Latest Odisha News

BREAKING NEWS

ଉତ୍ତରପ୍ରଦେଶରେ ସଙ୍କଟରେ ସପା-କଂଗ୍ରେସ ମେଂଟ ! ସିଟ୍ ସେୟାର ନେଇ ଛିଡୁନି ଅଙ୍କ, ବାରମ୍ବାର ବୈଠକ

ନୂଆଦିଲ୍ଲୀ: ଉଥଲପୁଥଲ୍ ହେବ କି ଉତ୍ତରପ୍ରଦେଶ ରାଜନୀତି ? ଦୁଇଦିନ ହେବ ବାରମ୍ବାର ବସୁଛି ବୈଠକ ହେଲେ ଭାଗମାପ ଠିକ୍ ରହୁନଥିବାରୁ ଭୁଲ୍ ହୋଇଯାଉଛି ଗଣିତ । ଶେଷରେ ଗୋଟିଏ ଅଙ୍କରେ ସ୍ଥିର ସମାଜବାଦୀ ପାର୍ଟି । ସ୍ପଷ୍ଟ ହୋଇନି କଂଗ୍ରେସର ଆଭିମୁଖ୍ୟ । ଆସନ୍ତା ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ଇଣ୍ଡିଆ ବ୍ଲକର ସପା-କଂଗ୍ରେସ ମେଂଟ ନେଇ ଦ୍ୱନ୍ଦ୍ୱ ଦେଖାଦେଲାଣି । ଆସନ ବଂଟନକୁ ନେଇ ଅଖିଲେଶଙ୍କ ସପା ଓ କଂଗ୍ରେସ ମଧ୍ୟରେ ଘନଘନ ବୈଠକ ବସୁଛି । ସୋମବାର ବୈଠକ ବସିଥିଲେ ବି ୧୫ ମିନିଟରେ ସରିଥିଲା ଆଲୋଚନା । ମଙ୍ଗଳବାର ପୁଣି ଦିଲ୍ଲୀରେ ବସିଛି ବୈଠକ । ସପା ସାଂସଦ ରାଜୀବ ରାଏ ବୈଠକ ପୂର୍ବରୁ ଦେଇଛନ୍ତି ଚାଂଚଲ୍ୟକର ବକ୍ତବ୍ୟ । ସପା ପକ୍ଷରୁ କଂଗ୍ରେସକୁ ରାଜ୍ୟର ୨୬ଟି ଆସନ ଦେବାକୁ ପ୍ରସ୍ତାବ ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏନେଇ ଆଲୋଚନ କରିବୁ ବୋଲି ସପା କହୁଥିବା ବେଳେ କଂଗ୍ରେସ ଉତ୍ତରପ୍ରଦେଶର ୪୦୩ ବିଧାନସଭା ଆସନରୁ କେବଳ ୨୬ଟି ଆସନରେ ପ୍ରାର୍ଥୀ ଦେବାକୁ ରାଜି କି ନୁହେଁ ତାହା ସ୍ପଷ୍ଟ ହୋଇନି । ଆଲୋଚନା ପୂର୍ବରୁ କଂଗ୍ରେସ ୧୮୧ ଆସନ ଆଣିବା ସପକ୍ଷରେ ଥିଲା । କିନ୍ତୁ ସପା ରାଜି ନହେବାରୁ କଂଗ୍ରେସ ଶହେରୁ ୧୨୦କୁ ଖସିଛି । ଏପଟେ କିନ୍ତୁ ସପା ମାତ୍ର ୨୬ଟି ଆସନ ଦେବାକୁ ପ୍ରସ୍ତାବ ଦେଉଛି । କଂଗ୍ରେସ କିନ୍ତୁ ଅତିକମରେ ୬୦-୭୦ ଏ-ଗ୍ରେଡ ଆସନ ଚାହୁଁଛି । କଂଗ୍ରେସ ଏମପି ଇମ୍ରାନ ମସୁଦ୍ କହିଛନ୍ତି କଠୋର ଦାବି ନୁହେଁ ପରସ୍ପରର ସହ ଯୋଗରେ ଆଲୋଚନା ପରିଚାଳିତ ହୋଇଛିା

୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ଯେଉଁସ୍ଥାନରେ ଆଗୁଆ ଥିଲା କିମ୍ବା କମ୍ ବ୍ୟବଧାନରେ ପଛରେ ଥିଲା ସେସବୁ ସ୍ଥାନରେ ପ୍ରାର୍ଥୀ ଦେବାକୁ ଚାହୁଁଥିବା ବେଳେ ସପା କିନ୍ତୁ ତାର ଗଡ ଛାଡିବାକୁ ନାରାଜ । ୨୦୧୭ରେ ସପା କଂଗ୍ରେସକୁ ୧୦୫ ଆସନ ଦେଇଥିଲା, ତେଣୁ ଏଥର କଂଗ୍ରେସ ଶହେ ଆସନ ପାଇଁ ଲବି କରୁଛି । ୨୦୨୪ ଲୋକସଭା ନିର୍ବାଚନରେ ୧୭ଟି ଆସନ ପାଇଥିଲା କଂଗ୍ରେସ ତେଣୁ ସେହି ଅନୁପାତରେ ୮୦ରୁ ଅଧିକ ଆସନ ପାଇବ ବୋଲି କଂଗ୍ରେସ ଆଶା ରଖିଛି । ଉଭୟ ଦଳ ମଧ୍ୟରେ ସମୀକରଣ ଛିଡୁଛି ନା ଭାଙ୍ଗୁଛି ମେଂଟ, ତାକୁ ନେଇ କଳ୍ପନା ଜଳ୍ପନା ଚାଲିଛି ।

Leave A Reply

Your email address will not be published.