Latest Odisha News

BREAKING NEWS

ବଲ୍‌ରେ ଛେପ ଲଗାଇବା ଉପରେ କଟକଣାକୁ ନେଇ ଶୁଭମନ ଗିଲ୍‌ଙ୍କ ଅସନ୍ତୋଷ

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟ ମ୍ୟାଚ୍ ଡ୍ର’ରେ ଶେଷ ହେବା ପରେ ଭାରତୀୟ ଦଳର ଅଧିନାୟକ ଶୁଭମନ ଗିଲ୍ କ୍ରିକେଟ୍ ବଲ୍‌ରେ ଛେପ  ଲଗାଇବା ଉପରେ ଲାଗିଥିବା କଟକଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । କୋଭିଡ୍-୧୯ ମହାମାରୀ ସମୟରେ ଲାଗୁ ହୋଇଥିବା ଏହି ନିୟମ ଏବେ ବି କାହିଁକି ବଳବତ୍ତର ରହିଛି ବୋଲି ସେ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦକୁ ପ୍ରଶ୍ନ କରିଛନ୍ତି ।  ଗିଲ୍ କହିଛନ୍ତି ଯେ, କୋଭିଡ୍-୧୯ ମହାମାରୀ ବିତି ଯିବାକୁ ଅନେକ ବର୍ଷ ହୋଇଗଲାଣି, ତେଣୁ ବଲ୍ ଚକଚକିଆ ରଖିବା ପାଇଁ ଛେପ ବ୍ୟବହାର ଉପରେ କଟକଣା କାହିଁକି ରହିଛି ତାହା ବୁଝାପଡ଼ୁ ନାହିଁ । ତାଙ୍କ ମତରେ, ବଲ୍‌ରେ ଛେପ ଲଗାଇବାର ଅନୁମତି ପୁଣିଥରେ ମିଳିବା ଉଚିତ । ୱେଲିଂଟନର ବେସିନ୍ ରିଜର୍ଭ ପିଚ୍‌ରେ ବୋଲରମାନେ ୱିକେଟ୍ ନେବାରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ମାତ୍ର ୨୫ରୁ ୩୦ ଓଭର ଭିତରେ କୁକାବୁରା ବଲ୍ ନରମ ହୋଇଯାଉଥିବା ସେ ଅଭିଯୋଗ କରିଛନ୍ତି ।

ଗିଲ୍ କହିଛନ୍ତି ଯେ ବଲ୍ ଶୀଘ୍ର ନରମ ହୋଇଯିବା ଏବଂ ତାକୁ ସଠିକ୍ ଭାବେ ରକ୍ଷଣାବେକ୍ଷଣ କରି ନପାରିବା ଯୋଗୁଁ ସୁଇଂ ଓ ରିଭର୍ସ ସୁଇଂ ମିଳିବା କଷ୍ଟକର ହୋଇପଡ଼ୁଛି । ବଲ୍ ଏଜ୍ ନେଲେ ବି କ୍ୟାରି ହେଉନାହିଁ ଏବଂ ପିଚ୍‌ରେ ସେତେଟା ମୁଭମେଣ୍ଟ ନଥିଲେ ଏଲ୍‌ବିଡବ୍ଲ୍ୟୁ ସୁଯୋଗ ମଧ୍ୟ କମିଯାଉଛି । ଗତବର୍ଷ ଇଂଲଣ୍ଡ ଗସ୍ତରେ ମଧ୍ୟ ଡ୍ୟୁକ୍ସ ବଲ୍ ଶୀଘ୍ର ନରମ ହେଉଥିବା ସମସ୍ୟା ଦେଖାଯାଇଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି । ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ଟମ୍ ଲାଥାମ୍ ମଧ୍ୟ ମ୍ୟାଚ୍ ସମୟରେ ବଲ୍ ନରମ ହେଉଥିବା କଥାକୁ ସମର୍ଥନ କରିଛନ୍ତି । କୋଭିଡ୍-୧୯ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଆଇସିସି ମେ ୨୦୨୦ରେ ବଲ୍‌ରେ ଛେପ ଲଗାଇବା ଉପରେ ଅସ୍ଥାୟୀ କଟକଣା ଲଗାଇଥିଲା ଏବଂ ସେପ୍ଟେମ୍ବର ୨୦୨୨ରେ ଏହାକୁ ସ୍ଥାୟୀ ନିୟମରେ ପରିଣତ କରିଥିଲା । ବର୍ତ୍ତମାନ କେବଳ ଝାଳ  ବ୍ୟବହାର କରି ବଲ୍ ଚକଚକିଆ ରଖିବାର ଅନୁମତି ରହିଛି । ଉଲ୍ଲେଖଯୋଗ୍ୟ ଯେ, ୱେଲିଂଟନ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୭୨୦/୯ ରନ୍‌ରେ ପାଳି ଘୋଷଣା କରିଥିବା ବେଳେ, ଶେଷ ଦିନରେ ନ୍ୟୁଜିଲ୍ୟାଣ୍ଡ ୨୩୯/୫ ରନ୍ କରି ମ୍ୟାଚ୍‌କୁ ଡ୍ର’ ରଖିବାରେ ସଫଳ ହୋଇଥିଲା ।

Leave A Reply

Your email address will not be published.