ଉତ୍ତରପ୍ରଦେଶ: ୟୁପି ଇଲେକ୍ସନ ପୂର୍ବରୁ ତିକ୍ତତା । କଂଗ୍ରେସ ସହ ଆସନ ବୁଝାମଣା ନକରି ୨୦୨୭ ୟୁପି ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ସମାଜବାଦିପାର୍ଟି । ଯାହାକୁ ନେଇ ଏବେ ମେଂଟରେ ସ୍ୱାଭିମାନର ପ୍ରଶ୍ନକୁ ମୁଦ୍ଦା କଲେଣି କଂଗ୍ରେସ ନେତା । ୟୁପିର ଦୁଇ ଯୁବକଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହେଲାଣି କହିଲେ ଅତ୍ୟୁକ୍ତି ହେବନି । ସମାଜବାଦିପାର୍ଟିର କଂଗ୍ରେସକୁ ୨୬ ଆସନ ଦେବା ପସ୍ତାବ ଏବଂ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବାକୁ ନେଇ କଂଗ୍ରେସ ସାଂସଦ ତଥା ୟୁପିର କଂଗ୍ରେସ ସଭାପତି ଇମ୍ରାନ ମସୁଦ୍ ଦୁଃଖ ପ୍ରକାଶ କରିଛନ୍ତି । ଆମେ କଣ ଭିକାରୀ ବୋଲି ପ୍ରଶ୍ନ କରିଛନ୍ତି ମସୁଦ୍ । ସପା ମୁଖ୍ୟ ଅଖିଲେଶ ଯାଦବଙ୍କ ନିଷ୍ପତ୍ତିକୁ ଦୃଢତାର ସହ ନିନ୍ଦା କରିଛନ୍ତି ସେ । ୟୁପିରେ କଂଗ୍ରେସକୁ ୨୬ଟି ଆସନ କାହିଁକି ବୋଲି ସେ କହିଛନ୍ତି । କଂଗ୍ରେସ ତ ଆସନ ମାଗିନାହିଁ , ଆପଣ ୨୬ ଆସନ ଦେବାର ଅର୍ଥ କଣ ଆମେ ଭିକାରୀ ବୋଲି କହିଛନ୍ତି ମସୁଦ୍ ।
ସୂଚନା ଅନୁସାରେ ଏବେସୁଦ୍ଧା ୟୁପି ଇଲେକ୍ସନ ପାଇଁ ସପା-କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ହୋଇନାହିଁ । ଫଳରେ ବାରମ୍ବାର ବସୁଛି ବୈଠକ, ହେଲେ ନିଷ୍କର୍ଷ ଶୂନ୍ । ଆଗାମୀ ନିର୍ବାଚନ ପାଇଁ ମେଂଟ ମଧ୍ୟରେ ଆସନ ବୁଝାମଣା ଚାଲିଥିବା ବେଳେ କଂଗ୍ରେସକୁ ୨୬ ଆସନ ପ୍ରସ୍ତାବକୁ ନେଇ ମସୁଦ୍ ମୁହଁ ଖୋଲିଛନ୍ତି । କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ହେବା ଆବଶ୍ୟକ ବୋଲି କହିଛନ୍ତି ସାଂସଦ । କଂଗ୍ରେସ ମାଗିବା ବିନା ସପାର ଏ ୨୬ ଆସନ ଦେବା ବୁଝାପଡୁନି ବୋଲି କହିଛନ୍ତି ମସୁଦ୍ । ଯଦି ଆପଣଙ୍କ କାମ କରିବାର ଶୈଳୀ ଏହା ତେବେ ମେଂଟର ନିୟମକୁ ଏହା ଉଲ୍ଲଂଘନ କରୁଛି ବୋଲି ସେ କିହଛନ୍ତି । ଜଣେ ସ୍ୱାଭିମାନୀ ନେତା ଭାବେ ମୋତେ ଏହା ଭଲ ଲାଗୁନି ମୁଁ ଏହାକୁ ସ୍ୱାଗତ କରୁନାହିଁ ବୋଲି କହିଛନ୍ତି ମସୁଦ୍ । ସେପଟେ ନୂଆଦିଲ୍ଲୀରେ କଂଗ୍ରେସ ଓ ସପା ମଧ୍ୟରେ ଆସନ ବୁଝାମଣା ନେଇ ଚାଲିଥିବା ମିଟିଂ ଏବେସୁଦ୍ଧା ସରିନି । ସୋମବାର ପରେ ମଙ୍ଗଳବାର ମଧ୍ୟ କୌଣସି ନିଷ୍କର୍ସ ବାହାରିନଥିବା ସୂଚନା ମିଲିଛି ।
