Latest Odisha News

BREAKING NEWS

ଅଭିନ୍ନ ଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଜାତୀୟ ବୈଜ୍ଞାନିକ ସମ୍ମିଳନୀ, ଗାରିମା ଓ ଗୁରୁତ୍ୱ ବଢାଇଲା ମହାମହିମଙ୍କ ଉପସ୍ଥିତି

ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଦ୍ୱିତୀୟ ଦିନରେ ସେ ଅଭିନ୍ନ ଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ଯୋଗଦେଇଥିଲେ । ଏହି ଅବସରରେ ହୋମିଓପାଥି ଭାରତର ବିବିଧ ସ୍ୱାସ୍ଥ୍ୟସେବା ପରିଦୃଶ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କହିଛନ୍ତି ମହାମହିମ । ଏକ ସୁଗମ, ସମାନ ବୈଜ୍ଞାନିକ ଭାବେ ଦାୟିତ୍ୱବାନ ଏବଂ ପ୍ରତିକ୍ରିୟାଶୀଳ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଗଠନ ଦିଗରେ ଯୋଗଦାନ ପାଇଁ ଅନୁଷ୍ଠାନର ଗବେଷକ, ଶିକ୍ଷକ ଓ ସ୍ୱାସ୍ଥ୍ୟସେବା ବୃତିଗତଙ୍କୁ ଆହ୍ୱାନ ଦେଇଛନ୍ତି ମ୍ୟାଡାମ ପ୍ରେସିଡେଂଟ । ରଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତି ଅନୁଷ୍ଠାନ ଓ କାର୍ଯ୍ୟକ୍ରମକୁ ଗୌରବାନ୍ୱିତ କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଅଭିନ୍ନ ଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲ ସାରା ଦେଶର ଏକ ମର୍ଯ୍ୟାଦାଜନକ ସ୍ୱାସ୍ଥ୍ୟ ଶିକ୍ଷା ଓ ଚିକିତ୍ସା ଅନୁଷ୍ଠାନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡିଶାରେ ହୋମିଓପାଥିଙ୍କୁ ଲୋକଙ୍କ ପାଖରେ ପହଂଚାଇବା, ଗବେଷଣାର ମାନ, ଚିକିତ୍ସାର ସୁରକ୍ଷା, କ୍ଲିନିକାଲ ଅଧ୍ୟୟନ ଓ ବୈଜ୍ଞାନିକ ପ୍ରମାଣର ଗୁରୁତ୍ୱକୁ ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି ସରକାର । ରାଜ୍ୟରେ ୪ଟି ସରକାରୀ ହୋମିଓପାଥି ମେଡିକାଲ କଲେଜ ରହିଛି । ନୂଆପଡା ଓ ନୟାଗଡରେ ୨ଟି ନୂଆ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ହେବାକୁ ନିଷ୍ପତ୍ତି ହୋଇଛି । ଢେଙ୍କାନାଳ ଓ ବ୍ରହ୍ମପୁରରେ ୫୦ ଶଯ୍ୟା ବିଶିଷ୍ଟ ସମନ୍ୱିତ ଆୟୁଷ ହସ୍ପିଟାଲର ନିର୍ମାଣ କାମ ଜାରି ରହିଛି । ଆୟୁର୍ବେଦିକ୍ ଓ ହୋମିଓପାଥି ଶିକ୍ଷା ପାଇଁ ଆଗ୍ରହ ସୃଷ୍ଟି କରିବାକୁ ରାଜ୍ୟ ସରକାର ଛାତ୍ରଛାତ୍ରୀ ଓ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି । ସେମାନଙ୍କ ବେତନ ଢାଂଚା ବି ସଂଶୋଧିତ କରିଛନ୍ତି ସରକାର । ଚିକ୍ତିଭିତ୍ତିକ ଅଧ୍ୟାପକ, ରିଡର ଓ ପ୍ରଫେସରଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଛି । ରାଜ୍ୟରେ ୪୨୨ଟି ଆୟୁଷ୍କାନ ଆରୋଗ୍ୟ ମନ୍ଦିର ଉନ୍ନତିକରଣ ହୋଇଛି, ଯେଉଁଠି ଆୟୁର୍ବେଦିକ ଓ ହୋମିଓପାଥି ଚିକିତ୍ସା ଜାରି ରହିଛି । ୨୦୧୪ ମସିହାରୁ ‘ଆୟୁଷ’ ଏକ ସ୍ୱତନ୍ତ୍ର ମନ୍ତ୍ରାଳୟ ଭାବେ ଉନ୍ନୀତ ହେବା ପରେ ଭାରତୀୟ ଚିକିତ୍ସା ବିଜ୍ଞାନ ସହ ହୋମିଓପାଥି ଏକ ସ୍ୱତନ୍ତ୍ର ସ୍ଥାନ ଓ ସମ୍ମାନ ମିଳିଛି ।
ବିଜ୍ଞାନ ଓ ଗବେଷଣାକୁ ଆଧାର କରି ଏକ ସୁସ୍ଥ , ସମୃଦ୍ଧ ଓ ବିକଶିତ ଓଡିଶା ଗଠନ ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି । କାର୍ଯ୍ୟକ୍ରମରେ ରାଜ୍ୟପାଳ ବ୍ରଜମୋହନ ରାମ, ସାଂସଦ ଅପରାଜିତା ଷଡଙ୍ଗୀ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.