା ଉଦ୍‌ଯାପିତ:  ଆର୍ୟନ ବେହେରା ଚାମ୍ପିଅନ

ଭୁବନେଶ୍ୱର: ରାଜ୍ୟର ପ୍ରତିଷ୍ଠିତ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ଏସ୍.ଆର୍. ଚେସ୍ ସେଣ୍ଟର ଆନୁକୂଲ୍ୟରେ ଏବଂ ଗ୍ରାଣ୍ଡ ମିନିସିଟି ସହଯୋଗରେ ଗ୍ରାଣ୍ଡ ବଜାରଠାରେ ଆୟୋଜିତ ଦ୍ୱିତୀୟ ଗ୍ରାଣ୍ଡ ମିନିସିଟି ରାଜ୍ୟସ୍ତରୀୟ ଅନ୍ତଃସ୍କୁଲ ଚେସ୍ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଯାଜପୁର ସେଣ୍ଟ ମେରୀ ସ୍କୁଲର ଛାତ୍ର ଆର୍ୟନ ବେହେରା ୮ ରାଉଣ୍ଡରୁ ଅପରାଜିତ ଭାବେ ୭.୫ ପଏଣ୍ଟ ହାସଲ କରି ଚାମ୍ପିଅନ ହୋଇଛନ୍ତି । କଟକ ସିଡିଏ ଡିଏଭି ସ୍କୁଲର ପୂର୍ବତନ ଜାତୀୟ ସ୍କୁଲ ଚେସ୍ ଚାମ୍ପିଅନ ସ୍ୱସ୍ତିକ ଶୁଭମ୍ ପଟ୍ଟନାୟକ ସମାନ ୭.୫ ପଏଣ୍ଟ ପାଇଥିବା ବେଳେ ଟାଇ-ବ୍ରେକର (ବୁକୋଲଜ୍) ସ୍କୋର ଆଧାରରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ୭ ପଏଣ୍ଟ ସହ କେନ୍ଦ୍ରୀୟ ବିଦ୍ୟାଳୟ ଭୁବନେଶ୍ୱରର ଆଦର୍ଶ କୁମାର ବରିହା ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ଦଳଗତ ବର୍ଗରେ କଟକ ସିଡିଏ ଡିଏଭି ସ୍କୁଲ ୧୮.୫ ପଏଣ୍ଟ ହାସଲ କରି ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିବା ବେଳେ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ ମାତ୍ର ଅଧ ପଏଣ୍ଟ କମ୍ ଅର୍ଥାତ୍ ୧୮ ପଏଣ୍ଟ ସହ ରନର୍ସ ଅପ୍ ହୋଇଛି । ଏହି ପ୍ରତିଯୋଗିତାରେ ପ୍ରାୟ ୯୦ଟି ସ୍କୁଲରୁ ୫୨ ଜଣ ବାଳିକା ଏବଂ ୭୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଫିଡେ ରେଟେଡ୍ ଖେଳାଳିଙ୍କ ସମେତ ରେକର୍ଡ ୨୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାର୍ଥକ ମହାନ୍ତି, ମନୀଷ ରଞ୍ଜନ ଦାସ, ନୈନିକା ସାହୁ, ଅଦ୍ୱିକ ଭୂଷଣ, ଓମ୍ ସ୍ୱରୂପ ପାଢ଼ୀ, ସାୟାଂଶ ଦାସ ଓ ପ୍ରୀତିକା ପ୍ରଧାନ ଚତୁର୍ଥରୁ ଦଶମ ସ୍ଥାନ ମଧ୍ୟରେ ରହି ଅର୍ଥ ପୁରସ୍କାର ଓ ଟ୍ରଫି ହାସଲ କରିଛନ୍ତି ।

ଏସ୍.ଆର୍. ଚେସ୍ ସେଣ୍ଟରର ସଭାପତି ଶୁଭାଶିଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଗ୍ରାଣ୍ଡ ବଜାର ଓ ଗ୍ରାଣ୍ଡ ମିନିସିଟିର ପରିଚାଳନା ନିର୍ଦ୍ଦେଶକ ଆଶିଷ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ଚାମ୍ପିଅନ ଆର୍ୟନ ବେହେରାଙ୍କୁ ୧୫,୦୦୦ ଟଙ୍କା, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ସ୍ୱସ୍ତିକ ଶୁଭମଙ୍କୁ ୧୦,୦୦୦ ଟଙ୍କା ଏବଂ ତୃତୀୟ ସ୍ଥାନରେ ରହିଥିବା ଆଦର୍ଶ କୁମାର ବରିହାଙ୍କୁ ୭,୦୦୦ ଟଙ୍କା ସହ ମୋଟ ୫୦,୦୦୦ ଟଙ୍କାର ଅର୍ଥରାଶି ଓ  ଟ୍ରଫି ପ୍ରଦାନ କରିଥିଲେ । ଏହି ଉତ୍ସବରେ ରାଜ୍ୟ ଚେସ୍ ସଂଘର କାର୍ଯ୍ୟକାରୀ ସମ୍ପାଦକ ଭବେଶ ମହାନ୍ତି ଏବଂ ‘ଦୂରଦର୍ଶୀ’ର ସମ୍ପାଦକ ତଥା କ୍ରୀଡ଼ାବିତ୍ ଦୁର୍ଗା ପ୍ରସାଦ ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଏହି ଅବସରରେ ଅନ୍ତର୍ଜାତୀୟ ମାଷ୍ଟର ନର୍ମ ହୋଲ୍ଡର ହର୍ଷିତ ରଞ୍ଜନ ସାହୁଙ୍କୁ ଶ୍ରେଷ୍ଠ କ୍ରୀଡ଼ାବିତ୍ ଭାବେ ସ୍ୱତନ୍ତ୍ର ‘ଏସ୍.ଆର୍. ଚେସ୍ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏସ୍.ଆର୍. ଚେସ୍ ସେଣ୍ଟରର ସମ୍ପାଦକ ସତ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଅନ୍ତର୍ଜାତୀୟ ଅର୍ବିଟର ସୁରେଶ ଚନ୍ଦ୍ର ସାହୁ, ଜାତୀୟ ସିନିୟର ଅର୍ବିଟର ମାନସ ରଞ୍ଜନ, ମନୋଜ କୁମାର ରାୟ ପଟ୍ଟନାୟକ, ରିତିକ୍ ସାହୁ, ଅବିନାଶ ଦାସ, ଚନ୍ଦ୍ରଶେଖର ମିଶ୍ର ଏବଂ ଗ୍ରାଣ୍ଡ ବଜାର ମ୍ୟାନେଜର ସୌରଭ ରଥ ସଫଳତାର ସହ ପରିଚାଳନା କରିଥିଲେ ।

Leave A Reply

Your email address will not be published.