ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରେ ବ୍ୟାଟରମାନଙ୍କ ବ୍ୟାଟ୍ର ଆକାର ଓ ମାପକୁ ନେଇ କଡ଼ା ଆନ୍ତର୍ଜାତୀୟ କ୍ରିକେଟ ପରିଷଦ କଟକଣା ଲାଗୁ କରିବାକୁ ଯାଉଛି । ଆଇପିଏଲ୍ ଢାଞ୍ଚାରେ ଏଣିକି ଅନ୍ତର୍ଜାତୀୟ ମ୍ୟାଚ୍ରେ ମଧ୍ୟ ଅମ୍ପାୟାର ଓ ମ୍ୟାଚ୍ ଅଧିକାରୀମାନେ ଖେଳାଳିମାନଙ୍କ ବ୍ୟାଟ୍ର ଯାଞ୍ଚ କରିବେ । ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଗଠିତ ଆଇସିସି କ୍ରିକେଟ୍ କମିଟିର ସୁପାରିଶକୁ ବାଲିରେ ଅନୁଷ୍ଠିତ ମୁଖ୍ୟ କାର୍ୟ୍ୟନିର୍ବାହୀ କମିଟି ବୈଠକରେ ମଞ୍ଜୁରୀ ମିଳିଛି । ଅମ୍ପାୟାରମାନଙ୍କୁ ଏନେଇ ଅବଗତ କରାଯିବା ପରେ ଏହି ନିୟମ ଖୁବ୍ ଶୀଘ୍ର ଲାଗୁ ହେବ । ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ କିମ୍ବା କ୍ରିଜ୍କୁ ଯିବା ସମୟରେ ଖେଳାଳିମାନଙ୍କ ବ୍ୟାଟ୍କୁ ଏକ ସ୍ୱତନ୍ତ୍ର ‘ବ୍ୟାଟ୍ ଗେଜ୍’ ଦେଇ ପରୀକ୍ଷା କରାଯିବ । ଏମସିସି ନିୟମ ୫ ଅନୁଯାୟୀ, ବ୍ୟାଟ୍ର ଧାର ମୋଟେଇ ସର୍ବାଧିକ ୧.୫୬ ଇଞ୍ଚ, ଗଭୀରତା୨.୬୪ ଇଞ୍ଚ ଏବଂ ଚଉଡ଼ା ୪.୨୫ ଇଞ୍ଚ ମଧ୍ୟରେ ରହିବା ଆବଶ୍ୟକ ।ପୂର୍ବରୁ ମ୍ୟାଚ୍ର ଗୋଟିଏ ଦିନ ପୂର୍ବରୁ ବ୍ୟାଟ୍ ଯାଞ୍ଚ ହେଉଥିଲେ ମଧ୍ୟ କିଟ୍ ବ୍ୟାଗ୍ରେ ଥିବା ସବୁ ବ୍ୟାଟ୍ ପରୀକ୍ଷା ହେଉ ନଥିଲା । ଫଳରେ ଖେଳାଳିମାନେ ଅଜାଞ୍ଚିତ ବ୍ୟାଟ୍ ଧରି ମଇଦାନକୁ ଓହ୍ଲାଇବାର ସୁଯୋଗ ପାଉଥିଲେ । ଏଣିକି ଏଭଳି ଫାଙ୍କକୁ ବନ୍ଦ କରାଯିବ ।
ପୂର୍ବରୁ ଆଇପିଏଲ୍ରେ ସୁନୀଲ ନାରିନ, ରବୀନ୍ଦ୍ର ଜାଡେଜା ଓ ରିୟାନ ପରାଗଙ୍କ ଭଳି ଖେଳାଳିଙ୍କ ବ୍ୟାଟ୍ ଗେଜ୍ ଟେଷ୍ଟରେ ବିଫଳ ହେବାରୁ ସେମାନଙ୍କୁ ବ୍ୟାଟ୍ ବଦଳାଇବାକୁ ପଡ଼ିଥିଲା । ନିର୍ମାତାଙ୍କ ତ୍ରୁଟି ଥିଲେ ମଧ୍ୟ ନିୟମ ବାହାର ବ୍ୟାଟ୍ ବ୍ୟବହାର ହୋଇପାରିବ ନାହିଁ । ଟି-୨୦ ସମେତ ସୀମିତ ଓଭର କ୍ରିକେଟରେ ଛକ୍କା ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଛି । ରିପୋର୍ଟ ଅନୁଯାୟୀ, ୨୦୦୮ ଆଇପିଏଲ୍ରେ ମ୍ୟାଚ୍ ପ୍ରତି ହାରାହାରି ୮.୮୮ ଛକ୍କା ବାଜୁଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ବଢ଼ି ୧୯.୨୭ରେ ପହଞ୍ଚିଛି । ବୋଲରମାନଙ୍କ ପାଇଁ ସମାନ ସୁଯୋଗ ବଜାୟ ରଖିବାକୁ ଏହି କଡ଼ା ନିୟମ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । କେବଳ ବ୍ୟାଟ୍ ନୁହେଁ, ବଲ୍ର ଗୁଣବତ୍ତା ବଢ଼ାଇବା ଦିଗରେ ମଧ୍ୟ ଆଇସିସି କମିଟି ପଦକ୍ଷେପ ନେଇଛି । ୨୦୨୯ ଏବଂ ୨୦୩୦ ଅଣ୍ଡର-୧୯ ବିଶ୍ୱକପ୍ ବୟସ ବର୍ଗ କ୍ରିକେଟରେ ଭିନ୍ନ ଧରଣର କ୍ରିକେଟ୍ ବଲ୍ ପରୀକ୍ଷା କରିବାକୁ ସୁପାରିଶ କରାଯାଇଛି । ବର୍ତ୍ତମାନ ଆଇସିସିର ପ୍ରମୁଖ ସୀମିତ ଓଭର ଟୁର୍ଣ୍ଣାମେଣ୍ଟରେ ଧଳା କୁକାବୁରା ବଲ୍ ବ୍ୟବହୃତ ହେଉଥିବା ବେଳେ, ଏହି ପରୀକ୍ଷଣର ଉଦ୍ଦେଶ୍ୟ ବଲ୍ର ପ୍ରଦର୍ଶନ ଓ ମାନକୁ ଆହୁରି ଉନ୍ନତ କରିବା ବୋଲି ସ୍ପଷ୍ଟ କରାଯାଇଛି ।
