କଟକ: କର୍ତ୍ତବ୍ୟରେ ଅବହେଳା ଏବଂ ଦାୟିତ୍ୱହୀନତା ଅଭିଯୋଗରେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଆଇଆଇସି (IIC) ଗୟାନନ୍ଦ ଶାହଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ମେଡିକୋ-ଲିଗାଲ ମାମଲାରେ ଆଇନଗତ ପଦକ୍ଷେପ ନେବାରେ ବିଫଳ ହେବା ଏବଂ ବିନା ପୋଷ୍ଟମର୍ଟମରେ ୫୮ ବର୍ଷୀୟା ମହିଳାଙ୍କ ଶବ ଦାହ ସଂସ୍କାର ପାଇଁ ଛାଡ଼ି ଦେବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (DGP) ବିନୟତୋଷ ମିଶ୍ର ଆଜି (ନଭେମ୍ବର ୨୫, ୨୦୨୬) ତୁରନ୍ତ ପ୍ରଭାବରୁ ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି।
ସୂଚନା ଅନୁସାରେ ଏକ ମେଡିକୋ-ଲିଗାଲ (medico-legal) ମାମଲାରେ ଆଇନଗତ ପଦକ୍ଷେପ ନେବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ଜଣେ ୫୮ ବର୍ଷୀୟା ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ (post-mortem) ନ କରାଇ ତାଙ୍କ ଡାକ୍ତର ପୁଅଙ୍କ ଲିଖିତ ଅନୁରୋଧ କ୍ରମେ ଶବ ସତ୍କାର ପାଇଁ ହସ୍ତାନ୍ତର କରିବାକୁ ଅନୁମତି ଦେଇଥିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଡିଜିପିଙ୍କ ସୂଚନା ଅନୁଯାୟୀ, ମଞ୍ଚେଶ୍ୱର ଥାନା ଆଇଆଇସିଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି । ନିଲମ୍ବନ ଅବଧି ମଧ୍ୟରେ ସେ ଭୁବନେଶ୍ୱର-କଟକ ପୋଲିସ କମିଶନରଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣାଧୀନ ରହିବେ। ଏ ନେଇ ଆଜି ଓଡ଼ିଶା ପୋଲିସ ମୁଖ୍ୟାଳୟ ପକ୍ଷରୁ ଏକ ଆନୁଷ୍ଠାନିକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଉକ୍ତ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ଯେ, “ଭୁବନେଶ୍ୱର ୟୁପିଡି (UPD) ଅନ୍ତର୍ଗତ ମଞ୍ଚେଶ୍ୱର ଥାନାର ଆଇଆଇସି, ଇନ୍ସପେକ୍ଟର ଗୟାନନ୍ଦ ସାହଙ୍କ ବିରୁଦ୍ଧରେ ଅବହେଳା, କର୍ତ୍ତବ୍ୟରେ ତ୍ରୁଟି ଏବଂ ସରକାରୀ ଦାୟିତ୍ୱ ପାଳନରେ ବିଫଳତା ପାଇଁ ଏକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଚାର କରାଯାଇଛି। ଜନସେବାର ସ୍ୱାର୍ଥ ଦୃଷ୍ଟିରୁ ଏପରି ପଦକ୍ଷେପ ନେବା ଉଚିତ ବୋଲି ବିବେଚନା କରାଯାଇଛି।”
ଏଥିରେ ଆହୁରି ମଧ୍ୟ କୁହାଯାଇଛି, ପିଏମ୍ଆର୍-୧୯୪୦ (PMR-1940) ର ନିୟମ ୮୪୦ ଅନୁଯାୟୀ ପ୍ରଦତ୍ତ କ୍ଷମତା ପ୍ରୟୋଗ କରାଯାଇ ମଞ୍ଚେଶ୍ୱର ଥାନା (ଭୁବନେଶ୍ୱର ୟୁପିଡି) ର ଆଇଆଇସି ଗୟାନନ୍ଦ ସାହଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି। ଏହି ନିର୍ଦ୍ଦେଶ ବଳବତ୍ତର ଥିବା ସମୟରେ, ସେ ଭୁବନେଶ୍ୱର-କଟକ ପୋଲିସ କମିଶନରଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣାଧୀନ ରହିବେ। ସେ ‘ଓଡ଼ିଶା ସର୍ଭିସ୍ କୋଡ୍’ (Orissa Service Code) ର ନିୟମ ୯୦ ଅନୁଯାୟୀ ପ୍ରାପ୍ୟ ସବ୍ସିଷ୍ଟେନ୍ସ ଆଲାଉନ୍ସ (S.A.) ଏବଂ ଡିୟରନେସ୍ ଆଲାଉନ୍ସ (D.A.) ପାଇବାକୁ ହକଦାର ହେବେ ।
