Latest Odisha News

BREAKING NEWS

ମହିଳା SI ମୃତ୍ୟୁ ଘଟଣା: ପରିବାର ଆଣିଲା ନିର୍ଯାତନା ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନାର ମହିଳା ସବ୍‌-ଇନ୍ସପେକ୍ଟର (SI) ପ୍ରଭାସିନୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆସିଲା ଟ୍ୱିଷ୍ଟ। ଶାଶୁଘର ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ SIଙ୍କ ପରିବାର। ଏହାସହ ହତ୍ୟା ଅଭିଯୋଗ ମଧ୍ୟ ଆଣିଛନ୍ତି। ନଭେମ୍ବର ୨୧ ତାରିଖ ଶନିବାର ସକାଳେ ପୁରୁଷୋତ୍ତମପୁର ଥାନା ପରିସରରେ ଥିବା ସରକାରୀ କ୍ୱାର୍ଟରରୁ ୨୭ ବର୍ଷୀୟା ପ୍ରଭାସିନୀ ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ସେ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧ଟା ପର୍ଯ୍ୟନ୍ତ ଥାନାରେ ଡ୍ୟୁଟି କରି ନିଜ କ୍ୱାର୍ଟରକୁ ଫେରିଥିଲେ।

ପ୍ରଭାସିନୀ କଦାପି ଆତ୍ମହତ୍ୟା କରିପାରିବେ ନାହିଁ ଏବଂ ତାଙ୍କୁ ଯୋଜନାବଦ୍ଧ ଭାବେ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାର ନିରପେକ୍ଷ ତଥା କ୍ରାଇମବ୍ରାଞ୍ଚ (Crime Branch) ତଦନ୍ତ ପାଇଁ ସେମାନେ ଦାବି କରିଛନ୍ତି। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ମହନ୍ତପୁର ଗ୍ରାମର ପ୍ରଭାସିନୀ ପୁରୀରେ ବିବାହ କରିଥିଲେ ଏବଂ ସେ ଦୁଇ ମାସର ଗର୍ଭବତୀ ଥିଲେ। ୨୦୨୪ ବ୍ୟାଚ୍‌ର ଏହି ଅଧିକାରୀ ଗତ ସେପ୍ଟେମ୍ବର ମାସରେ ପୁରୁଷୋତ୍ତମପୁର ଥାନାରେ ପ୍ରଥମ ପୋଷ୍ଟିଂ ପାଇ ଯୋଗ ଦେଇଥିଲେ।

ଗଞ୍ଜାମ ଏସ୍‌ପି ହରିଶ ବି.ସି. ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ଭଳି ଜଣାପଡ଼ୁଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟ, ଫୋରେନସିକ୍ ଯାଞ୍ଚ ଏବଂ ମୃତ ଏସ୍‌ଆଇଙ୍କ ମୋବାଇଲ ଫୋନର ତଥ୍ୟ ଯାଞ୍ଚ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ଅନ୍ୟପଟେ, ପ୍ରଭାସିନୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ଓ ଅସନ୍ତୋଷ ପ୍ରକାଶ ପାଇବା ସହ ନିରପେକ୍ଷ ତଦନ୍ତ ଦାବିରେ ପୁରୁଷୋତ୍ତମପୁରରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି।

Leave A Reply

Your email address will not be published.