Odisha Assembly: ୩ ଦିନ ଅଚଳାବସ୍ଥା ପରେ ଚାଲିଲା ଗୃହ, ଫେରିଥିଲା ଶାନ୍ତି… ହେଲେ ମନ୍ତ୍ରୀଙ୍କ ଗୋଟିଏ ଜବାବରୁ ପୁଣି ତାତିଲା ବିଧାନସଭା!
ଭୁବନେଶ୍ୱର: ଲଗାତାର ୩ ଦିନର ହଟ୍ଟଗୋଳ ପରେ ଶେଷରେ ସୋମବାର ଚତୁର୍ଥ ଦିନରେ ସ୍ୱାଭାବିକ ହୋଇଥିଲା ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ସୋମବାର ସକାଳୁ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଗୃହକାର୍ଯ୍ୟରେ ସାମିଲ ହୋଇଥିଲେ। ପ୍ରଶ୍ନକାଳ, ଶୂନ୍ୟକାଳ ସହ ସ୍ଥଗିତ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ହେଲେ ଦିନ ଶେଷ ହେବା ପୂର୍ବରୁ ପୁଣି ଦେଖିବାକୁ ମିଳିଥିଲା ରାଜନୈତିକ ଉତ୍ତେଜନା। ଜଣେ ମନ୍ତ୍ରୀଙ୍କ ଜବାବକୁ ନେଇ ତାତିଥିଲେ ବିରୋଧୀ। ଶେଷରେ ବିଜେଡି ଓ କଂଗ୍ରେସ ସଦସ୍ୟ କକ୍ଷତ୍ୟାଗ କରିଥିଲେ।
ସୂଚନା ଅନୁସାରେ, ସୋମବାର ସର୍ବଦଳୀୟ ବୈଠକ ପରେ ବିଧାନସଭାରେ ଗତିରୋଧ ହଟିଥିଲା। ବୈଠକରେ ବିଜେଡି ମଧ୍ୟ ସହମତି ପ୍ରକାଶ କରିଥିଲା। ସେହିପରି କୋଟିଆ ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସର ଦାବିକୁ ଗ୍ରହଣ କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଆଲୋଚନା ଦିନ ଏହି ପ୍ରସଙ୍ଗ ଉଠାଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ।
ଏହାପରେ ସକାଳୁ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିଥିଲା। ଅପରାହ୍ନ ୧ଟା ୩୦ରୁ ୩ଟା ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ବୈଠକକୁ ଆଲୋଚନା ପାଇଁ ୨ଟା ୧୦ ମିନିଟ୍ ପର୍ଯ୍ୟନ୍ତ ଚଳାଯାଇଥିଲା। କିନ୍ତୁ ବିରୋଧୀ ବିଜେଡି ପକ୍ଷରୁ ଅଣାଯାଇଥିବା ମୁଲତବୀ ପ୍ରସ୍ତାବକୁ ମନ୍ତ୍ରୀ ଖଣ୍ଡନ କରିବା ପରେ ଗୃହରେ ପୁଣି ହଙ୍ଗାମା ଆରମ୍ଭ ହୋଇଥିଲା। ତେବେ ଗୃହରେ ଉତ୍ତେଜନାର କାରଣ ପାଲଟିଥିଲା ବିଜେଡିର ମୁଲତବୀ ପ୍ରସ୍ତାବ। ପ୍ରସ୍ତାବକୁ ଖଣ୍ଡନ କରି ଜବାବ ରଖିଥିଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀଙ୍କ ଜବାବକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବିରୋଧୀ । ଏହାର ପ୍ରତିବାଦରେ ବିଜେଡି ସହ କଂଗ୍ରେସ ସଦସ୍ୟମାନେ ମଧ୍ୟ କକ୍ଷତ୍ୟାଗ କରିଥିଲେ। ଏହାପରେ ବାଚସ୍ପତି ଅପରାହ୍ନ ୨ଟା ୧୦ରୁ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ତେବେ ଏହି ଘଟଣା ସତ୍ତ୍ୱେ ଅପରାହ୍ନ ଅଧିବେଶନ ସ୍ୱାଭାବିକ ଭାବେ ଚାଲିବ ବୋଲି ଶାସକ ଦଳ ଆଶା ପ୍ରକାଶ କରିଥିଲା।
ସୂଚନାଯୋଗ୍ୟ, ନଭେମ୍ବର ୧୮ରୁ ଆରମ୍ଭ ହୋଇଥିଲା ବିଧାନସଭାର ଶୀତକାଳୀନ ଅଧିବେଶନ। ପ୍ରଥମ ଦିନରୁ ହିଁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଗଞ୍ଜାମ ବନ୍ୟା ପରିଚାଳନାରେ ସରକାରଙ୍କ ଅବହେଳା ଅଭିଯୋଗ ଉଠାଇ ବିଜେଡି ସରକାରଙ୍କୁ ଘେରିଥିବା ବେଳେ କୋଟିଆ ସୀମା ବିବାଦକୁ ନେଇ କଂଗ୍ରେସ ପ୍ରତିଦିନ ପ୍ରତିବାଦ କରୁଥିଲା। ଫଳରେ ନଭେମ୍ବର ୧୮ରୁ ୨୦ ପର୍ଯ୍ୟନ୍ତ ସ୍ୱାଭାବିକ କାର୍ଯ୍ୟ ହୋଇପାରି ନଥିଲା। ୨୧ ଓ ୨୨ ତାରିଖରେ ଗୃହ ବନ୍ଦ ରହିବା ପରେ ସୋମବାର ପୁଣି ଆରମ୍ଭ ହୋଇଥିଲା ନିୟମିତ ବିଧାନସଭା କାର୍ଯ୍ୟ।
