Latest Odisha News

BREAKING NEWS

Actor Arrested:ବିବାହ କରିବା ଆଳରେ ୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ,ଓଡ଼ିଆ ପ୍ରଯୋଜକଙ୍କୁ ଅଟକ ରଖିଲା ପୋଲିସ

ଭୁବନେଶ୍ବର:ବିବାହ କରିବାର ପ୍ରତିଶ୍ରୁତି ଦେଇ ଯୁବତୀଙ୍କଠାରୁ ଟଙ୍କା ନେବା ଏବଂ ପରେ ଧୋକା ଦେବା ଅଭିଯୋଗରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା ପ୍ରଯୋଜକ ରାକେଶ କୁମାର ପାଢ଼ୀ ଅଟକ । ଭରତପୁର ଥାନାରେ ପୀଡ଼ିତାଙ୍କ ଅଭିଯୋଗ ପରେ ପୋଲିସ ତାଙ୍କୁ ଅଟକ ରଖିଛି । ବିବାହ କରିବାର ପ୍ରତିଶ୍ରୁତି ଦେଇ ରାକେଶ ଯୁବତୀଙ୍କଠାରୁ ବିଭିନ୍ନ ପର୍ଯ୍ୟାୟରେ ୫ ଲକ୍ଷ ଟଙ୍କାରୁ ଅଧିକ ନେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଏକ ପାର୍ଟିରେ ଅଭିଯୋଗକାରିଣୀଙ୍କ ସହ ରାକେଶଙ୍କର ପରିଚୟ ହୋଇଥିଲା। । ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢ଼ିଥିଲା । ଫିଲ୍ମରେ ଅଭିନୟ ତଥା କାମ କରିବାର ସୁଯୋଗ ଦେବା ବାହାନାରେ ରାକେଶ ଯୁବତୀଙ୍କ ସହ ଘନିଷ୍ଠତା ବଢ଼ାଇଥିଲେ ଏବଂ ପରବର୍ତ୍ତୀ ସମୟରେ ଏହି ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା ।

ସମ୍ପର୍କ ନିବିଡ଼ ହେବା ପରେ ସେ ଯୁବତୀଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ। ​ବିବାହ ଓ ଫିଲ୍ମରେ କାମ ଦେବାର ଆଳ ଦେଖାଇ ଅଭିଯୁକ୍ତ ଜଣକ ବିଭିନ୍ନ ସମୟରେ ପର୍ଯ୍ୟାୟ କ୍ରମେ ପୀଡ଼ିତାଙ୍କଠାରୁ ମୋଟ ୫ ଲକ୍ଷ ଟଙ୍କା ନେଇଥିଲେ। ତେବେ ଟଙ୍କା ନେବା ପରେ ସେ ବିବାହ କରିବାକୁ ମନା କରିବା ସହ ଯୁବତୀଙ୍କଠାରୁ ଦୂରେଇ ଯାଇଥିଲେ ଏବଂ ଆଉ ଧରାଛୁଆଁ ଦେଇନଥିଲେ ।

ପ୍ରତାରିତ ହୋଇଥିବା ଜାଣିବା ପରେ ପୀଡ଼ିତା ଜଣକ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଗତକାଲି ରାତିରେ ପଟିଆ ସ୍ଥିତ ଫ୍ଲାଟରୁ ରାକେଶଙ୍କୁ ଉଠାଇ ଆଣିଥିଲା । ଘଟଣାର ଅନ୍ୟାନ୍ୟ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.