ବ୍ରହ୍ମପୁର: ଗଞ୍ଜାମରେ ବାତ୍ୟା ଓ ବନ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ରିଲିଫ୍, କ୍ଷତିପୂରଣ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ବାତ୍ୟା ‘ଅର୍ଣ୍ଣବ’ ଓ ‘ଅକୱାନ’ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ପୁରୁଷୋତ୍ତମପୁର ବ୍ଲକ୍ର ହାଣ୍ଡିଘର ଏବଂ ଛତ୍ରପୁର ବ୍ଲକ୍ର ବଉଳଗାଁ (ବଗା) ଆଦି ଅଞ୍ଚଳ ବୁଲି ଜଳମଗ୍ନ ଚାଷଜମି ଓ ଫସଲ କ୍ଷତି ଦେଖିଥିଲେ। ସେ ପ୍ରଭାବିତ ଚାଷୀମାନଙ୍କ ସହ ଆଲୋଚନା କରି ତୁରନ୍ତ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆକାଶମାର୍ଗରୁ ଗଞ୍ଜାମ ଓ ଗଜପତି ଜିଲ୍ଲାର ବାତ୍ୟା-ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖିଥିଲେ।
ଛତ୍ରପୁରସ୍ଥିତ ଗଞ୍ଜାମ ଜିଲ୍ଲା ପରିଷଦଠାରେ ବିଭାଗୀୟ ଅଧିକାରୀ, ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧିମାନଙ୍କ ସହ ରିଲିଫ୍ ବଣ୍ଟନ, କ୍ଷୟକ୍ଷତି ଆକଳନ ଏବଂ ଭିତ୍ତିଭୂମି ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଆଜିର ସମୀକ୍ଷା ବୈଠକରେ ବନ୍ୟା ପ୍ରଭାବିତ ଚାଷୀଙ୍କ କ୍ଷୟକ୍ଷତି ଆକଳନ ଏବଂ ସହାୟତା ପ୍ରଦାନ ପ୍ରକ୍ରିୟା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।
ଏହା ସହିତ କ୍ଷତିଗ୍ରସ୍ତ ପରିବାରଙ୍କୁ ରିଲିଫ୍ ଓ ପୁନର୍ବାସ ସହାୟତା, ଭାଙ୍ଗିଯାଇଥିବା ରାସ୍ତାଘାଟର ମରାମତି, ନଦୀବନ୍ଧ ସୁଦୃଢ଼ୀକରଣ ଏବଂ କ୍ଷତିଗ୍ରସ୍ତ ଜଳସେଚନ ବ୍ୟବସ୍ଥାର ପୁନରୁଦ୍ଧାର ନେଇ ଆଲୋଚନା ହୋଇଛି। ବନ୍ୟା ପରେ ବିଭିନ୍ନ ଅଞ୍ଚଳରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ପଦକ୍ଷେପ ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଛି।
ବାତ୍ୟା ଓ ବନ୍ୟାର ଦୀର୍ଘସ୍ଥାୟୀ ପ୍ରଭାବରୁ ଗଞ୍ଜାମ ଜିଲ୍ଲା ଏବେ ବି ସମ୍ପୂର୍ଣ୍ଣ ମୁକୁଳି ପାରିନାହିଁ। ଅନେକ ଚାଷୀ ଓ କ୍ଷତିଗ୍ରସ୍ତ ପରିବାର ସରକାରୀ ସହାୟତା ଓ କ୍ଷତିପୂରଣକୁ ଅପେକ୍ଷା କରିଛନ୍ତି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ଓ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବିଶେଷ ଗୁରୁତ୍ୱ ବହନ କରୁଛି। ଏବେ କ୍ଷୟକ୍ଷତିର ସଠିକ୍ ଆକଳନ, ପ୍ରଭାବିତ ଲୋକଙ୍କୁ ସମୟୋଚିତ ସହାୟତା ଏବଂ କ୍ଷତିଗ୍ରସ୍ତ ଭିତ୍ତିଭୂମିର ଶୀଘ୍ର ପୁନରୁଦ୍ଧାର ଉପରେ ଗଞ୍ଜାମବାସୀଙ୍କ ନଜର ରହିଛି।
