Latest Odisha News

BREAKING NEWS

ଇରାନ-ସମର୍ଥିତ ହୁତି ବିଦ୍ରୋହୀଙ୍କ ଆକ୍ରମଣ ଆଶଙ୍କା ବୃଦ୍ଧି ;ଆମେରିକା ନିଜ ନାଗରିକମାନଙ୍କୁ କଲା ସତର୍କ

ନୂଆଦିଲ୍ଲୀ:ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସୁରକ୍ଷା ବିପଦକୁ ଦୃଷ୍ଟିରେ ରଖି ଯୁକ୍ତରାଷ୍ଟ୍ର ଆମେରିକା ନିଜ ନାଗରିକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ଆମେରିକା ବୈଦେଶିକ ବିଭାଗ ଏକ ଚେତାବନୀ ଜାରି କରି କହିଛି ଯେ, ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ଦ୍ୱାରା ସଶସ୍ତ୍ର ଆକ୍ରମଣର ଆଶଙ୍କା ବୃଦ୍ଧି ପାଇଛି। ଏହା ବ୍ୟତୀତ, ଇରାନ ଏହି ଅଞ୍ଚଳରେ ଥିବା ଆମେରିକା ସରକାରୀ ଅଧିକାରୀ ଏବଂ ସରକାରୀ ସ୍ଥାପନାଗୁଡ଼ିକୁ ଟାର୍ଗେଟ୍ କରିବାକୁ ମଧ୍ୟ ଉଦ୍ୟମ କରୁଛି।

ଆମେରିକା ବୈଦେଶିକ ବିଭାଗ, ଏହି ଅଞ୍ଚଳର ବିଭିନ୍ନ ଦେଶରେ ଥିବା ନିଜ ଦୂତାବାସଗୁଡ଼ିକ ମାଧ୍ୟମରେ ଅନେକ ବିବୃତି ଜାରି କରି ଆମେରିକୀୟ ନାଗରିକମାନଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛି। ବିଭାଗ ପକ୍ଷରୁ ନାଗରିକମାନଙ୍କୁ ସମ୍ଭାବ୍ୟ ସୁରକ୍ଷା ସତର୍କତା, ବିମାନ ଉଡ଼ାଣ ବାତିଲ, ଆକାଶମାର୍ଗ ବନ୍ଦ ହେବା ଏବଂ ଯାତାୟତରେ ବାଧା ସୃଷ୍ଟି ହେବା ଭଳି ପରିସ୍ଥିତି ନେଇ ସଜାଗ ରହିବାକୁ କୁହାଯାଇଛି।

ଷ୍ଟେଟ୍ ଡିପାର୍ଟମେଣ୍ଟ ଅନୁଯାୟୀ, ଇରାନ ବାହାରିନ୍ ଏବଂ କୁୱେତରେ ଥିବା ଆମେରିକୀୟ ଘାଟିଗୁଡ଼ିକୁ ଟାର୍ଗେଟ କରି ଆକ୍ରମଣ କରିଛି। ଏହି ସମୟରେ, ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ମଧ୍ୟ ସାଉଦି ଆରବ ବିରୁଦ୍ଧରେ ଆକ୍ରମଣ ଆରମ୍ଭ କରିଛନ୍ତି। ଏହି ଆକ୍ରମଣଗୁଡ଼ିକ ବେସାମରିକ ବିମାନବନ୍ଦର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଟାର୍ଗେଟ କରି କରାଯାଇଥିଲା, ଯାହା ଫଳରେ ସାଧାରଣ ଲୋକଙ୍କ କ୍ଷତି ହୋଇଥିଲା ଏବଂ ଯାତ୍ରାରେ ଗୁରୁତର ବାଧା ସୃଷ୍ଟି ହୋଇଥିଲା। ଆମେରିକାର ଷ୍ଟେଟ୍ ଡିପାର୍ଟମେଣ୍ଟ ଚିନ୍ତା ପ୍ରକାଶ କରିଛି ଯେ ଏହି ଅଞ୍ଚଳରେ ଚାଲିଥିବା ସଂଘର୍ଷ ଦ୍ରୁତ ଗତିରେ ବୃଦ୍ଧି ପାଇପାରେ।

ସୂଚନାଥାଉକି, ସାଉଦି ଆରବର ରାଜଧାନୀ ରିୟାଦରେ ଆର୍ଥିକ କେନ୍ଦ୍ରରେ ଥିବା ଏକ ଟାୱାରକୁ ଟାର୍ଗେଟ୍ କରାଯାଇଥିଲା। ସାଉଦି ସିଭିଲ୍ ଡିଫେନ୍ସ (ନାଗରିକ ସୁରକ୍ଷା ବିଭାଗ) ଅନୁଯାୟୀ, ଏହି ଆକ୍ରମଣରେ ୧୧ ଜଣ ଲୋକ ଆହତ ହୋଇଛନ୍ତି, ଯେଉଁଥିରେ ଦୁଇ ଜଣ ଭାରତୀୟ ନାଗରିକ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ଜାରି କରାଯାଇଥିବା ଏକ ବିବୃତ୍ତିରେ, ସାଉଦି ସିଭିଲ୍ ଡିଫେନ୍ସର ଜେନେରାଲ୍ ଡାଇରେକ୍ଟୋରେଟ୍ ଜଣାଇଛି ଯେ ଆହତମାନଙ୍କ ମଧ୍ୟରେ ଦୁଇ ଜଣ ସାଉଦି ନାଗରିକ, ଦୁଇ ଜଣ ଭାରତୀୟ, ତିନି ଜଣ ନେପାଳୀ ଏବଂ ଚାରି ଜଣ ଇଜିପ୍ଟର ନାଗରିକ ରହିଛନ୍ତି। ସାଉଦି କର୍ତ୍ତୃପକ୍ଷ ଏହି ଆକ୍ରମଣ ପାଇଁ ୟେମେନର ହୁତି ବିଦ୍ରୋହୀମାନଙ୍କୁ ଦାୟୀ କରିଛନ୍ତି।

ଏହି ସମୟରେ, ଇରାନ ମଙ୍ଗଳବାର ସ୍ପଷ୍ଟ କରିଛି ଯେ ଯଦି ଏହାର ସାତଟି ସର୍ତ୍ତ ପୂରଣ ନହୁଏ, ତେବେ ସେ ଆମେରିକା ସହିତ ସଂଘର୍ଷ ସମାପ୍ତ କରିବା ପାଇଁ ଆଲୋଚନାରେ ସାମିଲ ହେବ ନାହିଁ। ଯଦିଓ ଏହି ସର୍ତ୍ତଗୁଡ଼ିକ ଆନୁଷ୍ଠାନିକ ଭାବରେ ପ୍ରକାଶ କରାଯାଇ ନାହିଁ, ଇରାନର ସରକାରୀ ଗଣମାଧ୍ୟମ ରିପୋର୍ଟ ସୂଚିତ କରୁଛି ଯେ ଏଥିରେ କଟକଣା ପ୍ରତ୍ୟାହାର, ଇରାନ ବନ୍ଦରଗୁଡ଼ିକରୁ ଆମେରିକାର ନୌସେନା ଅବରୋଧର ସମାପ୍ତି ଏବଂ ଜବତ ଇରାନ ସମ୍ପତ୍ତିର ମୁକ୍ତି ଅନ୍ତର୍ଭୁକ୍ତ।

Leave A Reply

Your email address will not be published.