ମହାଦେବ ଆପ୍ ଦୁର୍ନୀତି: ବିଚାରପତିଙ୍କୁ ପରିଚାଳନା କରିବା ପାଇଁ ଅର୍ଥ ନେଇଥିବା ଅଭିଯୋଗରେ ଦିଲ୍ଲୀ ଓକିଲଙ୍କୁ ଗିରଫ କଲା ଇଡି
ନୂଆଦିଲ୍ଲୀ: ‘ମହାଦେବ ଅନ୍ଲାଇନ୍ ବେଟିଂ ଆପ୍’ (Mahadev Online Betting App) ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦିଲ୍ଲୀର ୪୩ ବର୍ଷୀୟ ଓକିଲ ହିମାଂଶୁ ଶେଖର (ଓରଫ ମୋହିତ)ଙ୍କୁ ଗିରଫ କରିଛି। ମହାଦେବ ଆପ୍ର ମୁଖ୍ୟ ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କଠାରୁ ୧୫ କୋଟି ଟଙ୍କାରୁ ଅଧିକ ଏବଂ ପରବର୍ତ୍ତୀ ସମୟରେ କିସ୍ତି ଆକାରରେ ଆହୁରି ଟଙ୍କା ନେଇଥିବା ଅଭିଯୋଗ ହୋଇଛି।
ବିଚାରପତି, ସରକାରୀ ଓକିଲ, ବରିଷ୍ଠ ଅଧିକାରୀ ଏବଂ ଇଣ୍ଟରପୋଲ୍ (Interpol) କାର୍ଯ୍ୟାନୁଷ୍ଠାନକୁ ‘ପରିଚାଳନା’ (manage) କରିବା ସହ ମାମଲାରୁ ଆଶ୍ୱସ୍ତି ଦେବା ପାଇଁ ସେ ଏହି ଟଙ୍କା ନେଇଥିଲେ। ସୂଚନା ଅନୁସାରେ ନଭେମ୍ବର ୧ ତାରିଖରେ ଓମାନରୁ ପ୍ରତ୍ୟର୍ପଣ (extradition) ହୋଇ ଭାରତ ଆସିଥିବା ସୌରଭ ଚନ୍ଦ୍ରାକରଙ୍କୁ ଜେରା ବେଳେ ହିମାଂଶୁ ଶେଖରଙ୍କ ନାମ ସାମ୍ନାକୁ ଆସିଥିଲା। ଇଡିର ‘ଲୁକ୍-ଆଉଟ୍ ସର୍କୁଲାର’ (LOC) ଆଧାରରେ ନଭେମ୍ବର ୨୦ ତାରିଖରେ ମୁମ୍ବାଇ ବିମାନବନ୍ଦରରୁ ଦୁବାଇ ଯିବା ସମୟରେ ଇମିଗ୍ରେସନ୍ ଅଧିକାରୀମାନେ ତାଙ୍କୁ ଅଟକ ରଖିଥିଲେ।
ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ପ୍ରଥମେ ତାଙ୍କର ଟ୍ରାନ୍ଜିଟ୍ ରିମାଣ୍ଡ (transit remand) ଆବେଦନକୁ ଖାରଜ କରିଦେଇଥିଲେ, କିନ୍ତୁ ବମ୍ବେ ହାଇକୋର୍ଟ ଉକ୍ତ ଆଦେଶକୁ ରଦ୍ଦ କରିବା ପରେ ଇଡି ତାଙ୍କୁ ରାୟପୁର ନେଇଥିଲା। ସୋମବାର (ନଭେମ୍ବର ୨୩) ବିଳମ୍ବିତ ରାତିରେ ରାୟପୁରର ଏକ ସ୍ୱତନ୍ତ୍ର PMLA କୋର୍ଟ ତାଙ୍କୁ ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇ ଦେଇଛନ୍ତି। ଅନ୍ୟପଟେ ହିମାଂଶୁ ଶେଖର ୧୫ କୋଟି ଟଙ୍କା ନେଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କେବଳ ଆଇନଗତ ପରାମର୍ଶ ବାବଦକୁ (professional fees) ମହାଦେବ ଆପ୍ ପ୍ରମୋଟରଙ୍କଠାରୁ ୪୦ ଲକ୍ଷ ଟଙ୍କା ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କଠାରୁ ୨୫ ଲକ୍ଷ ଟଙ୍କା ନେଇଥିବା ତାଙ୍କ ଓକିଲଙ୍କ ଜରିଆରେ କହିଛନ୍ତି।
